ଚାଷୀ ଆନ୍ଦୋଳନ: ଏବେ ସରକାରଙ୍କ ହଁ ଚାଷୀଙ୍କ ନାଁ !
29/11/2020 at 5:05 PM

ନୂଆଦିଲ୍ଲୀ ୨୯।୧୧: ଦିଲ୍ଲୀ ଚଲ୍ଲୋ ଆହ୍ୱାନରେ ଚାଷୀ ଦିଲ୍ଲୀ ସୀମାରେ ପହଞ୍ଚି ସାରିଛନ୍ତି। ରାଜଧାନୀରେ ଚାଷୀଙ୍କୁ ଆନ୍ଦୋଳନ ଅନୁମତି ମଧ୍ୟ ଦେଇଛନ୍ତି ସରକାର। ହେଲେ ସରକାର ଯେଉଁଠି ସେମାନଙ୍କୁ ଆନ୍ଦୋଳନ ଲାଗି ସ୍ଥାନ ଚିହ୍ନିତ କରିଛନ୍ତି ଚାଷୀ ସେଠାକୁ ଯିବାକୁ ମଙ୍ଗୁ ନାହାନ୍ତି। ଓଲଟି ସେମାନେ ଚାହୁଁଥିବା ସ୍ଥାନକୁ ଅନ୍ୟ ଚାଷୀଙ୍କୁ ଡକାଉଛନ୍ତି। ଜାତୀୟ ରାଜଧାନୀରେ ଚାଷୀ ଏବେ କେନ୍ଦ୍ର ସରକାରଙ୍କ ଲାଗି ସାପ-ଚୁଚୁନ୍ଦ୍ରା ଅବସ୍ଥା ସୃଷ୍ଟି କରିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚାଷୀଙ୍କୁ ବୁରାଡିରେ ଏକତ୍ରିତ ହେବାକୁ କହିଛନ୍ତି। ସବୁ ଚାଷୀ ଏକତ୍ରିତ ହେବା ପରେ ସେମାନଙ୍କ ସହ ଆଲୋଚନା କରାଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି। ତେବେ ଚାଷୀମାନେ ଦିଲ୍ଲୀ ଘେରାଉ କରିବାକୁ ଆସିଥିବା କହିଛନ୍ତି, ଦିଲ୍ଲୀରେ ଘେରାଉ ହେବାକୁ ନୁହେଁ ବୋଲି କହିବା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେପଟେ ଚାଷୀ ଏବେ ଦିଲ୍ଲୀ ପୋଲିସକୁ ଚତୁପାର୍ଶ୍ୱରୁ ଘେରିଯାଇଥିବା ଜଣାପଡିଛି।

ସିଂଘୁ ବର୍ଡରରେ ସୁରକ୍ଷା ବାହିନୀ ଦୁଇ ପାର୍ଶ୍ୱରୁ ଘେରିଯାଇଛନ୍ତି। ତରଣତାରଣ ଓ ଅମୃତସରରୁ ଟ୍ରାକ୍ଟରରେ ଆସୁଥିବା ଚାଷୀଙ୍କ ନୂଆ ରାଲି ଏବେ ସିଧା ଦିଲ୍ଲୀ ଭିତରକୁ ପ୍ରବେଶ କରୁଛନ୍ତି। ହଜାର ହଜାର ଟ୍ରଲି ଲଗା ଟ୍ରାକ୍ଟର ଏବେ କାନଅତଡା ପକାଉଛନ୍ତି। ଏଣୁ ସୁରକ୍ଷା ବାହିନୀ ଚାଷୀଙ୍କ ମଧ୍ୟରେ ଫଶି ରହିଛନ୍ତି। ସେପଟେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଆଲୋଚନା ଲାଗି ଚାଷୀଙ୍କୁ ଦ୍ୱିତୀୟବାର ଆମନ୍ତ୍ରଣ କରିଛନ୍ତି। ୩ ଡିସେମ୍ବର ପୂର୍ବୁ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ଏଥିପାଇଁ ସେପଞ୍ଜାବର ୩୨ଟି ଚାଷୀ ସଙ୍ଗଠନଙ୍କୁ ବୁରାଡି ଡକାଇଛନ୍ତି। ସେମାନେ ଯେତେ ଶୀଘ୍ର ବୁରାଡି ପହଞ୍ଚିବେ ସେତେଶୀଘ୍ର ଆଲୋଚନା ଆରମ୍ଭ ହେବ ବୋଲି ଅଜୟ ଭଲ୍ଲା କହିଛନ୍ତି।
