ଭୁଲରେ ମହିଳାଙ୍କୁ ଏକାସଙ୍ଗେ ୬ ଡୋଜ ଟିକା ଦେଇଦେଲେ ନର୍ସ, ହସ୍ପିଟାଲରେ ୨୪ ଘଣ୍ଟା ରହିଲେ ମହିଳା

Published By : Prameya-News7 Bureau | May 11, 2021 IST

ରୋମ ୧୧।୫: କରୋନା ମହାମାରୀ ସଙ୍କଟରୁ ବର୍ତ୍ତିବା ପାଇଁ ସାରା ବିଶ୍ବରେ ଟିକାକରଣ ଜାରି ରହିଛି । କରୋନା ଟିକାକରଣକୁ ନେଇ  ବିଭିନ୍ନ ସ୍ଥାନରେ ଅନେକ ଅବହେଳା ଦେଖିବାକୁ ମିଳିଛୁ । ଏହି କାରଣରୁ ଅନେକ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି । ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳାଙ୍କୁ ଭୁଲରେ ୬ ଡୋଜ କରୋନା ଟିକା ଦିଆଯାଇସାରିଛି । ସଂପୃକ୍ତ ମହିଳାଙ୍କ ବୟସ ୨୩ ବର୍ଷ । ତାଙ୍କୁ ଭୁଲରେ ଫାଇଜର ବାୟୋଏନଟେକର ୬ଟି ଡୋଜ ଦିଆଯାଇଛି । ମହିଳାଙ୍କ ଉପରେ ଟିକାର କୌଣସି ଖରାପ ପ୍ରଭାବ ଯେମିତି ନପଡେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନଜର ରଖାଯାଇଛି । ମହିଳା ଜଣଙ୍କ ହସ୍ପିଟାଲରେ ମାନସିକ ରୋଗ ବିଭାଗରେ ଇଣ୍ଟର୍ନ ଥିଲେ ।

ଇଟାଲୀ ଟସ୍କନୀ ସ୍ଥିତ ନୋଆ ହସ୍ପିଟାଲରେ ଏଭଳି ଘଟଣା ଘଟିଛି । ତେବେ ମହିଳାଙ୍କୁ ବର୍ତ୍ତମାନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏହି ଘଟଣାର ତଦନ୍ତ କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି । ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ଏହା ଭୁଲବଶତଃ ହୋଇଯାଇଛି ।ଏହାକୁ ଉଦ୍ଦେଶ୍ୟମୂଳକ ଭାବେ କରାଯାଇନାହିଁ । ଡାକ୍ତରଖାନା ମୁଖପାତ୍ର ଡେନିଏଲା କହିଛନ୍ତି ଯେ, ରୋଗୀଙ୍କୁ ୨୪ ଘଣ୍ଟା ପାଇଁ ଡାକ୍ତରଖାନା ତତ୍ତ୍ବାବଧାନରେ ରଖାଯାଇଛି । ସେ କହିଛନ୍ତି ଯେ, ନର୍ସ ଭୁଲରେ ଗୋଟିଏ ଶିଶିର ସବୁ ଡୋଜକୁ ସିରିଞ୍ଜରେ ଭର୍ତ୍ତି କରି ସଂପୃକ୍ତ ମହିଳାଙ୍କୁ ଦେଇଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି । ତାଙ୍କୁ ୨୪ ଘଣ୍ଟା ଅବଜରଭେସନରେ ରଖିବା ପରେ ସୋମବାର ଡିସଚାର୍ଜ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.