ନକଲି ସାର୍ଟିଫିକେଟ୍ ଧରାଇ ଠକିଦେଲେ କଲେଜ ମାଲିକ, ଥାନାରେ ଧାରଣା ଦେଲେ ନର୍ସିଂ ଛାତ୍ରଛାତ୍ରୀ

Published By : Prameya-News7 Bureau | March 26, 2021 IST

ଭୁବନେଶ୍ୱର,୨୬/୦୩: ଭବିଷ୍ୟତ ଅନ୍ଧାରରେ ।  ନାମଲେଖା ବେଳେ ନେଲେ ଅସଲି ଟଙ୍କା । କିନ୍ତୁ ଧରାଇଦେଲେ ନକଲି ନର୍ସିଂ ସାର୍ଟିଫିକେଟ୍‌ । ଲକ୍ଷାଧିକ ଟଙ୍କା ଠକିନେଇ କଲେଜ ଖୋଲିଥିବା ମାଲିକ । ଏମିତି ଅଭିଯୋଗ ଆସିଛି ଏକ ନର୍ସିଂ କଲେଜ ନାଁରେ । ୬୦ରୁ ଅଧିକ ନର୍ସିଂ ଛାତ୍ରଛାତ୍ରୀ ଏହି ଅଭିଯୋଗରେ ଖଣ୍ଡଗିରି ଥାନାରେ ଧାରଣା ଦେଇଛନ୍ତି ।

ସୂଚନା ଅନୁସାରେ ଖଣ୍ଡଗିରି ଥାନା ଆଇଗଣିଆ ଅଞ୍ଚଳରେ ଏକ ଉଚ୍ଚ ଶିକ୍ଷାନୁଷ୍ଠାନର ଅଧିକାରୀ ଏବଂ ତାଙ୍କର ସ୍ତ୍ରୀ ୨ ବର୍ଷ ତଳେ ନର୍ସିଂ କଲେଜ ଖୋଲିଥିଲେ । ୨୦୧୯ ମସିହାରୁ ସେଠାରେ କିଛି ଛାତ୍ରୀ ନାମ ଲେଖାଇ ପଢା ଆରମ୍ଭ କରିଥିଲେ । ଏପରି ଭାବେ ୨ବର୍ଷରେ ୬୦ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ପର୍ଯ୍ୟାୟରେ ନାମ ଲେଖାଇଥିଲେ । ସେମାନଙ୍କଠୁ ବିଭିନ୍ନ ପର୍ଯ୍ୟାୟରେ ସଂପୃକ୍ତ ଦମ୍ପତି ପାଠପଢିବା ଏବଂ ହଷ୍ଟେଲ ଫି ବାବଦକୁ ଲକ୍ଷାଧିକ ଟଙ୍କା ନେଇଛନ୍ତି । କଲେଜ ପକ୍ଷରୁ କେବଳ ଥିଓରୀ କ୍ଲାସ ହେଉଥିବା ବେଳେ ପ୍ରାକ୍ଟିକାଲ କ୍ଲାସ ହେଉନଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଥିଲା । ପରେ ସେମାନଙ୍କୁ ସାର୍ଟିଫିକେଟ୍‌ ଦିଆଗଲା ବେଳେ ତାହା ନକଲି ବୋଲି ଜଣାପଡ଼ିଥିଲା ।

ବିନା ଅନୁମୋଦିତ କଲେଜ ଖୋଲି ସଂପୃକ୍ତ ଦମ୍ପତି ବିଭିନ୍ନ ସମୟରେ ଛାତ୍ରୀଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଗୁରୁବାର ୬୦-୭୦ ହେବ ଛାତ୍ରୀ ଖଣ୍ଡଗିରି ଥାନାରେ ସଂପୃକ୍ତ ସ୍ୱାମୀ-ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଛାତ୍ରୀମାନେ ଅଭିଯୋଗ କରିଛନ୍ତି, ୨ ବର୍ଷ ଧରି ସେମାନଙ୍କ ଜୀବନ ସହ ଖେଳିଛନ୍ତି ସଂପୃକ୍ତ ଦମ୍ପତି । ସେପଟେ ପୁଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.