ଆଉ VIPଙ୍କୁ ମିଳିବନି NSG ସୁରକ୍ଷା, ଜାଣନ୍ତୁ କାହିଁକି

Published By : Prameya-News7 Bureau | January 13, 2020 IST

ନୂଆଦିଲ୍ଲୀ :  ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନଏସଜି)କୁ ଆଉ ଭିଭିଆଇପିଙ୍କ ସୁରକ୍ଷାରେ ମୁତୟନ କରାଯିବନି। ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରାଳୟ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କ ଗାନ୍ଧିଙ୍କ ଏନଏସଜି ସୁରକ୍ଷା ହଟାଇ ଦେଇଥିଲେ। ଏବେ ବାକି ଲୋକଙ୍କୁ ମିଳୁଥିବା ସୁରକ୍ଷା ମଧ୍ୟ ପ୍ରତ୍ୟାହୃତ ହେବ। ଯେଉଁମାନେ ଏହି ସ୍ୱତନ୍ତ୍ର ସୁରକ୍ଷାରେ ଥିଲେ ସେମାନଙ୍କୁ ଅର୍ଦ୍ଧସାମରିକ ବଳ ଯୋଗାଇ ଦେଉଥିବା ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯିବ।

{"id":210792,"width":578,"height":378,"sizeSlug":"large"}

ଦୁଇ ଦଶନ୍ଧି ପରେ  ଭିଭିଆଇପିଙ୍କ ସୁରକ୍ଷାରୁ ହଟିବେ ଏନଏସଜି
ଗୃହମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଆତଙ୍କବାଦ ନିୟନ୍ତ୍ରଣ ଓ ବିମାନ ଅପହରଣ ମୁକାବିଲା ଲାଗି ଦୁଇ ଦଶନ୍ଧୀ ପୂର୍ବେ ଦେଶରେ ଏନଏସଜିର  ପରିକଳ୍ପନା କରାଯାଇଥିଲା। ତେବେ ଏହି ସୁରକ୍ଷା ବ୍ୟବସ୍ଥାକୁ ଦେଶର ଭିଭିଆଇପିଙ୍କ ବ୍ୟବହାରରେ ଲଗାଇ ଦିଆଯାଇଥିଲା। ଏନଏସଜି ଏକ ସୀମିତ ଫୋର୍ସ ହୋଇଥିବା ବେଳେ ଏମାନଙ୍କ ଲାଗି ଅତିବିଶିଷ୍ଟ ଲୋକଙ୍କ ସୁରକ୍ଷା ଏକ ବୋଝ ଭଳି  ହୋଇଛି। ଏହାକୁ ଧ୍ୟାନରେ ରଖି ସରକାର ଏବେ ଏନଏସଜିକୁ ତା ମୂଳ ଉଦ୍ଦେଶ୍ୟ ଲାଗି ବ୍ୟବହାର ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।

{"id":210793,"sizeSlug":"large"}

୧୩ ଜଣ ଭିଆଇପି ଥିଲେ ଏନଏସଜି କଭରରେ
ଏନଏସଜି ବ୍ଲାକ୍ କ୍ୟାଟ୍ କମାଣ୍ଡୋ ୧୯୮୪ ଦଙ୍ଗା ପରେ ଗଠିତ ହୋଇଥିଲା। ତେବେ ସେତେବେଳେ ଭିଆଇପିଙ୍କ ସୁରକ୍ଷା ଏହା ମୂଳ କାର୍ଯ୍ୟପରିସରରେ ନଥିଲା। ହେଲେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଫୋର୍ସକୁ ଦେଶରେ ଭିଭିଆଇପିଙ୍କ ସୁରକ୍ଷାରେ ମୁତୟନ କରିଦିଆଯାଇଥିଲା। ଏବେ ଦେଶର ୧୩ଜଣ ଅତିବିଶିଷ୍ଟ ଲୋକଙ୍କୁ ଏହି ସୁରକ୍ଷା ଉପଲବ୍ଧ ଅଛି। ଏଥିରେ ଜଣକା ପିଛା ଏକ ଡଜନରୁ ଊର୍ଦ୍ଧ୍ୱ ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ ମୁତୟନ ରହୁଥିବା ବେଳେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ, ମୁଲାୟମ ସିଂ ଯାଦବ, ଚନ୍ଦ୍ରବାବୁ ନାୟଡୁ, ପ୍ରକାଶ ସିଂ ବାଦଲ, ଫାରୁଖ ଅବଦୁଲ୍ଲା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଓ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡୱାଣୀ ଏହି ସୁରକ୍ଷାରେ ରହୁଛନ୍ତି।

{"id":210794,"sizeSlug":"large"}

ଭିଆଇପିଙ୍କ ସୁରକ୍ଷାରୁ ନିବୃତ୍ତ ହେବା ପରେ ଏନଏସଜି କମାଣ୍ଡୋମାନଙ୍କୁ ସେମାନଙ୍କ ମୂଳ ଠିକଣାରେ ପଠାଇ ଦିଆଯିବ। ତେବେ ଆବଶ୍ୟକତା ପଡିଲେ ସେଠାରୁ ସେମାନଙ୍କ ସେବା ନିଆଯାଇପାରିବ। ତେବେ ଭିଭିଆଇପିଙ୍କ ସୁରକ୍ଷା ଲାଗି ସିଆରପିଏଫ ଓ ସିଆଇଏସଏଫ ସୁରକ୍ଷା କର୍ମୀ ତୁଲାଇପାରିବେ ବୋଲି କେନ୍ଦ୍ର ସରକାର ଏବେ ବିଚାର କରୁଛନ୍ତି। ଏହି ଅର୍ଦ୍ଧ ସାମରିକ ବଳ ଏବେ ଦେଶର ୧୩୦ ଜଣ ହାଇ ପ୍ରୋଫାଇଲ ଲୋକଙ୍କୁ ସୁରକ୍ଷା ଯୋଗାଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.