ଏବେ ମେଡ଼ିକାଲ- ଇଞ୍ଜିନିୟରିଂ ପାଠପଢ଼ା ଓଡିଆ ଭାଷାରେ, ନୂଆ ଶିକ୍ଷାନୀତିରେ ଚାଲିଛି ଖସଡ଼ା ପ୍ରସ୍ତୁତ

Published By : Prameya-News7 Bureau | October 23, 2020 IST

ଭୁବନେଶ୍ଵର ୨୩।୧୦:  ଏବେ ମେଡ଼ିକାଲ- ଇଞ୍ଜିନିୟରିଂ ପାଠପଢ଼ା ମାତୃଭାଷାରେ ହେବ। କେନ୍ଦ୍ର ସରକାର ଏମିତି କିଛି ଯୋଜନା ରଖିଛନ୍ତି। ଆଜି ବିହାରରେ ନିର୍ବାଚନ ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି କିଛି ସୂଚନା ଦେଇଛନ୍ତି। ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ସୂଚନା ଦେଇଥିଲେ ଜେଇଇ ପରୀକ୍ଷା ବିଭିନ୍ନ ଆଞ୍ଚଳିକ ଭାଷାରେ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ।

{"id":349644,"sizeSlug":"large"}

ମେଡ଼ିକାଲ ଇଞ୍ଜିନିୟରିଂ ସହିତ ସମସ୍ତ ବୈଷୟିକ ଶିକ୍ଷା ଏବେ ଆଞ୍ଚଳିକ ଭାଷାରେ ହେବ। ମାନେ ଛାତ୍ରଛାତ୍ରୀ ଏବେ ଡାକ୍ତରୀ ପାଠ ଇଞ୍ଜିନିୟରିଂ ପାଠ ଓଡ଼ିଆରେ ପଢ଼ିପାରିବେ। ନୂଆ ଶିକ୍ଷାନୀତି ଅନୁସାରେ ଏମିତି କିଛି ଶିକ୍ଷା ଖସଡ଼ା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର। ବିହାର ଶାଶାରାମରେ ନିର୍ବାଚନ ପ୍ରଚାର ସମୟରେ ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ଗତକାଲି ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଧ୍ୟ ଅନୁରୂପ ଘୋଷଣା କରିଥିଲେ। ଟ୍ବିଟ କରି ସୂଚନା ଦେଇଥିଲେ ଯେ ଜେଇଇ ପରୀକ୍ଷାକୁ ଅଧିକରୁ ଅଧିକ ଆଞ୍ଚଳିକ ଭାଷାରେ କରାଯିବ। ଏହାଦ୍ବାରା ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ବୁଝିବାରେ ସକ୍ଷମ ହେବେ ବୋଲି ମନ୍ତ୍ରୀ ନିଶଙ୍କ ସୂଚନା ଦେଇଥିଲେ।

{"id":349645,"sizeSlug":"large"}

ଗତ କିଛି ବର୍ଷ ଧରି ମେଡ଼ିକାଲ ଇଞ୍ଜିନିୟରିଂ ଭଳି ବୈଷୟିକ ପାଠ୍ୟକ୍ରମ ଇଂରାଜୀରେ ପଢ଼ିବା ନେଇ ଅଭ୍ୟାସରେ ପଡ଼ିଯାଇଥିଲେ ଛାତ୍ରଛାତ୍ରୀ। ଏବେ ଇଂରାଜୀ ସହିତ ହିନ୍ଦି ,ଗୁଜରାଟୀ ଭାଷାରେ ଜେଇଇ ପ୍ରଶ୍ନପତ୍ର ଉପଲବ୍ଧ ହେଉଥିଲା। ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଦି ଗୁଜରାଟିରେ ଜେଇଇ ପରୀକ୍ଷା ହେଉଛି ତେବେ ଅନ୍ୟ ଭାଷାରେ କାହିଁକି ହେବନାହିଁ ବୋଲି ପ୍ରଶ୍ନ କରିଥିଲେ। ତେବେ ଏନେଇ ଅଧିକ ରାଜନୀତି ହେବା ପୂର୍ବରୁ ଆଞ୍ଚଳିକ ଭାଷାରେ ପାଠ ଘୋଷଣାରେ ଆଗକୁ ଆସିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ନେଇ ଦେଖାଦେଇଛି ରାଜନୈତିକ ବୟାନବାଜୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.