ୟୁନାଇଟେଡ଼ ଆରବ ଏମିରେଟସର ଦୁବାଇ ସ୍ଥିତ ଇଣ୍ଡିଆନ କଂସୁଲେଟ ସଭାଘର ଠାରେ ନୂଆଖାଇ ଭେଟଘାଟ ଗତ ୧୪ ସେପ୍ଟେମ୍ବର ରେ ଅତି ଧୁମଧାମରେ ଅନୁଷ୍ଠିତ ହେଇ ଯାଇଛି | ଏହି ବର୍ଷ ପବିତ୍ର ନୂଆଖାଇ ଦିନ ଏହି ପର୍ବ ଟିକେ ନିଆରା ଢଙ୍ଗରେ ପାଳିତ ହୋଇଥିଲା | ପଞ୍ଚମ ବର୍ଷରେ ପଦାର୍ପଣ କରି ଥିବା ଏହି ପର୍ବ ପୂର୍ବ ବର୍ଷ ମାନଙ୍କ ଠାରୁ ଆହୁରି ଉଚ୍ଚକୋଟୀର ହୋଇଥିଲା ଏବଂ ବହୁ ସଂଖ୍ୟାରେ ଦର୍ଶକମାନଙ୍କୁ ଆକୃଷ୍ଟ କରିପାରିଥିଲା | ୬୦୦ ରୁ ଉର୍ଦ୍ଧ୍ବ ଦର୍ଶକମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ | ୬୦ ଜଣ ନିଜସ୍ୱ କଳାକାର ସମେତ ୧୩ ଜଣିଆ ଟ୍ରୁପ ଯାହା ଓଡିଶାରୁ ଡକା ହୋଇ ଆସିଥିଲେ , ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ସମ୍ବଲପୁରର ନଟରାଜ ଡାନ୍ସ ଗ୍ରୁପର ୧୩ ଜଣିଆ ମେମ୍ବର ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା | ଛୁଆରୁ ବୁଢା ପର୍ଯନ୍ତ ନିଜସ୍ୱ କଳାକାର ମାନେ ମଧ୍ୟ ଅତି ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ଗୀତ ପରିବେଷଣ କରି ସମସ୍ତଙ୍କୁ ଅଭିଭୂତ କରିରଖିଥିଲେ |

ସକାଳୁ ୧୦ ଟା ବେଳୁ କାର୍ଯକ୍ରମର ଶୁଭାରମ୍ଭ ହୋଇଥିଲା | କଂସୁଲ କଲଚୁରାଲ ଶ୍ରୀ ପ୍ରେମ ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦାନକରିଥିଲେ ଏବଂ ଦ୍ବୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦଯାପନ କରି ଥିଲେ | ପ୍ରଥମାର୍ଦ୍ଧ ରେ ନିଜସ୍ୱ କଳାକାର ମାନେ ଏବଂ ଅପରାହ୍ନ ରେ ନଟରାଜ ଗ୍ରୁପ ପରିବେଷଣ କରି ଥିଲେ | ସମଗ୍ର କଂସୁଲେଟ ସଭାଘର ଉସ୍ଵବ ମୁଖରିତ ହୋଇ ଉଠିଥିଲା | ପାରମ୍ପରିକ ସମ୍ବଲପୁରୀ ନୃତ୍ୟ ଗୀତ ସତେ ଯେମିତି ବାତାବରଣ କୁ ସମ୍ବଲପୁର ର ଅନୁଭବ ଆଣୁଥିଲା | ଶ୍ରୀଯୁକ୍ତ ପ୍ରେମ ଚାନ୍ଦ ସମସ୍ତ ଦର୍ଶକମାନଙ୍କୁ ସମ୍ବୋଧିତ କରି ପ୍ରକାଶ କରିଥିଲେ ଯେ, ଓଡ଼ିଆ ସମ୍ପ୍ରଦାୟ ୟୁନାଇଟେଡ଼ ଆରବ ଏମିରେଟସରେ ଅତ୍ୟନ୍ତ ସକ୍ରିୟ ଏବଂ ତାଙ୍କର ଏହି ଭଳି ସାଂସ୍କୃତିକ କାର୍ଯକ୍ରମ ସେମାନଙ୍କୁ ନିଜ ଦେଶ, ପ୍ରଦେଶ ଏବଂ ନିଜ ପରମ୍ପରା ସହିତ ବାନ୍ଧି ରଖିବାରେ ସହାୟକ ହୋଇ ପାରିଛି | କୁନି କୁନି ବାଳକ ବାଳିକାମାନେ ଏଠି ଅବସ୍ଥାନ କରି ମଧ୍ୟ ନିଜର ସଂସ୍କୃତିକୁ ଜାଣି ପାରୁଛନ୍ତି ଯାହା ଖୁବ ପ୍ରଶଂସନୀୟ | ସେ କହିଥିଲେ ପ୍ରତି ବର୍ଷ ଇଣ୍ଡିଆନ କଂସୁଲେଟ ସେ ଏହି ପର୍ବକୁ ଚାହିଁ ରହିଥାନ୍ତି |

