ବ୍ୟବଚ୍ଛେଦ ପରେ ବି ମହାବୀର ମୃତ୍ୟୁର କାରଣ ଅସ୍ପଷ୍ଟ ; ତଦନ୍ତ ପାଇଁ ପହଞ୍ଚିଲେ ଏନଟିସିଏ ଓ ଡବ୍ଲୁଆଇଆଇ ଟିମ୍
16/11/2018 at 9:55 AM

ଭୁବନେଶ୍ବର ୧୬|୧୧: ସାତକୋଶିଆ ବାଘ ସଂରକ୍ଷଣ ପ୍ରକଳ୍ପକୁ ଶକ୍ତ ଧକ୍କା । ମହାବୀରର ମୃତ୍ୟୁ ହୋଇଛି ସେପଟେ ସୁନ୍ଦରୀ ଅସୁସ୍ଥ । ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ମହାବୀର ଏବଂ ବାନ୍ଧବଗଡରୁ ସୁନ୍ଦରୀକୁ ଅଣା ଯାଇଥିଲା । କିନ୍ତୁ ଯୋଜନା ଫସର ଫାଟି ଯାଇଛି । ମହାବଳ ମହାବୀର ମୃତ୍ୟୁ ଘଟଣା ରାଜ୍ୟ ବନବିଭାଗ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ସାତକୋଶିଆରେ ମହାବଳ ମହାବୀରର ମୃତ୍ୟୁର ତଦନ୍ତ ହେବ । ଏଥିପାଇଁ ଆଜି ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ)ର ଅଧିକାରୀ ଆସିବେ। ଅନ୍ୟପକ୍ଷରେ ଡେରାଡୁନ ସ୍ଥିତ ଜାତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ଡବ୍ଲୁଆଇଆଇର ଟିମ୍ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଡକ୍ଟର ରମେଶଙ୍କ ନେତୃତ୍ବରେ ଆସିଥିବା ଟିମ୍ ସିଧାସଳଖ ସାତକୋଶିଆ ଯିବେ।
ଗତକାଲି ମହାବୀରର ମୃତଦେହ ବ୍ୟବଚ୍ଛେଦ ହୋଇଛି । ବନବିଭାଗ ପଦାଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ପରେ ପୋଡି ଦିଆଯାଇଛି । ତେବେ ବ୍ୟବଚ୍ଛେଦ ପରେ ବି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତଦନ୍ତ କରିବେ ଏନଟିସିଏ ଓ ଡବ୍ଲୁଆଇଆଇ ଟିମ୍ । ସେପଟେ ସାତକୋଶିଆରେ ପ୍ରୋଜେକ୍ଟ ଟାଇଗରକୁ ସ୍ଥଗିତ ରଖାଯାଇଛି । ତେବେ ଆଗକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଚାଲିବ କି ନାହିଁ ସେନେଇ ଏନଟିସିଏ ଏବଂ ଡବ୍ଲୁଆଇଆଇ ଟିମ୍ ସହ ଆଲୋଚନା ପରେ ସ୍ଥିର ହେବ ।