ଏବେ ସପ୍ତାହକୁ ସାଢେ ଚାରିଦିନ କାମ କରିବେ କର୍ମଚାରୀ, ସରକାର ନେଲେ ଐତିହାସିକ ନିଷ୍ପତ୍ତି

Published By : Prameya-News7 Bureau | December 07, 2021 IST

ଦୁବାଇ ୦୭/୧୨ : କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର। ଏବେ ସପ୍ତାହକୁ ସାଢ଼େ ଚାରିଦିନ କାମ କରିବେ। ଏମିତି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସର(UAE) ସରକାର। ସରକାରୀ କର୍ମଚାରୀମାନଙ୍କ ପାଇଁ ଏହି ନୂଆ ନିୟମ ଲାଗୁ କରାଯାଇଛି। ସେଠାକାର ସରକାରୀ ସୂତ୍ର ଅନୁସାରେ ଏବେ ପ୍ରତ୍ୟେକ ସପ୍ତାହର ଶୁକ୍ରବାର ମଧ୍ୟାହ୍ନରୁ ପୁରା ରବିବାର ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି।

ଜଣେ ସ୍ଥାନୀୟ ସରକାରୀ ଅଧିକାରୀ କହିଛନ୍ତି UAE ବିଶ୍ୱର ପ୍ରଥମ ରାଷ୍ଟ୍ର ହେବ ଯେଉଁଠି ଶନିବାର ଏବଂ ରବିବାର କର୍ମଚାରୀଙ୍କ ପାଇଁ ପଂପୂର୍ଣ୍ଣ ଛୁଟି ରହିବ। ଆସନ୍ତା ଜାନୁଆରୀ ୨୦୨୨ ମସିହାରୁ ଜାତୀୟ କାର୍ଯ୍ୟ ସପ୍ତାହ ଆରମ୍ଭ ହେବ । ଏହି ନୂଆ ନିୟମ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ହେବ।

ପ୍ରକାଶିତ ରିପୋର୍ଟ ଅନୁସାରେ ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ୟୁଏଇ ଏକମାତ୍ର ରାଷ୍ଟ୍ର ହେବ ଯେଉଁଠି ଶନିବାର ଓ ରବିବାର ପୁରା ଛୁଟି ଦିଆଯାଉଛି। ଆରବ ଦେଶକୁ ଛାଡ଼ିଦେଲେ ମଧ୍ୟ ଅନ୍ୟ ଦେଶରେ ଏହି ନିୟମ ରହିଛି। କିନ୍ତୁ ଏବେ ଆରବ ମଧ୍ୟ ସେହି ଦେଶମାନଙ୍କ ସହଯୋଗ ଦେବ। ମୁସଲମାନ ଧର୍ମାବଲମ୍ବୀ ମାନଙ୍କର ଶୁକ୍ରବାର ଦିନ ପବିତ୍ର ଓ ପ୍ରାର୍ଥନା ଦିବସ ରୂପେ ପାଳନ କରାଯାଏ । ସେଥିପାଇଁ ଶୁକ୍ରବାର ଦ୍ୱିପ୍ରହରରୁ ଏହି ସାପ୍ତାହିକ ଛୁଟି ଘୋଷଣା କରାଯାଇଛି।

ସମସ୍ତ ସରକାରୀ କାର୍ଯ୍ୟାଳୟରେ ୨୦୨୨ ମସିହା ଆରମ୍ଭରୁ ଏହି ନିୟମ ଲାଗୁହେବା ସହ କାର୍ଯ୍ୟ କରିବାର ସମୟ ଆଠ ଘଣ୍ଟା ରହିବ ବୋଲି ୟୁଏଇ ଗଣମାଧ୍ୟମର ଟ୍ୱିଟର ହ୍ୟାଣ୍ଡେଲରୁ ଜଣା ପଡ଼ିଛି। ବେସରକାରୀ କାର୍ଯ୍ୟାଳୟରେ ଏହି ନିୟମ ପାଳନ ହେବ କି ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.