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲେ ଗେଷ୍ଟ ଅଫ ହନର ଶ୍ରୀ ପ୍ରଦୀପ ଭୋଳ ଯିଏ କି ସୁନ୍ଦରଗଡର ବାସିନ୍ଦା | ଶ୍ରୀ ଭୋଳଙ୍କ ପଶ୍ଚିମ ଓଡିଶା ତଥା ଓଡ଼ିଆ କଳା ପ୍ରତି ଅଶେଷ ଅବଦାନ ରହିଛି | ପିଲାଟି ଦିନରୁ ତାଙ୍କର ଏକାଙ୍କିକା, ନାଟକ କଳା ପ୍ରତି ଆଗ୍ରହ ଥିଲା ଏବଂ ସେ ୨୦୦ ରୁ ଉର୍ଧ୍ଵ ନାଟକ ପରିବେଷଣ କରି ସାରିଛନ୍ତି | ସେ “ଚିନି ” ଭଳି ଅତି ଉଚ୍ଚ କୋଟିର ସିନେମା ର ନିର୍ଦେଶକ ମଧ୍ୟ ରହି ସାରିଛନ୍ତି | “ଚିନି” ହେଉଛି ଏ ପର୍ଯ୍ୟନ୍ତ ସବୁଠୁ ଅଧିକା ଖର୍ଚ୍ଚ ବହୁଳ ସମ୍ବଲପୁରୀ ସିନେମା | ପ୍ରଖ୍ୟାତ କଣ୍ଠଶିଳ୍ପୀ ଆଶା ଭୋସଲେ ଏହି ସିନେମାରେ ପ୍ରଥମ କରି କୌଣସି ସମ୍ବଲପୁରୀ ସିନେମାରେ କଣ୍ଠ ପ୍ରଦାନ କରିଛନ୍ତି | ଏହି ସିନେମା ୨୦୧୬ ରେ ଷ୍ଟେଟ ବେଷ୍ଟ ଫିଲ୍ମ ପୁରସ୍କାର ସହିତ ବହୁ ଅନ୍ୟାନ୍ୟ ପୁରସ୍କାର ଅର୍ଜନ କରିଛି ଏବଂ ଦର୍ଶକ ମହଲରେ ବେଶ ଆଦୃତ ହୋଇଛି |
ଓଡ଼ିଆ ସମୁଦାୟ ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ପ୍ରଭୁଦତ୍ତ ପ୍ରଧାନଙ୍କୁ ମଧ୍ୟ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସ୍ବର୍ଗତ ପ୍ରଧାନ ଯିଏ କି ରଙ୍ଗବତୀ ଗୀତର ସୃଷ୍ଟିକର୍ତ୍ତା, ତାଙ୍କ ଜୀବନ କାଳ ମଧ୍ୟରେ ଆହୁରି ଅନେକ ଗୀତର ସଂଗୀତ ସଂଯୋଜନା କରିଥିଲେ | ସମ୍ବଲପୁରୀ ନୃତ୍ୟ ଗୀତ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ | ସ୍ବର୍ଗତ ପ୍ରଧାନଙ୍କ ସୁପୁତ୍ର ଅସୀମ ପ୍ରଧାନଙ୍କୁ ଏଥି ନିମିତ୍ତ ଆମନ୍ତ୍ରଣ କରାଯାଇଥିଲା ଏବଂ ଏହି ଶ୍ରଦ୍ଧାଞ୍ଜଳି ମାଧ୍ୟମରେ ସମ୍ମାନିତ କରାଯାଇଥିଲା | ବିଦେଶ ମାଟିରେ ବସବାସ କରି ରହିଥିବା ଓଡ଼ିଆମାନଙ୍କର ଏଭଳି ସାଂସ୍କୃତିକ ପ୍ରେମ ଏବଂ ଶ୍ରଦ୍ଧା ଦେଖି ସେ ଭାବ ବିହ୍ଵଳ ହେଇପଡିଥିଲେ |

ପାରମ୍ପରିକ ଭୋଜନ ର ସୁବ୍ୟବସ୍ଥା ମଧ୍ୟ ହୋଇ ଥିଲା ଯାହା ସମସ୍ତଙ୍କର ଖୁବ ପସନ୍ଦ ଆସିଥିଲା | “ନୂଆଖାଇ ଭେଟଘାଟ” ହୋଇ ସମସ୍ତେ ସମସ୍ତଙ୍କୁ “ନୂଆଖାଇ ଜୁହାର ” କରିଥିଲେ | କାର୍ଯ୍ୟକ୍ରମ ଶେଷରେ ସମସ୍ତ ପ୍ରତିଭାଗୀ ମାନଙ୍କୁ ପ୍ରମାଣ ପତ୍ର ସମେତ ପୁରସ୍କାର ପ୍ରଦାନ କରାଯାଇଥିଲା | ୮ ଘଣ୍ଟା ଧରି ଚାଲିଥିବା ଏହି କାର୍ଯକ୍ରମ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା ଏବଂ ସମସ୍ତେ ଆଗାମୀ ବର୍ଷ ପ୍ରତି ନିଶ୍ଚୟ ଅତି ଆଗ୍ରହ ସହକାରେ ଚାହିଁ ବସି ଥିବେ ବୋଲି ପ୍ରବନ୍ଧକ କମିଟି ଆଶା ପ୍ରକାଶ କରିଥିଲେ |