ଦେଶ ଏକ କଠିନ ସମୟ ଦେଇ ଗତି କରୁଛି, ହିଂସାର ମାତ୍ରା ଢେର ଅଧିକ : ଚିନ୍ତା ପ୍ରକଟ କଲେ ପ୍ରଧାନ ବିଚାରପତି, ସିଏଏର ଜରୁରୀ ଶୁଣାଣିକୁ କହିଲେ ନା’
9/01/2020 at 8:17 PM

ନୂଆଦିଲ୍ଲୀ ୦୯/୦୧- ଦେଶରେ ସାଂପ୍ରତିକ ହିଂସା ଏବଂ ଆନ୍ଦୋଳନ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନ ବିଚାରପତି । କହିଛନ୍ତି, ଦେଶରେ ଏବେ ହିଂସାର ମାତ୍ରା ଢେର ଅଧିକ। ଦେଶ ଏକ କଠିନ ସମୟ ଦେଇ ଗତି କରୁଛି । ତେବେ ଏହି ସ୍ଥିତିର ଶେଷ ଶାନ୍ତିରେ ହିଁ ରୂପାନ୍ତରିତ ହେବା ଉଚିତ୍ । ନାଗରିକତା ସଂଶେୋଧନ ଆଇନକୁ ସାମ୍ବିଧାନିକ ଘୋଷଣା କରିବା ଦାବିରେ ଆଗତ ମାମଲାର ଜରୁରୀ ଶୁଣାଣି ପାଇଁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରି ଏହା କହିଛନ୍ତି ଜଷ୍ଟିସ ଏସ.ଏ. ବୋବଡେ ।

ଦେଶରେ ସିଏଏ ଏବଂ ଏନଆରସି ବିରୋଧରେ ଆନ୍ଦୋଳନ ଜାରି ରହିଛି । ଗଣ୍ଡଗୋଳ ସହ ହିଂସା , ଅରାଜକତା ଅବ୍ୟାହତ ରହିଥିବାରୁ ଚିନ୍ତାପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଏହ ପରିପ୍ରେକ୍ଷୀରେ ଗୁରୁବାର ସିଏଏ ସଂପର୍କିତ ଜରୁରୀ ଶୁଣାଣିକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ କହିଛନ୍ତି , କୌଣସି ଆଇନର ବୈଧତା ନିରୂପମ କରିବା ଅଦାଲତଙ୍କ କାର୍ଯ୍ୟ , କିନ୍ତୁ କୌଣସି ଆଇନକୁ ସାମ୍ବିଧାନୀକ ବୋଲି ଘୋଷଣା କରିବା ତାଙ୍କ କାମ ନୁହେଁ ।
ସିଏଏ କୁ ସାମ୍ବିଧାନିକ ଘୋଷଣା ଲାଗି ଆଗତ ଆବେଦନ ନେଇ ପ୍ରଧାନ ବିଚାରତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବିସ୍ମୟ ପ୍ରକାଶ କରିଥିଲେ । ଖଣ୍ଡପୀଠ କହିଥିଲେ, ଏହା ସେମାନେ ପ୍ରଥମଥର ଲାଗି ଅନୁଭବ କରୁଛୁ ଯେ, ଜଣେ କେହି ଏକ ଆଇନକୁ ସାମ୍ବିଧାନୀକ ଘୋଷଣା କରିବାକୁ ଅନୁମତି ଲୋଡୁଛନ୍ତି । ଏହା ଏପରି ପ୍ରଥମ ଘଟଣା ବୋଲି କହିଛନ୍ତି ଖଣ୍ଡପୀଠ । ଏହି ଖଣ୍ଡପୀଠରେ ପ୍ରଧାନବିଚାରପତିଙ୍କ ସହ ବିଚାରପତି ବି.ଆର୍. ଗବାଇ ଏବଂ ବିଚାରପତି ସୂର୍ଯ୍ୟ କାନ୍ତ ସାମିଲ ଅଛନ୍ତି ।ତେବେ ତିନିଜଣିଆ ଖଣ୍ଡପୀଠ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯେତେବେଳେ ହିଂସା ବନ୍ଦ ହେବ ସେବେ କୋର୍ଟ ସିଏଏର ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ମାମଲାର ଶୁଣାଣି କରିବେ ।

