ଏବେ ରୋକା ଯାଇପାରିବ ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ, DRDO ବିକଶିତ କରିଛନ୍ତି ଟେକ୍‌ନିକ୍

Published By : Prameya-News7 Bureau | November 09, 2020 IST

ନୂଆଦିଲ୍ଲୀ ୯।୧୧: ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ ଭଳି ଦୁର୍ଘଟଣାକୁ ଏବେ ଟାଳି ଦିଆଯାଇପାରିବ। ଏଥିଲାଗି ପ୍ରତିରକ୍ଷା ଗବେଷଣା ଓ ଅନୁସନ୍ଧାନ ସଙ୍ଗଠନ (ଡିଆରଡିଓ) ବିଶେଷ ବୈଷୟୀକ ଜ୍ଞାନକୌଶଳ ବିକଶିତ କରିଛନ୍ତି। ଏହି ଟେକ୍‌ନିକ୍‌ରେ ୩୦ ସେକେଣ୍ଡ ମଧ୍ୟରେ ଅଗ୍ନିକାଣ୍ଡର ସୂଚନା ମିଳିବା ସହ ୧ ମିନିଟ୍‌ରେ ଦୁର୍ଘଟଣାକୁ ଆୟତ୍ତ କରାଯାଇପାରିବ। ଦିଲ୍ଲୀସ୍ଥିତ ଡିଆରଡିଓ ମୁଖ୍ୟାଳୟରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ସୋମବାର ଏହି ଟେକ୍‌ନିକ୍‌ର ପ୍ରଦର୍ଶନ ଦେଖିଛନ୍ତି।

ରାଜନାଥ ସିଂହ ଡିଆରଡିଓ ମୁଖ୍ୟାଳୟରେ ଆଣ୍ଟି ସାଟେଲାଇଟ୍‌ ମିଜାଇଲ ମଡେଲ ଉଦଘାଟନ କରିବା ବେଳେ ସଡକ ପରିବହନ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଡିଆରଡିଓ ଯାତ୍ରୀ ବସ୍‌ ଅଗ୍ନିକାଣ୍ଡ ସମ୍ବେଦୀ ବୈଷୟିକ ଜ୍ଞାନକୌଶଳର ମଧ୍ୟ ପ୍ରଦର୍ଶନ କରିଥିଲା। ଡିଆରଡିଓଙ୍କ ସେଣ୍ଟର ଫର ଫାୟାର ଏକ୍ସପ୍ଲୋସିଭ ଏଣ୍ଡ ଏନଭାରନମେଣ୍ଟ ସେଫ୍ଟି (ସିଏଫଇଇଏସ୍‌) ଏହି ଟେକନିକ୍‌ର ବିକାଶ କରିଛନ୍ତି।

ଫଳରେ ଏଣିକି ଚଳନ୍ତା ଯାନବାହନରେ ଜୀବନ ଓ ସମ୍ପତ୍ତି ଲାଗି ବିପଦ ଅନେକାଂଶରେ ହ୍ରାସ ହୋଇପାରିବ ବୋଲି କୁହାଯାଇଛି। ଏହି ଅବସରରେ ଏୟରୋସୋଲ ଆଧାରିତ ଓ ୱାଟର ମିଷ୍ଟ ଆଧାରିତ ଫାୟାର ଇନଭେଷ୍ଟିଗେସନ ଓ ନିୟନ୍ତ୍ରଣ ପ୍ରଣାଳୀର ମଧ୍ୟ ପ୍ରଦର୍ଶନ ହୋଇଛି। ଯାତ୍ରୀ ବସ୍‌ର ଇଞ୍ଜିନ ଓ ପାସେଞ୍ଜର କମ୍ପାର୍ଟମେଣ୍ଟରେ ନିଆଁ ଲାଗିବାର ପ୍ରଦର୍ଶନ ଦେଖି ଉଭୟ ମନ୍ତ୍ରୀ ବେଶ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.