ସିଦ୍ଧୁଙ୍କ ପରେ ଏବେ ଶତ୍ରୃଘ୍ନ ସିହ୍ନା ପହଞ୍ଚିଲେ ପାକିସ୍ତାନ : ଭେଟିଲେ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ

Published By : Prameya-News7 Bureau | February 23, 2020 IST

ଇସଲାମାବାଦ  ୨୩/୨: କଂଗ୍ରେସ୍ ନେତା ନବଜ୍ୟୋତ ସିଂହ ସିଦ୍ଧୁ ପାକିସ୍ତାନ ଯିବାକୁ ନେଇ ବିବାଦ ଥମିନଥିବାବେଳେ ଏବେ ପାର୍ଟିର ଆଉ ଜଣେ ନେତା ଶତ୍ରୃଘ୍ନ ସିହ୍ନା ପାକ୍ ପହଞ୍ଚି ସମସ୍ୟାକୁ ଆମନ୍ତ୍ରଣ କରିଛି। ଭାଜପା ଛାଡ଼ି କଂଗ୍ରେସର ହାତ ଧରିଥିବା ସିହ୍ନା ପ୍ରକୃତରେ ଏକ ବିବାହ ସମାରୋହରେ ଯୋଗ ଦେବାକୁ ପାକିସ୍ତାନ ଯାଇଥିଲେ। କିନ୍ତୁ ଶନିବାର ସେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଶତ୍ରୃଘ୍ନ ସିହ୍ନା ଏବଂ ତାଙ୍କ ପାର୍ଟି ପାଇଁ ସମସ୍ୟା ସୃଷ୍ଟି କରିଛି।

ପାକିସ୍ତାନ ରାଷ୍ଟ୍ରପତି ସାକ୍ଷାତ ପରେ କହିଛନ୍ତି ଯେ କଂଗ୍ରେସ୍ ନେତା କାଶ୍ମୀରର ସ୍ଥିତି ଉପରେ ତାଙ୍କର ଚିନ୍ତା ଉପରେ ସମର୍ଥନ ଜଣାଇଛନ୍ତି। ପାକିସ୍ତାନ ରାଷ୍ଟ୍ରପତି କାର୍ଯ୍ୟାଳୟରୁ ଟ୍ବିଟ୍ କରିଛନ୍ତି,‘ଭାରତୀୟ ନେତା ଶତ୍ରୃଘ୍ନ ସିହ୍ନା ରାଷ୍ଟ୍ରପତି ଆରିଫ ଅଲଭିଙ୍କ ସହ ଲାହୋରରେ ଆଜି ସାକ୍ଷାତ କରିଛନ୍ତି। ସେ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠାର ମହତ୍ତ୍ବ ବିଷୟରେ ଚର୍ଚ୍ଚା କରିଥିଲେ। ସିହ୍ନା କାଶ୍ମୀରରେ ୨୦୦ରୁ ଅଧିକ ଦିନର ଲକଡାଉନରେ ରାଷ୍ଟ୍ରପତିଙ୍କ ଚିନ୍ତାକୁ ସମର୍ଥନ କରିଛନ୍ତି।

ଶତ୍ରୃଘ୍ନ ସିହ୍ନା ଏହି ଗସ୍ତକୁ ପୂରାପୂରି ବ୍ୟକ୍ତିଗତ କହିଛନ୍ତି ଏବଂ କହିଛନ୍ତି ଯେ ଏହା ସହ ରାଜନୀତିର କୌଣସି ସମ୍ପର୍କ ନାହିଁ। ଏହା ପୂର୍ବରୁ ସିଦ୍ଧୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ,ଯାହା ପରେ କଂଗ୍ରେସକୁ ଅନେକ ବିବାଦର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତାଙ୍କୁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ କମର ଜାଭେଦ ବାଜଓ୍ବାଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.