ଏବେ ଗାଡିରେ ଲଗାଇବାକୁ ପଡିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେସନ୍

Published By : Prameya-News7 Bureau | October 04, 2020 IST

ନୂଆଦିଲ୍ଲୀ, ୦୪/୧୦: ଦେଶର ସମସ୍ତ ଗାଡିରେ ଆଉ ଚଳିବନି ସାଧାରଣ ନମ୍ବର ପ୍ଲେଟ୍ । ଏବେ ଲଗାଇବାକୁ ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ । ଦୁଇଚକିଆ ବାହନ ହେଉ କିମ୍ବା ଚାରିଚକିଆ, ଆପଣଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ପଡିବ । ଏହା ସହିତ ସରକାରଙ୍କ ନିର୍ଦ୍ଧାରିତ କଲର କୋଡ୍ ଷ୍ଟିକର୍ସ ମଧ୍ୟ ବ୍ୟବହାର କରିବାକୁ ହେବ ।

ଏହି ନମ୍ବର ପ୍ଲେଟ୍ ପ୍ରତି ରାଜ୍ୟରେ ଅଟୋମୋବାଇଲ୍ ଡିଲର୍ସଙ୍କ ଦ୍ୱାରା ହିଁ ଲଗାଯିବ । ଗ୍ରାହକ ନିଜ ନମ୍ବର ପ୍ଲେଟ ପାଇଁ ନିଜ ରାଜ୍ୟର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଅର୍ଥାତ୍ ଏଚଏସଆରପି (HSRP) ର ପୋର୍ଟଲରେ ରେଜିଷ୍ଟର (Online registration for High Security Number Plate) କରିପାରିବେ । ଏହା ସହିତ ରେଜିଷ୍ଟ୍ରେସନର ଅନଲାଇନ୍ ପ୍ରକ୍ରିୟାରେ ନିଜ ଷ୍ଟାଟସ୍ ମଧ୍ୟ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ରେଜିଷ୍ଟ୍ରେସନ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ଏବଂ ଏହାକୁ କେମିତି କରିବେ ।

ହାଇ ସିକ୍ୟେରିଟି ନମ୍ବର ପ୍ଲେଟ୍ପାଇଁ କେମିତି କରିବେ ଆବେଦନ

ଏହି ରେଜିଷ୍ଟ୍ରେସନ ପ୍ରକ୍ରିୟା ସମସ୍ତ ରାଜ୍ୟ ପାଇଁ ସମାନ ନୁହେଁ ।  କିନ୍ତୁ ଏହି ଉଦାହରଣରେ ଆପଣ ଆକଳନ କରିପାରିବେ ଯେ କେମିତି ଅନଲାଇନ୍ ଆବେଦନ କରାଯିବ । ଏଥିପାଇଁ ପ୍ରଥମେ ନିଜ ରାଜ୍ୟର ଅଫିସିଆଲ୍ ଏଚଏସଆରପି ୱେବସାଇଟକୁ ଯାଆନ୍ତୁ । ସେଠାରେ ଆପଣ ନିଜ ଗାଡି ସହିତ ଜଡିତ ସମସ୍ତ ସୂଚନା ଦେବାକୁ ହେବ । ଯେମିତିକି ଆପଣଙ୍କ ଗାଡି ପ୍ରାଇଭେଟ୍ କିମ୍ବା କମର୍ସିଆଲ୍, ଦୁଇଚକିଆ କିମ୍ବା ଚାରିଚକିଆ, କେଉଁ କମ୍ପାନୀର ଗାଡି, ଗାଡିର ନମ୍ବର କଣ ଆଦି ସୂଚନା ଦେବାକୁ ହେବ । ସେଠାରେ ଆପଣଙ୍କୁ ନିଜ ଡିଲର ମଧ୍ୟ ଚୟନ କରିବାକୁ ହେବ ଯାହାଠୁ ଆପଣ ଗାଡି କିଣିଛନ୍ତି ଅର୍ଥାତ୍ ଯିଏ ଆପଣଙ୍କ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବ ।

ଆପଣଙ୍କୁ ନିଜ ରାଜ୍ୟର ଏଚଏସଆରପି ୱେବସାଇଟ୍ ଲିଙ୍କ୍ ଜାଣିବା ପାଇଁ କଷ୍ଟମର କେୟାର ନମ୍ବର ୦୧୧-୪୭୫୦୪୭୫୦ ରେ ଫୋନ୍ କରିବାକୁ ପଡିବ । ଆପଣ ଏହି ନମ୍ବରରେ ଫୋନ୍ କରି ସୂଚନା ପାଇପାରିବେ । ଆପଣ [email protected],[email protected] କିମ୍ବା [email protected] ରେ ମଧ୍ୟ ଇମେଲ୍ କରି ଜାଣିପାରିବେ ଯେ ଆପଣଙ୍କ ରାଜ୍ୟର ଏଚଏସଆରପି ୱେବସାଇଟ୍ ଲିଙ୍କ୍ କଣ ଏବଂ କେତେ ଟଙ୍କା ଖର୍ଚ୍ଚ ହେବ । ଚାରିଚକିଆ ବାହନ ପାଇଁ ରେଜିଷ୍ଟ୍ରେସନ ଫିସ୍ ୬୦୦ ଟଙ୍କାରୁ ଆରମ୍ଭ କରି ୧୧୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବାବେଳେ ଦୁଇଚକିଆ ବାହନ ପାଇଁ ୩୦୦-୪୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.