ନର୍ସ ମୋନିକା ଫାଶୀ ଲଗାଇ କଲେ ଆତ୍ମହତ୍ୟା, ସୁଇସାଇଡ୍ ନୋଟରେ ଲେଖା ଥିଲା- ସ୍କୁଲରେ ସେ ଥିଲେ ଟପର
4/10/2019 at 8:06 PM

ହମିରପୁର୪|୧୦: ହିମାଚଳ ପ୍ରଦେଶର ହମିରପୁର ମେଡିକାଲ କଲେଜରେ ଓ୍ବାର୍ଡ ନର୍ସ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ନର୍ସଙ୍କ ମୃତ ଶରୀରର ପାଖରୁ ସୁଇସାଇଡ୍ ନୋଟ ମିଳିଛି। ମେଡିକାଲ କଲେଜର ସିନିୟର ନର୍ସ ଷ୍ଟାଫ୍ ତାଙ୍କୁ ହଇରାଣ କରୁଥିବାରୁ ସେ ବିରକ୍ତି ହୋଇ ଆତ୍ମହତ୍ୟା କରିଥିବା କଥା ସୁଇସାଇଡ୍ ନୋଟରେ ଉଲ୍ଲେଖ ହୋଇଛି।
ସୂଚନାଯୋଗ୍ୟ ଯେ, ହମିରପୁରର ବାରଲ ଗାଁରେ ନର୍ସ ମୋନିକା ଭଡ଼ା ଘରେ ରହୁଥିଲେ। ନର୍ସ ମୋନିକା ନିଜ ରୁମ୍ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କର ଗୋଟେ ପାଞ୍ଚ ବର୍ଷର ଛୋଟ ପୁଅ ଅଛି। ଘର ମାଲିକ ସ୍କୁଲରୁ ଫିଲାଙ୍କୁ ନେଇ ଫେରିବା ପରେ ମୋନିକାଙ୍କ ମୃତ ଶରୀର ଝୁଲିଥିବାର ସେ ଦେଖିଥିଲେ। ମୋନିକାଙ୍କୁ ସିନିୟର ଓ୍ବାର୍ଡ ସିଷ୍ଟର ହଇରାଣ କରୁଥିବାରୁ ସେ ଆତ୍ମହତ୍ୟା କରିଥିବା କଥା ସୁଇସାଇଡ୍ ନୋଟରେ ଉଲ୍ଲେଖ ହୋଇଥିଲା।
ସୁସାଇଡ୍ ନୋଟରେ ଆହୁରି ମଧ୍ୟ ସେ ଲେଖି ଥିଲେ ଦୀର୍ଘ ଦୁଇ ବର୍ଷ ହେଲା ସେ ହମିରପୁର ମେଡିକାଲ କଲେଜରେ ରୋଗୀଙ୍କ ସେବା କରି ଆସୁଛନ୍ତି। ହେଲେ ସିନିୟର ଓ୍ବାର୍ଡ ସିଷ୍ଟର ପ୍ରତିଦିନ ତାଙ୍କୁ ହଇରାଣ କରୁଥିଲେ। ସ୍କୁଲ ପାଠ ପଢ଼ିବା ବେଳେ ମୋନିକା ଟପର ଥିବା କଥା ମଧ୍ୟ ସେ ସୁଇସାଇଡ୍ ନୋଟରେ ଲେଖିଛନ୍ତି।
ତାଙ୍କର ଭୁଲ ନଥିଲେ ବି ସିନିୟର ଷ୍ଟାଫ୍ ନର୍ସ ତାଙ୍କୁ ପ୍ରତ୍ୟେକ କଥାରେ ଅପମାନ କରିବା ସହ ସମସ୍ତଙ୍କ ସାମ୍ନାରେ ଗାଳି ଗୁଳଜ କରୁଥିଲେ। ସିନିୟରଙ୍କ ହଇରାଣ ହରକତରେ ବିରକ୍ତି ହୋଇ ମୋନିକା ଆତ୍ମହତ୍ୟା କରିଥିବା କଥା ସେ ସୁଇସାଇଡ୍ ନୋଟରେ ଲେଖିଛନ୍ତି। ମୋନିକାଙ୍କ ସ୍ବାମୀ ମେଡିସିନ କମ୍ପାନୀରେ କାମ କରନ୍ତି। ଏହି ଘଟଣା ପୋଲିସ ଆଇପିସି ଧାରା ୩୦୬ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।