କାହ୍ନାର ମୃତ୍ୟୁ ଯୋଗୁଁ ବଦନାମ ହେଲା ରାଜ୍ୟ : ଆଉ ୪ଟା ବାଘ ଛାଡ଼ିବା ଲାଗି ରାଜି ହୋଇଥିବା ଏନଟିସିଏ ବ୍ୟାଘ୍ର ପ୍ରକଳ୍ପକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲା ସ୍ଥଗିତ
15/11/2018 at 6:59 PM

ଭୁବନେଶ୍ବର ୧୫|୧୧: ବାଃ ବାଃ ନେବାକୁ ବସିଥିଲେ ରାଜ୍ୟ ସରକାର । ହେଲେ ମୁଣ୍ଡାଡ଼ାଇଲେ ବିବାଦ ଓ ଦୁର୍ନାମ। ବାଘ ବଂଶ ବୃଦ୍ଧି କରିବେ କଣ ଓଲଟା ବଂଶ ବୁଡ଼ାଇଦେଲେ । ସୁନ୍ଦରୀ କାଣ୍ଡ, ଦେବ୍ରିଗଡ଼ ଘଟଣା ପରେ ମହାବଳ ମହାବୀରର ମୃତ୍ୟୁ ସୂଚାଇ ଦେଇଛି ଓଡ଼ିଶା ସରକାର ବାଘ ପାଇଁ ବଦନାମ ହେଇସାରିଲେଣି । ଫସର ଫାଟିଯାଇଛି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଯୋଜନା । ଆଉ ଯେଉଁ ଏନଟିସିଏ ଆଉ ୪ଟା ବାଘ ଛାଡ଼ିବା ଲାଗି ରାଜି ହୋଇଥିଲା ଏବେ ଘୋଷଣା କରିଛି ବ୍ୟାଘ୍ର ପ୍ରକଳ୍ପ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ।
ଫେଲ ମାରିଲା ପ୍ରକଳ୍ପ । ବାଘ ପାଇଁ ବଦନାମ ହେଲେ ବାଘ୍ ବାହାଦୂର । ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବାହାଦୁରୀ ମାରିଥିଲେ ରାଜ୍ୟ ସରକାର। କିଛି ଲୋକଙ୍କ ବେପରୁଆ କାର୍ଯ୍ୟ ପାଇଁ ଫସର ଫାଟିଗଲା ପୂରା ଯୋଜନା। କାହ୍ନା ଅଭୟାରଣ୍ୟରୁ ଆସିଥିବା ମହାବଳ ବାଘ ମହାବୀରର ମୃତ୍ୟୁ ସୂଚାଇ ଦେଇଛି ରାଜ୍ୟ ସରକାର ବାଘ ପାଳିବା କିମ୍ବା ବଂଶ ବୃଦ୍ଧି କରିବା ଦିଗରେ ପୂରା ଅନାଡ଼ି । ପରିଣାମ ହେଲା ଏନଟିସିଏ ରାଜ୍ୟ ସରକାରଙ୍କ ଅପାରଗତାକୁ ଆଖି ଆଗରେ ରଖି ବ୍ୟାଘ୍ର ମିଶନକୁ ସ୍ଥଗିତ କରିଦେଇଛି । ପିସିସିଏଫ ନିଜେ ମାନିଛନ୍ତି ଏନଟିସିଏ ଦେଇଥିବା ଗାଇଡ଼ଲାଇନ୍ସ ପାଳନ କରିବା ଦିଗରେ କିଛି ଭୁଲ ତ୍ରୁଟି ରହିଗଲା । ସେଥିପାଇଁ ମହାବଳ ବାଘ ମଲା ।
ସାତକୋସିଆ ଜଙ୍ଗଲର ମହାବୀର ବେକ ମୂଳରେ ୫ ଦିନ ଧରି କ୍ଷତ ଚିହ୍ଲ ସୃଷ୍ଟି ହୋଇଥିଲା । ତେବେ ଏ କ୍ଷତ କେମିତି ସୃଷ୍ଟି ହେଲା ? ସନ୍ଦେହ ୧- ବାଘକୁ ଶିକାରୀମାନେ ଆକ୍ରମଣ କରିଥିଲେ, ଯେଉଁଥିରେ ମହାବୀର ଆହତ ହୋଇଥିଲା। ସନ୍ଦେହ -୨ କୌଣସି ପଶୁ ଶିକାର ବେଳେ ଆହତ ହୋଇଥିଲା ମହାବୀର। ବାଘରେ ବେକରେ ୪-୫ ଦିନ ତଳୁ ଘା ହେଲାଣି। ତେଣୁ ତାର ମୁଭମେଣ୍ଟ ମନ୍ଥର ହୋଇଯାଇଥିଲା। ଘା ମୁଣ୍ଡକୁ ମାଡିଯାଇଥିଲା ଏଥିରେ ପୋକ ମାଡ଼ିଯାଇଥିଲେ।
ବାଘର ପୋଷ୍ଟମର୍ଟମ କରାଯାଇଛି। ଏନଟିସିଏର ଡ଼ାକ୍ତର ସୁଜିତ୍ ଙ୍କ ତତ୍ବାବଧାନରେ ଦୁଇଜଣ ଭେଟେନାରୀ ଡ଼ାକ୍ତର, ଦୁଇ ଜଣ ଡ଼ିଏଫଓଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ ହୋଇଛି। ସେପଟେ ୱାଇଲଡ ଲାଇଫ ଇନଷ୍ଟିଚୁଟ ଅଫ୍ ଇଣ୍ଡିଆର ଏକ ଟିମ୍ ସାତକୋଶିଆରେ ପହ୍ଞ୍ଚି ଘଟଣାର ତଦନ୍ତ କରିବ ।
ବାଘ ପାଇଁ ବଦନାମ ହେଲା ଓଡ଼ିଶା। ସୁନ୍ଦରୀ ପାଇଁ ଜଳାପୋଡ଼଼ା ହେଲା। ଖୋଲା ବାଘକୁ ଅଣାଗଲା ଖୁଆଡ଼କୁ। ଦେବ୍ରିଗଡ଼ରେ ବାଘକୁ ମାରି ଦାନ୍ତନଖ ନେଇଗଲେ। ଆଉ ଏବେ ସୁସ୍ଥ ସବଳ ୩ ବର୍ଷର ବାଘ ମହାବୀର ବି ମଲା। ଯେଉଁଥିପାଇଁ ବ୍ୟାଘ୍ର ପ୍ରକଳ୍ପ ସ୍ଥଗିତ ହେଲା। ଆଉ ଏତେସବୁ କାଣ୍ଡ ପରେ ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କର କିନ୍ତୁ ନିଦ ଭାଙ୍ଗିନି।
ସେପଟେ ସୁନ୍ଦରୀ ବି ଅସୁସ୍ଥ ଥିବା ଚର୍ଚ୍ଚା ହେଉଛି। ସୁନ୍ଦରୀକୁ ଦିଆଯାଇଥିବା ଟ୍ରାଙ୍କୁଲାଇଜର ଠିକ୍ ସ୍ଥାନରେ ବାଜିନଥିବା ନେଇ ଆଲୋଚନା ହେଲାଣି ।