ଭାରତରେ କାରବାର କରୁଥିବା PLA ସମ୍ବଦ୍ଧିତ କମ୍ପାନୀଙ୍କ ଖୋଳତାଡ କରୁଛନ୍ତି ସରକାର

Published By : Prameya-News7 Bureau | July 18, 2020 IST

ନୂଆଦିଲ୍ଲୀ ୧୮।୭: ଲଦ୍ଦାଖ ଓ ଚୀନ ସୀମାର ବାସ୍ତବିକ୍ ନିୟନ୍ତ୍ରଣ ରେଖା (ଏଲଏସି)ରେ ଉତ୍ତେଜନା ସାମାନ୍ୟ ହ୍ରାସ ହୋଇଛି। ତେବେ ଏହା ସମ୍ପୂର୍ଣ୍ଣ ପ୍ରସମିତ ହୋଇ ନାହିଁ। ଏଥିରେ ଚୀନକୁ ପାନେ ଚଖେଇବାକୁ ଭାରତ ସରକାର ଆଉ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିରେ ଦେଶରେ କାରବାର କରୁଥିବା ସେପରି ଚୀନ କମ୍ପାନୀଙ୍କର ଏବେ ଖୋଳତାଡ କରୁଛନ୍ତି ଯେଉଁମାନଙ୍କର ସମ୍ପର୍କ ପ୍ୟୁପିଲସ୍ ଲିବରେସନ ଆର୍ମୀ (ପିଏଲଏ) ସହ ରହିଛି।

ସୀମାକୁ ନେଇ ଉତ୍ତେଜନା ଯୋଗୁ ଭାରତ ଟିକ୍‌ଟକ୍‌ ସମେତ ୫୯ଟି ଚୀନ୍‌ ମୋବାଇଲ ଆପ୍ଲିକେସନକୁ ଦେଶରେ ନିଷିଦ୍ଧ କରିଛନ୍ତି। ଏହି ଘୋଷଣାକୁ ମାସଟେ ବି ପୁରିନି, ଏବେ ହୁଏତ ସରକାର ଚୀନ୍‌ ସେନାର ଏହି ସବୁ କମ୍ପାନୀମାନଙ୍କର କାରବାରକୁ ଭାରତରେ ନିଷିଦ୍ଧ କରିପାରନ୍ତି ବୋଲି ଆଶଙ୍କା କରାଗଲାଣି। ଏହି ସବୁ କମ୍ପାନୀ ଚୀନ ସେନା ଲାଗି ଦେଶରେ ଗୁଇନ୍ଦାଗିରି କରୁଥିବାର ସରକାର ସନ୍ଦେହ କରୁଛନ୍ତି। ଏଣୁ ସେମାନଙ୍କ ବିରୋଧରେ ଆକ୍ସନ ଲାଗି ଏବେ ସରକାର ପ୍ରସ୍ତୁତିରେ ଅଛନ୍ତି।

ଜୁନ୍ ୨୦୧୭ରେ ଚୀନ୍‌ ସରକାର ଏକ ଗୁପ୍ତ ଆଇନ ଗୃହୀତ କରିଥିଲେ। ଯେଉଁଥିରେ ସରକାରୀ ଏଜେନ୍ସୀମାନଙ୍କୁ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା,  ଆବଶ୍ୟକ ପଡିଲେ ଚଢଉ କରିବା ଓ ବାହନ ଏବଂ ଉପକରଣ ଆଦି ଜବତ କରିବାକୁ ଅଧିକାର ଦେଇଛନ୍ତି। ଚୀନର ଏହି ଗୁପ୍ତନୀତି ସମ୍ପର୍କରେ ଆମେରିକା କଂଗ୍ରେସର ପ୍ରତିରକ୍ଷା ସଚିବଙ୍କ ରିପୋର୍ଟରେ ମଧ୍ୟ ଉଲ୍ଲେଖ ରହିଛି। ସେହି ଅନୁସାରେ ଚୀନ୍‌ କମ୍ପାନୀ ଯେପରି ହୁଏୱି, ଜେଡଟିଇ ଓ ଟିକଟକ୍‌ ଆଦିଙ୍କୁ ଏହି ଆଇନରେ  ଜାତୀୟ ଗୁଇନ୍ଦା ସଂସ୍ଥାଙ୍କୁ ସହଯୋଗ କରିବାକୁ ଦାୟିତୁ ଦିଆଯାଇଛି। 

ଚୀନ ସରକାରଙ୍କ ଗୋପନୀୟ ଆଇନର ଅନୁଚ୍ଛେଦ ୭ରେ ଦେଶର ଯେକୌଣସି ସଂସ୍ଥା ଅଥବା ନାଗରିକ ସରକାରଙ୍କ ଗୁଇନ୍ଦା କାର୍ଯ୍ୟକ୍ରମକୁ ସମର୍ଥନ, ସହାୟତା ଓ ସଦଯୋଗ ଲାଗି ବାଧ୍ୟ। ସେହିପରି ଚୀନ୍‌ ସେପରି ସଙ୍ଗଠନ ଓ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା କରିବ ଯିଏ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସହାୟତା ଓ ସମର୍ଥନ କରୁଛନ୍ତି ବୋଲି ନିଶ୍ଚିତ କରୁଛି। ଚୀନର ଏହି ଗୋପନ ଆଇନ ୨୦୧୭ ସିଧା ବିଦେଶୀ ନିବେଶ କରୁଥିବା କମ୍ପାନୀଙ୍କ ଉପରେ ମଧ୍ୟ ଲାଗୁ। ଏଣୁ ଭାରତରେ ପିଏଲଏ ସହ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବେ ଜଡିତ ଅନେକ କମ୍ପାନୀ କାମ କରୁଛନ୍ତି।

ଏଥିରେ ମିଳିତ ଉପକ୍ରମରେ କାମ ଆରମ୍ଭ କରିଥିବା ଜିନ୍ଦିଆ ଷ୍ଟିଲସ୍ ମଧ୍ୟ ଅଛି। ଭାରତର କର୍ଣ୍ଣାଟକରେ ଏହି କମ୍ପାନୀ ବାର୍ଷକ ୦.୮ ଏମଟିପିଏ ଉତ୍ପାଦନ କ୍ଷମତା ସମ୍ପନ୍ନ ପ୍ଲାଣ୍ଟ ସ୍ଥାପନା କରିଛି। ଏହି କମ୍ପାନୀର ମୂଳ ନିବେଶକ ଜିନଜିଆଙ୍ଗ କ୍ୟାଥି ଇଣ୍ଟରନ୍ୟାସନାଲ ଗ୍ରୁପ କୋ ଲିମିଟେଡ ପିଏଲଏର ଲଜିଷ୍ଟିକ ବିଭାଗ ସହ ସମ୍ପୃକ୍ତ। ଏଣୁ ହୁଏତ ଏହାର କାମ ଏତିକିରେ ଅଟକାଇ ଦିଆଯାଇପାରେ ବୋଲି ଏବେ ଆଶଙ୍କା କରାଗଲାଣି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.