ଆଇନଜୀବୀ ବିନୀତ ଧଣ୍ଡା ଙ୍କ ଆବେଦନକୁ ଦେଖି କୋର୍ଟ ଏହି ମତ ରଖିଛନ୍ତି । ଆଡଭୋକେଟ ଧଣ୍ଡା ସିଏଏକୁ ସାମ୍ବିଧାନୀକ ଘୋଷଣା କରିବା ଏବଂ ସବୁ ରାଜ୍ୟକୁ ସେହି ଆଇନ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆବେଦନକରିବାସହ ସେହି ଆବେଦନକୁ ଶୁମାଣି ପାଇଁ ଲିଷ୍ଟିଂ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ ।ଏହା ସହ ଏହି ଆଇନ ବିରୋଧରେ କିଛି କର୍ମୀ ବା ଆକ୍ଟିଭିଷ୍ଟ, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ଗୁଜବ ସୃଷ୍ଟି କରୁଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଲାଗି ମଧ୍ୟ ଆଡଭୋକେଟ ଧଣ୍ଡା ତାଙ୍କ ଆବେଦନରେ ଆନୁରୋଧ କରିଥିଲେ । ଗତ ଡିସେମ୍ବର ୧୮ ତାରିଖରେ କୋର୍ଟ ସିଏଏର ସାମ୍ବିଧାନୀକ ବୈଧତା ନେଇ ଯାଞ୍ଚ କରିବେ ବୋଲି ସମ୍ମତ ହୋଇଥିଲେ , କିନ୍ତୁ ସିଏଏର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଥିଲେ ।

ଏହି ନୂତନ ସଂଶୋଧିତ ଆଇନରେ ଶିଖ୍ , ବୌଦ୍ଧ, ଖ୍ରୀଷ୍ଟିଆନ, ଜୈନ ଏବଂ ପାର୍ସି ଆଦି ଅଣ ମୁସଲିମ୍ ଶରଣାର୍ଥୀଙ୍କୁ ନାଗରିକତା ଦେବାର ବ୍ୟବସ୍ଥା ଅଛି, ଯେଉଁମାନେ କି ୨୦୧୪ ଡିସେମ୍ବରରେ କିମ୍ବା ତା ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତ ଆସିଛନ୍ତି । ପ୍ରଧାନ ବିଚାରପତିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏପରି ମୋଟ ୫୯ ଟି ପିଟିସନର ଶୁଣାଣି ଆସନ୍ତା ୨୨ ତାରିଖରେ କରିବାକୁ ଧାର୍ଯ୍ୟ କରିଛନ୍ତି । ସେଥିରେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍ ଏବଂ କଂଗ୍ରେସ ନେତା ଜୟରାମ ରମେଶଙ୍କ ଆବେଦନ ମଧ୍ୟ ରହିଛି ।

ପ୍ରକାଶ ଯୋଗ୍ୟ ଯେ, ଦେଶରେ ସିଏଏ ଏବଂ ଏନଆରସି ବିରୋଧି ହିଂସା ଏବଂ ଗଣ୍ଡଗୋଳରେ ୧୯ ଜଣଙ୍କ ପ୍ରାଣ ଗଲାଣି । ଯଦିଓ ଏହି ସଂଖ୍ୟା ଅଧିକ ହେବ ବୋଲି ବିୋଧି ଦାବି କରନ୍ତି । ଅନ୍ୟପକ୍ଷରେ ୧୨୦୦ରୁ ଅଦିକଙ୍କୁ ଗିରଫ କରାଯାଇଥିବା ବେଳେ ୫୫୫୮ ଜଣଙ୍କୁ ଅଟକ ରଖାଯାଇଛି ।