NRI ମହିଳାଙ୍କୁ ମହଙ୍ଗାପଡିଲା ସୋସିଆଲ ମିଡିଆରେ ‘ମେରା ଭାରତ ମହାନ’ ଭିଡିଓ , ନ୍ୟୁଜର୍ସିରେ ରୁଜୁ ହେଲା ମାମଲା
13/04/2020 at 4:50 PM

ନ୍ୟୁଜର୍ସି: ମହାମାରୀ ରୂପ ନେଇସାରିଥିବା କରୋନା ସଂକ୍ରମଣ ଏବେ ଆମେରିକାରେ ଭୟାନକ ରୂପ ଧାରଣ କରିଛି। ସାରା ଦେଶରେ ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଲାଣି। ଏଥିରେ ଆମେରିକାର ପ୍ରସ୍ତୁତି ସମୀକ୍ଷା କରିବା ଯୋଗୁ ନ୍ୟୁଜର୍ସିରେ ରହୁଥିବା ତେଲେଙ୍ଗାନାର ଜନୈକ ପ୍ରବାସୀ ଭାରତୀୟ ମହିଳାଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି। କରୋନାକୁ ନେଇ ବିବାଦୀୟ ବୟାନ ଲାଗି ତାଙ୍କ ବିରୋଧରେ ପୋଲିସ ମୋକଦ୍ଦମା ରୁଜୁ କରିଥିବା ଜଣାପଡିଛି।

ଆମେରିକାରେ କରୋନା ମୁକାବିଲା ଲାଗି କରାଯାଇଥିବା ବ୍ୟବସ୍ଥାନେଇ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ କେହି ଜଣେ ଏ ନେଇ ନ୍ୟୁଜର୍ସି ପ୍ରଶାସନକୁ ସୂଚିତ କରିବାରୁ ମୋକଦ୍ଦମା ରୁଜୁ ହୋଇଥିବା ଜଣାପଡିଛି। ଏନଆରଆଇ ମହିଳା ସ୍ୱାତୀ ଦେବୀନେନୀ ବୋଲି ଜଣାପଡିଛି। ନ୍ୟୁଜର୍ସିରେ ରହୁଥିବା ଶ୍ରବଣ ନାମକ ଜନୈକ ଏନଆରଆଇ ଭିଡିଓ ସମ୍ପର୍କରେ ଅଭିଯୋଗ କରିବା ପରେ ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛି।
ସ୍ୱାତୀ ତେଲେଙ୍ଗାନା ଖମ୍ମମ ଜିଲ୍ଲାର ବାସିନ୍ଦା। ସେ ଗତ ୧ ବର୍ଷ ହେବ ସ୍ୱାମୀଙ୍କ ସହ ଆମେରିକାରେ ଅବସ୍ଥାନ କରୁଛନ୍ତି। ସ୍ୱାତୀ ଆମେରିକା ଯିବା ପୂର୍ବରୁ ତେଲଗୁ ଗଣାଧ୍ୟମରେ କାମ କରୁଥିଲେ। ତେବେ ତାଙ୍କ ସ୍ୱାମୀ ଜଣେ ସଫ୍ଟୱେର ଇଞ୍ଜିନିୟର। ସ୍ୱାତୀ ଟ୍ୱିଟ୍ କରିଥିବା ଭିଡିଓରେ ଆମେରିକା ଏକ ଶକ୍ତିଶାଳୀ ଦେଶ ହୋଇ ମଧ୍ୟ କରୋନା ମୁକାବିଲାରେ ବିଫଳ ହୋଇଥିବା କହିଛନ୍ତି। ହେଲେ ଭାରତ ଏକ ଅନୁନ୍ନତ ଦେଶ ହୋଇଥିଲେବି କରୋନାକୁ ଆୟତ୍ତ କରିବାରେ ସଫଳ ହୋଇଥିବାର କହୁଥିବା ଦେଖାଯାଇଛି। କାରଣ କରୋନାର ଭୟାବହତାକୁ ଭାରତ ଠିକ୍ ଭାବେ ଆକଳନ କରି ସହ ଅଗ୍ରୀମ ପଦକ୍ଷେପ ନେବା ଯୋଗୁ ଏହା ସମ୍ଭବ ହୋଇ ପାରିଥିବା ସେ କହିଥିବା ବେଳେ ଉଚ୍ଚତର ସ୍ୱାସ୍ଥ୍ୟ ସେବା ସୁବିଧା ଥାଇ ମଧ୍ୟ ଆମେରିକା ସରକାର ଭୂତାଣୁ ସଂକ୍ରମଣ ଓ ଚିକିତ୍ସାରେ ବିଫଳ ବୋଲି କହୁଥିବା ଭିଡିଓରେ ଦେଖାଯାଇଛି।
ତେବେ ତେଲଗୁ ଟେଲିଭିଜନରେ ଆଙ୍କର ଭାବେ କାମକରିଥିବା ସ୍ୱାତୀ ତାଙ୍କର ଏହି ଭିଡିଓ ନେଇ ସ୍ପଷ୍ଟିକରଣ ଦେଇଛନ୍ତି। ତାଙ୍କର ଏହି ଭଡିଓଟି ଅନେକ ସମୟ ପୂର୍ବର ଓ ପବ୍ଲିକ୍ ଡୋମେନରେ ଥିଲା ବୋଲି କହିଛନ୍ତି। ଯାହାକୁ ସେ ଅନ୍ୟ ସ୍ଥାନରୁ ପଢିଥିଲେ। ଏଥିରେ ସେ ଆମେରିକାକୁ ନିଚା ଦେଖାଇବାକୁ ନୁହେଁ ବରଂ କୋଭିଡ-୧୯ ବିରୋଧରେ ଭାରତର ପ୍ରସ୍ତୁତିର ତାରିଫ ଲାଗି କରାଯାଇଥିଲା ବୋଲି କହିଛନ୍ତି। ହେଲେ କେହି ଜଣେ ତାଙ୍କର ବିନାନୁମତିରେ ଭିଡିଓକୁ ଡାଉନଲୋଡ କରି ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିବା ଅଭିଯୋଗ କରିଛନ୍ତି।