କରୋନା ପ୍ରଭାବ: ସମଗ୍ର ଦେଶରେ ମେ ଶେଷ ସପ୍ତାହ ପର୍ଯ୍ୟନ୍ତ NEET, JEE ପରୀକ୍ଷା ସ୍ଥଗିତ
27/03/2020 at 8:47 PM

ନୂଆଦିଲ୍ଲୀ ୨୭।୦୩: କରୋନା ସଂକ୍ରମଣ କାରଣରୁ ସମଗ୍ର ଦେଶରେ ହେବାକୁ ଥିବା ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରୀ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି। ସଂପ୍ରତି କରୋନା ସଂକ୍ରମଣର ପ୍ରତିରୋଧ ପାଇଁ ସମଗ୍ର ଦେଶରେ ଲକଡାଉନ୍ କରାଯାଇଛି। ପ୍ରାୟ ସମସ୍ତ ବୋର୍ଡ ନିଜ ପରୀକ୍ଷା ଓ କ୍ଲାସ୍ ସ୍ଥଗିତ ରଖିଛନ୍ତି। ପ୍ରତିଯୋଗୀ ପରୀକ୍ଷାକୁ ମଧ୍ୟ ଟାଳି ଦିଆଯାଇଛି। ନିଟ୍ ୟୁଜି ୨୦୨୦ ପରୀକ୍ଷା ପୂର୍ବରୁ ଜେଇଇ ମେନକୁ ସ୍ଥଗିତ କରାଯାଇଥିଲା ମାତ୍ର ନିଟ୍ ୟୁଜି ୨୦୨୦କୁ ନେଇ ସ୍ଥିତି ଅସ୍ପଷ୍ଟ ଥିଲା। ଏବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ ଟୁଇଟ୍ କରି ମେ ଶେଷ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ କରାଯାଇଥିବା ସୂଚନା ଦେଇଛନ୍ତି।
ଶୁକ୍ରବାର ଆସିବାର ଥିଲା ଆଡମିଟ୍ କାର୍ଡ
ନିଟ୍ ୨୦୨୦ ପାଇଁ ଆଡମିଟ୍ କାର୍ଡ ଶୁକ୍ରବାର ଜାରି କରାଯିବାର ଥିଲା ମାତ୍ର ଏହାକୁ ଏବେ ଘୁଞ୍ଚାଇ ଦିଆଯାଇଛି। ଏନଟିଏ ଅଧିକାରୀ କହିଛନ୍ତି ଯେ, ଏପ୍ରିଲ ୧୪ରେ ସ୍ଥିତି ସମୀକ୍ଷା କରାଯିବ ଏବଂ ପରେ ପ୍ରବେଶିକା ପତ୍ର ଜାରି କରାଯିବା ନେଇ ତାରିଖର ଘୋଷଣା କରାଯିବ। ନିଟ୍ ପରୀକ୍ଷା ଆୟୋଜନ ମେ ୩ରେ ହେବାର ଥିଲା। ଏବେ ନୂତନ ତାରିଖ ଘୋଷଣା କରାଯାଇ ନାହିଁ।

କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟୁଇଟ୍ କରି କହିଛନ୍ତି ଯେ, ସେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ପରୀକ୍ଷା ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ଛାତ୍ରଙ୍କୁ ଘରେ ରହି ଏହି ସମୟକୁ ପ୍ରସ୍ତୁତି ପାଇଁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ,
ମନ୍ତ୍ରଣାଳୟ ସିବିଏସଇ, ଏନଆଇଓଏସ ଓ ଅନ୍ୟ ବୋର୍ଡଙ୍କୁ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।