ଭୁବନେଶ୍ୱରରେ ଖୋଲା ମଳମୂତ୍ର ତ୍ୟାଗ ହେଲା ନିଷିଦ୍ଧ, ଏଣିକି ଦେବାକୁ ପଡିବ ଏତିକି ଜରିମନା

Published By : Prameya-News7 Bureau | November 16, 2019 IST

ଭୁବନେଶ୍ୱର ୧୬।୧୧: ରାଜଧାନୀ ସହର ଭୁବନେଶ୍ୱରରେ ଏଣିକି ଆଉ କେହି ଖୋଲାରେ ମଳମୂତ୍ର ତ୍ୟାଗ କରିପାରିବେ ନାହିଁ। ଏଥିଲାଗି ବିଏମସି କର୍ତ୍ତୃପକ୍ଷ ଶନିବାର କଟକଣା ଜାରୀ କରିଛନ୍ତି। ଖୋଲା ସ୍ଥାନ, ରାସ୍ତାକଡରେ ମଳମୂତ୍ର ତ୍ୟାଗ କଲେ ଜରିମାନା ଦେବାକୁ ପଡିବ। ଏହି ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ସୁରଥ ମଲ୍ଲିକ। କଠିନ ବର୍ଯ୍ୟବସ୍ତୁ ପରିଚାଳନା ଆଇନ ଅନୁସାରେ ଏହି କଟକଣା ଲାଗୁ କରାଯାଇଥିବା ମଲ୍ଲିକ କହିଛନ୍ତି।

{"id":185243,"sizeSlug":"large"}

ଦେଶର ଅନ୍ୟ ସହରାଞ୍ଚଳମାନଙ୍କରେ ଖୋଲାରେ ମଳମୂତ୍ର ତ୍ୟାଗ ଉପରେ କଟକଣା ରହିଛି। ହେଲେ ଏପର୍ଯ୍ୟନ୍ତ ଭୁବନେଶ୍ୱର ପୌରପାଳିକା ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ଏଣୁ ଲୋକେ ମନଇଛା ଖୋଲାସ୍ଥାନରେ ଶୌଚ ହେବା ଏକ ନିତିଦିନିଆ କଥା ଥିଲା। ରାସ୍ତାଘାଟରେ ଯିବା ଆସିବା ବେଳେ ଲୋକେ ରାସ୍ତାକଡରେ ନିର୍ବିବାଦରେ ମୂତ୍ର ଉତ୍ସର୍ଜନ କରୁଥିଲେ। ତେବେ ଏଣିକି ଏଭଳି କାର୍ଯ୍ୟ ଲାଗି ଲୋକଙ୍କୁ ଜରିମାନା ଗଣିବାକୁ ପଡିବ।

{"id":185244,"sizeSlug":"large"}

ଖୋଲା ସ୍ଥାନରେ ମଳତ୍ୟାଗ ଲାଗି ବିଏମସି ୨୦୦ ଟଙ୍କା ଜରିମନା ନିର୍ଦ୍ଧାରଣ କରିଛନ୍ତି। ସେହିପରି ମୂତ୍ର ଉତ୍ସର୍ଜନ ଲାଗି ଦେଢଶହ ଟଙ୍କା ଜରିମାନା ହେବ। ଏଣୁ ରାସ୍ତାଘାଟରେ ଯିବା ବେଳେ, ସରକାରୀ ହସ୍ପିଟାଲ ଓ ଅନ୍ୟ  ସରକାରୀ କାର୍ଯ୍ୟାଳୟ ପରିସର ଭିତର ଅଥବା ବାହାରେ ଖୋଲାରେ ମଳମୂତ୍ର ତ୍ୟାଗ କରିବା ନିଷିଦ୍ଧ ଘୋଷଣା କରାଯାଇଛି। ଏଥିଲାଗି ଲୋକେ ସହରର ବିଭିନ୍ନ ରାସ୍ତା ଓ ପରିସରରେ ପୌରପାଳିକା ପକ୍ଷରୁ ସ୍ଥାପିତ ଶୌଚାଳୟ ଅଥବା  ସୁଲଭ ଶୌଚାଳୟ ବ୍ୟବହାର କରିପାରିବେ ବୋଲି ଅତିରିକ୍ତ କମିଶନର କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.