ତେବେ ଚାଷୀଙ୍କ ଅଲ ଇଣ୍ଡିଆ କିସାନ କୋ-ଅର୍ଡିନେସନ କମିଟି ସରକାରଙ୍କ ପ୍ରସ୍ତାବ ଅଗ୍ରାହ୍ୟ କରିଦେଇଥିବା ଜଣାପଡିଛି। ଯଦି ସରକାର ଚାଷୀଙ୍କ ଦାବିକୁ ଗୁରୁତ୍ୱର ସହ ଗ୍ରହଣ କରୁଛନ୍ତି ତେବେ ପ୍ରଥମେ ସର୍ତ୍ତ ରଖିବା ବନ୍ଦ କରନ୍ତୁ ବୋଲି କମିଟି କହିଛି। ସରକାର ଏବେ ଆଉ ତାଙ୍କ ଆଇନର ତରଫଦାରୀ ନ କରି ସମାଧାନର ସହିତ ଚାଷୀଙ୍କ ସାମ୍ନାକୁ ଆସନ୍ତୁ ବୋଲି କହିଛି କମିଟି। ଦିଲ୍ଲୀ ଆପ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଚାଷୀଙ୍କୁ ସମର୍ଥନ କରିଛନ୍ତି। କେନ୍ଦ୍ର ସରକାରଙ୍କ ପାଖରେ ଚାଷୀଙ୍କ ସହ ନିସର୍ତ୍ତ ଆଲୋଚନା ବ୍ୟତୀତ ଅନ୍ୟ ପନ୍ଥା ନଥିବା ସେ କହିଛନ୍ତି।
किसानों पर काले बिलों से प्रहार किया और युवाओं को हर साल 2 करोड़ रोजगार देने का वादा कर उनके हर ख्वाब को तोड़ दिया है।
— Congress (@INCIndia) November 29, 2020
प्रधानमंत्री ने युवाओं से लेकर किसानों तक, हर वर्ग से धोखा किया है। pic.twitter.com/Ur52hsUHQr
ଚାଷୀ ଆମର ଅନ୍ନଦାତା ସେ ଯେଉଁଠାରେ ଚାହୁଁଛନ୍ତି ସେଠାରେ ତାଙ୍କୁ ବସାଇ ସରକାର ତୁରନ୍ତ ଆଲୋଚନା ଆରମ୍ଭ କରନ୍ତୁ ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଚାଷୀଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏଥିରେ ଆଉ ବିଳମ୍ବ କରିବା କଥା ନୁହେଁ ବୋଲି ସେ କହିଛନ୍ତି। ସେମାନେ ଘରଠାରୁ ଶହଶହ କିଲୋମିଟର ଦୂରକୁ ଆସିଛନ୍ତି। ସେମାନେ ଏଠାକୁ ଖୁସିରେ ଆସନାହାନ୍ତି। ଏଣୁ ସେମାନଙ୍କ ସମସ୍ୟା ଆମକୁ ବୁଝିବାକୁ ହେବ। ଗଣତନ୍ତ୍ରରେ ସେମାନଙ୍କ କଥାକୁ ସେମାନେ ଶାନ୍ତିପୂର୍ଣ୍ଣ ଉପାୟରେ ଉପସ୍ଥାପନ କରିବାକୁ ଆସିଛନ୍ତି। ଏଣୁ ସରକାର ଆଉ ଟାଳଟୁଳ ନ କରି ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ କରନ୍ତୁ ବୋଲି ସତ୍ୟେନ୍ଦ୍ର ଜୈନ ଦାବି କରିଛନ୍ତି।