Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ନିର୍ବାଚନୀ ତାତି: ରାଜ୍ୟରେ ଚାଲିଛି ଆକ୍ରୋଶମୂଳକ ରାଜନୀତି, ଅଣ୍ଡାମାଡ଼ରୁ ଗଲାଣି ଆକ୍ରମଣ ପର୍ଯ୍ୟନ୍ତ କଥା

27/11/2021 at 8:04 PM

ଭୁବନେଶ୍ଵର ୨୭।୧୧: ରାଜ୍ୟରେ ଏବେ ଦେଖିବାକୁ ମିଳୁଛି ଆକ୍ରୋଶମୂଳକ ରାଜନୀତି । ପଞ୍ଚାୟତ ଓ ପୌର ନିର୍ବାଚନକୁ ନଜରରେ ରଖି ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରୋଧୀ । ଅଣ୍ଡାମାଡ଼ରୁ ଆରମ୍ଭ ହୋଇଥିବା ଆଚରଣ ଏବେ ଆକ୍ରମଣ ପର୍ଯ୍ୟନ୍ତ ଗଲାଣି । ଆଉ ଏହାରି ଭିତରେ ନେତାଙ୍କ ବୟାନବାଜି ବି ତେଜ୍ ହେବାରେ ଲାଗିଛି । ଯାହା ଆକ୍ରୋଶ ରାଜନୀତିକୁ ଇଶାରା କରୁଛି।

ପରସ୍ପର ବିରୋଧୀ ମନ୍ତବ୍ୟ । ଆରୋପ-ପ୍ରତ୍ୟାରୋପ । ଆଟାକ୍- କାଉଣ୍ଟର ଆଟାକ୍ । କେତେବେଳେ ଗ୍ରାଉଣ୍ଡରେ ତ ଆଉ କେତେବେଳେ ଟ୍ବିଟରରେ । ରାଜ୍ୟ ରାଜନୀତିରେ ଉଭୟ ଶାସକ ଓ ବିରୋଧୀ ନେତାଙ୍କ ଏଭଳି ଆକ୍ଟିଭିଟି କ’ଣ ଦର୍ଶାଉଛି ? ଉତ୍ତର ଖୋଜିଲା ବେଳକୁ ସାମ୍ନାକୁ ଆସୁଛି `ଆକ୍ରୋଶ ରାଜନୀତି` । ଯାହା ପୂର୍ବରୁ ଦେଖିବାକୁ ମିଳୁନଥିଲା । ହେଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କାହିଁକି ? ଏହାର ମୁଖ୍ୟ କାରଣ କ’ଣ ହୋଇପାରେ ?  କାରଣ ହେଲା ନିର୍ବାଚନ ।

ମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ । ରାଜ୍ୟ ରାଜନୀତିରେ ନିଜର ପତିଆରା ଜାହିର ପାଇଁ ଚେଷ୍ଟାରେ ଅଛନ୍ତି ଉଭୟ ଶାସକ ଓ ବିରୋଧୀ । କେହି କାହାକୁ ଇଞ୍ଚେ ବି ସ୍ପେଶ୍ ଦେବାକୁ ଚାହୁଁନାହାନ୍ତି । କୌଣସି ପ୍ରସଙ୍ଗକୁ ନେଇ ବିରୋଧୀ ଯେତେବେଳେ ଆଟାକିଂ ମୁଡ୍‌କୁ ଆସୁଛନ୍ତି, ସେତେବେଳେ ବିରୋଧୀଙ୍କୁ କାଉଣ୍ଟର ଆଟାକ୍ କରିବାକୁ ସାମ୍ନାକୁ ଆସୁଛି ଶାସକ ଦଳ । ଉଭୟଙ୍କ ଭିତରେ ରୀତିମତ  ଆରମ୍ଭ ହୋଇଗଲାଣି ଛକାପଞ୍ଝା । ଦିନକ ପୂର୍ବରୁ ରାଜଧାନୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଯେମିତି ବିରୋଧର ସାମ୍ନା କରିବାକୁ ପଡ଼ିଲା ତାହା ସମସ୍ତେ ଦେଖିଲେ ।

ଭୁବନେଶ୍ବର ୬୧ନମ୍ବର ଓ୍ବାର୍ଡ଼ରେ ସାଂସଦ ନିଜ ସମର୍ଥକଙ୍କ ସହ ପଦଯାତ୍ରା କରୁଥିବା ବେଳେ ସେଠାରେ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି ସମର୍ଥକ । ରୋଷେଇ  ଗ୍ୟାସ୍  ଦରବୃଦ୍ଧି ପ୍ରସଙ୍ଗକୁ ନେଇ ସାଂସଦଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ବିଜେଡି ସମର୍ଥକ । ଏମିତିକି କିଛି ଲୋକ ସେମାନଙ୍କ ଘର ଆଗରେ କାଠଚୁଲି ରଖି,  ଗ୍ୟାସ୍ ସିଲିଣ୍ଡର ଓଲଟାଇ ଦରବୃଦ୍ଧିର ପ୍ରତିବାଦ କରିଥିଲେ । ହେଲେ ବିରୋଧୀଙ୍କ ଏଭଳି ପ୍ରତିବାଦକୁ ଅଭିମାନ କହି ଏଡ଼ାଇ ଯାଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

କେବଳ ରାଜଧାନୀରେ ବିଭିନ୍ନ ରାଜନୈତିକ ଦଳ ଭିତରେ ଏଭଳି ପରସ୍ପର ବିରୋଧୀ ଆକ୍ଟିଭିଟି ବା ଆକ୍ରୋଶ ଦେଖିବାକୁ ମିଳୁଛି ତାହା ନୁହେଁ । ସାରା ରାଜ୍ୟରେ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ପ୍ରସଙ୍ଗ ଆଳରେ ମନ୍ତ୍ରୀମାନଙ୍କୁ ଗାଡ଼ି ଉପରକୁ ଅଣ୍ଡାମାଡ଼ ହେଉଛି । ସେମାନଙ୍କୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରୁଛନ୍ତି ବିରୋଧୀ । ଯାହାକୁ କାଉଣ୍ଟର କରିବାକୁ ଯାଇ  ବିଜେଡି ସମର୍ଥକ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରୁଛନ୍ତି । ସେପଟେ ପୁଣି ଅଣ୍ଡା ମାଡ଼ର ଫଣ୍ଡା ବୁଝାଇବାକୁ ବିଭିନ୍ନ ରାଜନୈତିକ ଦଳର ନେତା ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି । ଆଜି ଯେମିତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଅଣ୍ଡା କା ଫଣ୍ଡା ବୁଝାଇବାକୁ ଚେଷ୍ଟା କରିଛନ୍ତି ।

ରାଜନୀତିରେ ଆରୋପ ପ୍ରତ୍ୟାରୋପ ଚାଲେ ଆଉ ଚାଲିବ ମଧ୍ୟ । ହେଲେ ଓଡ଼ିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଆକ୍ରୋଶ ରାଜନୀତିକୁ କେବେ ଗ୍ରହଣ କରାଯାଇପାରିବ ନାହିଁ । ନେତା-ନେତା, ଦଳ –ଦଳ ଲଢ଼େଇ ଭିତରେ ସାଧାରଣ କର୍ମୀଙ୍କୁ ବଳି ପକାନଯାଉ । ବିଭିନ୍ନ ରାଜନୈତିକ ଦଳକୁ ସମର୍ଥନ କରୁଥିବା କର୍ମୀ ମଧ୍ୟ ଏସବୁ ଦିଗ ପ୍ରତି ସଚେତନ ହେବା ଦରକାର ।

   Related Posts