ସମ୍ବଲପୁର କୁଚିଣ୍ଡାରେ ନୂଆଖାଇ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
11/09/2018 at 4:15 PM

ଆଉ ଦୁଇଦିନ ପରେ ପଶ୍ଚିମଓଡିଶାର ଗଣପର୍ବ ନୂଆଖାଇ। ସେଥିପାଇଁ ଦେବଦେବୀ ମନ୍ଦିର ସହ, ଘରଦ୍ବାରା ଲିପାପୋଛା ସରିଛି। ପ୍ରତ୍ୟକ ଘରେ କୁରେଇପତ୍ର ଓ ନୂଆଧାନ ପହଞ୍ଚିସାରିଛି। ଅପେକ୍ଷା ପୂର୍ବନିର୍ଦ୍ଧାରିତ ବ୍ରାହ୍ମ୍ୟ ମୂହୁର୍ତ୍ତକୁ। ଯେତିକି ବେଳେ,ନିଜନିଜ ଇଷ୍ଟଦେବୀଙ୍କ ସହ,ପିତୃପୁରୁଷଙ୍କୁ ପ୍ରଥମ ଶସ୍ୟରୁ ପ୍ରସ୍ତୁତ ଖୀରି,ପିଠା,ଚୁଡା ଭୋଗ ଲଗାଯିବା ପରେ ସମସ୍ତେ ଏକାଠି ନୂଆଖାଇବାର କାହିଁ କେଉଁ କାଳରୁ ପରମ୍ପରା ଚାଲିଆସିଛି। ହେଲେ ସମ୍ବଲପୁରଜିଲ୍ଲା ଯୁଯୁମରା ବ୍ଲକ୍ର ଆଦିବାସୀ ଗାଁ,ନାକ୍ଟିସିନାରେ କେମିତି ପାଳନ କରାଯାଉଛି ନୂଆଖାଇ ଦେଖନ୍ତୁ। ଏଠାରେ ପ୍ରଥମେ ପ୍ରକୃତି ମାଆକୁ ପ୍ରଥମ ଶସ୍ୟରୁ ଉତ୍ପନ ଅନ୍ନ ଭୋଗଲଗା ଯିବା ନିୟମ ରହିଛି। ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ଏହି ଆଦିବାସୀ ଗାଁ ଗୁଡିକରେ ପାଳନ କରାଯିବ ନୂଆଖାଇ। ଗାଁର ଧାଙ୍ଗଡାଧାଙ୍ଗିଡି ମାନେ ପ୍ରସ୍ତୁତ ହେଲେଣି। ଗାଁ ଠାକୁରାଣୀଙ୍କ ପାଖରେ ପୂର୍ବରୁ ଅଣ୍ଡା ଦେଇନଥିବା କୁକୁଡା ଓ ପ୍ରଥମ ଶସ୍ୟରୁ ପ୍ରସ୍ତୁତ କୁସୁନା ମଦ ଭୋଗଲାଗି କରାଗଲାଣି। ସାରା ଗାଁ ଗୋଟିଏ ସ୍ଥାନରେ ଗ୍ରାମଦେବୀ ଓ ବନଦେବୀଙ୍କୁ ମଦ ଓ କୁକୁଡା ଅର୍ପଣ କରିବା ପରେ,ପ୍ରସାଦ ସେବନ ମଧ୍ୟ କରିସାରିଲେଣି। ପ୍ରକୃତିରାଣୀକୁ ପୂଜାର୍ଚ୍ଚନା ପରେ,ମାଟିର ମଣିଷ ତା ନିକଟରେ କୃତଜ୍ଞତା ପ୍ରଦାନ କରିବା ସହ,ଭଲବର୍ଷା ଓ ଫସଲ ଦେଇଥିବାରୁ ମୁଣ୍ଡ ନୁଆଁଇ ପ୍ରଣାମ କରିଛି। ବର୍ଷସାରା ଏମିତି ଫସଲ ଓ ଶିକାର ଦେବାକୁ ନେହୁରା ହେବାପରେ, ଆନନ୍ଦରେ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ମୁଣ୍ଡରେ ଡାଲଲଗାଇ ନାଚ ଆରମ୍ଭ କରିଦେଇଛି