ନିଷ୍ପତ୍ତି ବଦଳାଇଲେ ସରକାର, ସଂସଦ ମୌସୁମୀ ଅଧିବେଶନରେ ରହିବ ପ୍ରଶ୍ନକାଳ, କିନ୍ତୁ କମିବ ଅବଧି

Published By : Prameya-News7 Bureau | September 03, 2020 IST

ନୂଆଦିଲ୍ଲୀ ୩।୯: ସଂସଦର ମୌସୁମୀ ଅଧିବେଶନ ରେ ଏଥର ପ୍ରଶ୍ନକାଳ ରଦ୍ଦ କରିବା ନିଷ୍ପତ୍ତିରୁ ସରକାର ଏବେ ୟୁ-ଟର୍ଣ୍ଣ ନେଇଛନ୍ତି । ବିରୋଧୀଙ୍କ ସହ ଆଲୋଚନା ପରେ ଏବେ ସରକାର ସୀମିତ ସଂଖ୍ୟାରେ ପ୍ରଶ୍ନକାଳ ରଖିବା ନେଇ ନିଷ୍ପତ୍ତି ନେଇଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଛନ୍ତି ଯେ, ସରକାର ଆଲୋଚନା କରିବାକୁ ଡରୁନାହାନ୍ତି ଏବଂ ବିରୋଧୀ ଦଳକୁ ଏ ସଂପର୍କରେ କହିଦେଇଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଲୋକସଭା ବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି ଯେ, ଅଧିବେଶନ ସମୟରେ ସାଂସଦଙ୍କୁ ଅତରାଙ୍କିତ ପ୍ରଶ୍ନ ପାଇଁ ଅନୁମତି ଦିଆଯାଉ । ଏହା ପ୍ରଶ୍ନର ଉତ୍ତର କେବଳ ଲିଖିତ ଭାବେ ଦେବାକୁ ପଡେ । ସୂଚନାଯୋଗ୍ୟ ଯେ, ସଂସଦର ମୌସୁମୀ ଅଧିବେଶନ ୧୪ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ।

ଯୋଶୀ କହିଛନ୍ତି ଯେ, ଆମେ ସମସ୍ତ ପ୍ରସଙ୍ଗରେ ଚର୍ଚ୍ଚା କରିବା ପାଇଁ ପ୍ରସ୍ତୁତ ରହିଛୁ । ମୌସୁମୀ ଅଧିବେଶନ କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅଦ୍ଭୁଦପୂର୍ବ ପରିସ୍ଥିତିରେ ହେବାକୁ ଯାଉଛି । ସେ କହିଛନ୍ତି ଯଦି ପ୍ରଶ୍ନକାଳ ହେଉଛି ତେବେ ମନ୍ତ୍ରଣାଳୟର ଅଧିକାରୀଙ୍କୁ ସଂସଦ ଯିବାକୁ ପଡିବ । ଏହାଦ୍ବାରା ଭିଡ ମଧ୍ୟ ହୋଇପାରେ । ଏଥିପାଇଁ ସଦସ୍ୟଙ୍କ ସୁରକ୍ଷା ଦୃଷ୍ଟିରୁ ମୌସୁମୀ ଅଧିବେଶନରେ କୌଣସି ପ୍ରଶ୍ନକାଳ ରଖାଯାଇନଥିଲା ।

ମୌସୁମୀ ଅଧିବେଶନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ସରକାର ସମସ୍ତ ବିରୋଧୀ ଦଳ ସହ ଯୋଗାଯୋଗ କରିଥିଲା । ସେମାନେ ଅଧିକାଂଶ ଅଧିବେଶନ ସମୟରେ ପ୍ରଶ୍ନକାଳ ଆୟୋଜିତ ନକରିବାକୁ ସହମତି ପ୍ରକାଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.