MP-4 ଫାଇଲ ଯୋଗେ ହ୍ୟାକ୍ ହେଉଛି ହ୍ୱାଟସ୍ ଆପ୍, ଏମିତି କରି ରୁହନ୍ତୁ ସୁରକ୍ଷିତ
18/11/2019 at 5:23 PM

ହ୍ୟାକର୍ସମାନେ ହ୍ୱାଟସ୍ ଆପ ହ୍ୟାକ୍ କରିବାର ନୂଆ କୌଶଳ ଖୋଜିପାଇଯାଇଛନ୍ତି। ଏଥିରେ ସେମାନେ ଇନଇଫେକ୍ଟେଡ ଏମପି-ଫୋର ଫାଇଲ ସେଣ୍ଡ କରି ୟୁଜରଙ୍କ ହ୍ୱାଟସ୍ ଆପ ହ୍ୟାକ କରୁଥିବାର ନୂଆ ଘଟଣା ସାମ୍ନାକୁ ଆସିଛି। ଏଭଳି ଫାଇଲରେ ୟୁଜର କ୍ଲିକ୍ କରିବା ମାତ୍ରେ ଏହା ଫୋନକୁ ଘାଣ୍ଟି ପକାଉଛି। ଭାରତର କମ୍ପ୍ୟୁଟର ଏମାର୍ଜେନ୍ସୀ ରେସ୍ପନ୍ସ ଟିମ୍ ଏଭଳି ହ୍ୟାକକୁ ବିପଦଜନକ ବୋଲି କହିଛନ୍ତି। ତେବେ ୟୁଜର ନିୟମିତ ଅପଡେଟ କଲେ ଏଭଳି ସମ୍ଭାବନାରୁ ମୁକ୍ତ ରହିପାରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ହ୍ୱାଟସ୍ ଆପ ହ୍ୟାକ କରୁଥିବା ଏହି ବଗ୍ କୁ ବିଶେଷଜ୍ଞମାନେ ସିବିଇ ୨୦୧୯-୧୧୯୩୧ ଭାବେ ଚିହ୍ନଟ କରିଛନ୍ତି। ଏହି ବଗ୍ ଏଣ୍ଡ୍ରଏଡ ଓ ଆଇଓଏସ୍ ଉଭୟ ଫୋନ ଲାଗି ହାନିକାରକ ବୋଲି ଜଣାପଡିଛି। ତେବେ ଏଭଳି ପରିସ୍ଥିତିର ମୁକାବିଲା ଲାଗି ହ୍ୱାଟସ୍ ଆପ୍ ଏକ ସିକ୍ୟୁରିଟି ଅପଡେଟ ଜାରି କରିଛନ୍ତି। ଏଣୁ ୟୁଜର ହ୍ୱାଟସ୍ ଆପ ଅପଡେଟ୍ କଲେ ଫୋନରେ ଏହି ସିକ୍ୟୁରିଟି ବି ଅପଡେଟ୍ ହୋଇଯିବ ଓ ହ୍ୟାକ ହେବାରୁ ୟୁଜର ରକ୍ଷା ପାଇପାରିବେ।

ନିଜର ସ୍ୱିକ୍ୟୁରିଟିକୁ ଉନ୍ନତତର କରିବା ଲାଗି ଉଦ୍ୟମ ଜାରି ରଖିଥିବା ହ୍ୱାଟସ୍ ଆପ୍ କହିଛି। ତେବେ ଯେଉଁ କ୍ଷେତ୍ରରେ ଗୁରୁତର ସମସ୍ୟା ଉପୁଜୁଛି ସେକ୍ଷେତ୍ରରେ ଏକ ପବ୍ଲିକ୍ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ହ୍ୱାଟସ୍ ଆପ କର୍ତ୍ତୃପକ୍ଷ କହିଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି ଠାରେ ସିବିଇ ୨୦୧୯-୧୧୯୩୧ ଯୋଗୁ ଫୋନ ନଷ୍ଟ ହୋଇଥିବାର ଅଭିଯୋଗ ମିଳିନଥିବା କହିଛନ୍ତି ଅଧିକାରୀମାନେ। ଭାରତରେ ହ୍ୱାଟସ ଆପର ପ୍ରାୟ ୪୦କୋଟି ୟୁଜର ଅଛନ୍ତି। କିଛିଦିନ ପୂର୍ବରୁ ଇସ୍ରାଏଲର ପେଗାସସ୍ ସ୍ପାଇୱେର ଲାଗି ହ୍ୱାଟସ୍ ଆପ ଚର୍ଚ୍ଚାରେ ଥିଲା। ଏହି ସ୍ପାଇୱେର ଯୋଗୁ ସାରା ବିଶ୍ୱରେ ପ୍ରାୟ ୧ହଜାର ୪୦୦ ୟୁଜର ପ୍ରଭାବିତ ହୋଇଥିଲେ। ଏଥିରେ ଭାରତର ୧୨୦ ୟୁଜର ଥିବା ଜଣାପଡିଥିଲା।