ମୌସୁମୀ ଆଗମନରେ ବିଲରେ ଧାନ ବୁଣିବାକୁ ଚାଷୀ କୂଳ ସଜବାଜ : ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ, ଚିନ୍ତାରେ ଚାଷୀ
27/06/2019 at 4:24 PM

ନୂଆପଡା ୨୭|୬: ଆସିଲାଣି ମୌସୁମୀ । ବିଲରେ ଧାନ ବୁଣିବାକୁ ଚାଷୀ କୂଳ ସଜବାଜ ହେଲେଣି । ହେଲେ ବିଡମ୍ବନାର ବିଷୟ ଅମଳ ଧାନ ଏଯାଏଁ ବିକ୍ରି କରିପାରିନି ଚାଷୀ । ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ । ବର୍ଷା ହେଲେ ସବୁ ଭିଜିଯିବ । ବର୍ଷକ ଜାକର ପରିଶ୍ରମ ପାଣିରେ ଧୋଇଯିବ । ଏ ନେଇ ଚିନ୍ତାରେ ପଡିଛି ନୂଆପଡା ଜିଲ୍ଲାର ଚାଷୀ ।

ଚାଷୀଙ୍କୁ ମୌସୁମୀ ବର୍ଷା ହେଲେ ଚିନ୍ତା ନହେଲେ ବି ଚିନ୍ତା । କାହିଁକିନା ମୌସୁମୀ ବର୍ଷାକୁ ଦେଖି ଚାଷୀ ବିହନ ବୁଣିବାକୁ ସଜବାଜ ହେଉଥିବା ବେଳେ ଅମଳ ହୋଇ ସାରିଥିବା ଫସଲ ଏଯାଏ ବିକ୍ରି କରିପାରିନି । ନୂଆପଡା ଜିଲ୍ଲାର ବିଭିନ୍ନ ମଣ୍ଡିରେ ବସ୍ତା ବସ୍ତା ଧାନ ପଡି ରହିଛି । ୨୫ଟି ମଣ୍ଡି ଖୋଲିଥିବା ବେଳେ ଯେତିକି ପରିମାଣର ଧାନ ଉଠିବା କଥା ସେତିକି ଉଠିନି । କିଛି ଧାନ ମଣ୍ଡିରେ ପଡି ପଡି ଗଜା ମାରିଗଲାଣି । ଲାଞ୍ଜିମାର ଗାଁ ରେ ଥିବା ମଣ୍ଡିରେ ଏବେବି ପ୍ରାୟ ୬ ହଜାର କ୍ବିଣ୍ଟାଲ ଧାନ ପଡିରହିଛି । ଉପରେ ପାଲ ପଡିଛି ହେଲେ ତଳେ ଧାନଭିଜି ଗଜା ହେଲାଣି ।

ଆଉ କିଛି ବାଟ ନପାଇ ଚାଷୀ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଲେଣି । ଏପରିକି ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ୩ ଘଣ୍ଟା ଅଟକ ରଖିଥିଲେ ବେଲଟୁକୁରି ମଣ୍ଡିର ଚାଷୀ । ପାଞ୍ଚ ହଜାର କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇବା ପରେ ଯାଇ ଅଧିକାରୀଙ୍କୁ ଛାଡିଥିଲେ। ବେଲଟୁକୁରି ମଣ୍ଡି ରେ ୧୮ ହଜାର କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ମାତ୍ର ୧୩ ହଜାର କ୍ବିଣ୍ଟାଲ ଧାନ ଉଠାଯାଇଥିବା ଚାଷୀ ଅଭିଯୋଗ ବାଢିଛନ୍ତି ।

ପାଣିପାଗ ବିଭାଗ ଆକଳନ କରିଛି ୩୦ରୁ ଭିଜିବ ସାରା ଓଡିଶା । କେବେ ମଣ୍ଡିରେ ଫସଲ ଉଠିବ ସେ ନେଇ ଚାଷୀ ଆଖିରୁ ନିଦ ହଜିଯାଇଛି । ଏ ନେଇ ବିଭାଗୀୟ ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ନିରାଶ ହେଲେଣି ଚାଷୀ । ହେଲେ ଗୁହାରୀ ଶୁଣୁଛି କିଏ ।