ନାଗରିକତା ସଂଶୋଧନ ଆଇନକୁ ବିରୋଧ- ପଶ୍ଟିମବଙ୍ଗରେ ଉତ୍ତେଜନା, ବାତିଲ୍ ହେଲା ଅନେକ ଟ୍ରେନ
14/12/2019 at 5:32 PM

କୋଲକାତା ୧୪।୧୨ – ନାଗରିକତା ସଂଶୋଧନ ଆଇନ ବିରୋଧରେ ପଶ୍ଟିମବଙ୍ଗରେ ଉତ୍ତେଜନା । ରାଜ୍ୟରେ ଏହି ଆନ୍ଦୋଳନ ହିଂସାତ୍ମକ ମୋଡ ନେଇଛି । ନାଗରିତକ ସଂଶୋଧନ ଆଇନ ଓ ଏନ୍ଆସି ବିରୋଧରେ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ବସ୍ରେ ନିଆଁ ଲଗାଇବା ସହ ପୋଲିସ ଫାଣ୍ଡିରେ ନିଆଁ ଲଗାଇ ଦେଇଛନ୍ତି । ସେହିପରି ରେଳଷ୍ଟେସନ୍ରେ ଭଙ୍ଗାରୁଜା କରିଛନ୍ତି । ସେଥିପାଇଁ କେତେକ ଟ୍ରେନ୍ ବାତିଲ୍ ହେବା ସହ କେତେକର ଗତିପଥ ବଦଳାଯାଇଛି । ସେପଟେ ଉତ୍ତରପୂର୍ବରେ ଉତ୍ତେଜନା ସାମାନ୍ୟ ଥମିଛି । ଆସାମ ଗୌହାଟୀରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି ।….

ଉତ୍ତର ପୂର୍ବ ରାଜ୍ୟ ପରେ ନାଗରିକ ସଂଶୋଧନ ଆଇନ ବିରୋଧ ଆନ୍ଦୋଳନ ଡେଇଁଛି ପଶ୍ଚିମବଙ୍ଗକୁ । ଏବେ ଜଳୁଛି ପଶ୍ଚିମବଙ୍ଗ । ରାଜ୍ୟରେ ଏହି ଆନ୍ଦୋଳନ ହିଂସାତ୍ମକ ମୋଡ ନେଇଛି । ନାଗରିକତା ସଂଶୋଧନ ଆଇନ ଏବଂ NRC ବିରୋଧରେ ଉତ୍ତେଜନା ତୀବ୍ର ହୋଇଛି । ୮ଟି ବସ୍କୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଆନ୍ଦୋଳନ କାରୀ । ପୋଲିସ ଫାଣ୍ଡିରେ ବି ନିଆଁ ଲଗାଇ ଦେଇଛନ୍ତି । ନୌପାଡା ମହିଷାସୁର ରେଲୱେ ଷ୍ଟେସନରେ ଆନ୍ଦୋଳନକାରୀମାନେ ଷ୍ଟେସନ୍ ଭଙ୍ଗାରୁଜା କରୁଛନ୍ତି । ହଜାର ହଜାର ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ବ୍ୟାପକ ହୋଇଛି ।

ଆନ୍ଦୋଳନକାରୀମାନେ ହାଉଡାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ସେଠାରେ ଉପସ୍ଥିତ ପୋଲିସକୁ ମଧ୍ୟ ଆକ୍ରମଣ କରିଛନ୍ତି । ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ବ୍ୟବହାର କରିଛି । ସବୁଠୁ ବେଶୀ ପ୍ରଭାବ ଦେଖିବାକୁ ମିଳିଛି ମୁର୍ଶିଦାବାଦରେ । ଗତକାଲିଠାରୁ ଏଠାରେ ବିକ୍ଷୋଭକାରୀମାନେ ରେଳ ଷ୍ଟେସନକୁ ଟାର୍ଗେଟ କରୁଛନ୍ତି ।ଗତକାଲି ଏଠାରେ ବି ଜଳାପୋଡା ଦେଖିବାକୁ ମିଳିଥିଲା । ହିଂସା ଯୋଗୁ ରେଳସେବା ପ୍ରଭାବିତ ହୋଇଛି । ଅନେକ ଟ୍ରେନ୍ ବାତିଲ କରାଯିବା ସହ କେତେକ ଗତିପଥ ବଦଳାଯାଇଛି । କୋଲକାତାର ଆଖପାଖ ଅଞ୍ଚଳରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶହଶହ ଆନ୍ଦୋଳନକାରୀ ରାସ୍ତାରେ ନିଆଁ ଜାଳି ପ୍ରଦର୍ଶନ କରିଛନ୍ତି ।ଭିନ୍ନ ଭିନ୍ନ ଧର୍ମ ଆଧାରରେ ଆଇନ ତିଆରି କରାଯାଇପାରିବନାହିଁ ବୋଲି ଅଭିଯୋଗ କରିଛନ୍ତି । ଉତ୍ୟକ୍ତ ଲୋକେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଛନ୍ତି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି । କହିଛନ୍ତି ସେ ରାଜ୍ୟରେ ଏନ୍ଆରସି ଲାଗୁ କରିବେ ନାହିଁ ।

ଉତ୍ତର ପୂର୍ବ ରାଜ୍ୟ ଗୁ଼ଡିକରେ ସ୍ଥିତିରେ କିଛିଟା ସୁଧାର ଆସିଛି । ଗୌହାଟୀରେ ସକାଳ ୯ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ କର୍ଫ୍ୟୁରେ କୋହଳ କରାଯାଇଛି । ଦିଶପୁର, ଉଜାନ ବାଜାର, ଚାନ୍ଦମାରୀ, ସିଲପୁଖୁରୀ ଏବଂ ଜୁ ରୋଡ୍ ର କେତେକ ସ୍ଥାନରେ ଦୋକାନା ଖୋଲିଛି । ତେଣୁ ଲୋକେ ଦୋକାନ ବାହାରେ ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି । ଅଟୋ ରିକ୍ସା ଓ ସାଇକେଲ୍ ରିକ୍ସା ସଡକରେ ଦେଖିବାକୁ ମିଳିଛି ।ସେହିଭଳି ସିଲଂରେ ବି କର୍ଫ୍ୟୁ କୋହଳ ପରେ ଲୋକେ ବାହାରକୁ ଆସି ଆବଶ୍ୟକ ଜିନିଷପତ୍ର କିଣାକିଣି କରିଛନ୍ତି । ହେଲେ ବସ୍ ଚଳାଚଳ କରିନାହିଁ । ସେପଟେ ଦିଲ୍ଲୀ ଜାମିଆ ମିଲିଆ ବିଶ୍ବବିଦ୍ୟାଳୟରେ ଆନ୍ଦୋଳନ ଯୋଗୁ ବିଶ୍ବବିଦ୍ୟାଳୟକୁ ଜାନୁଆରୀ ୫ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ସମସ୍ତ ପରୀକ୍ଷାକୁ ବାତିଲ୍ କରାଯାଇଛି ।
