ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୮୦ ହଜାର ପାର, ଭୂତାଣୁର ନୂଆ ଏପିକ୍ ସେଣ୍ଟର ୟୁରୋପ
8/04/2020 at 3:30 PM

ନୂଆଦିଲ୍ଲୀ ୮।୪: ନୋଭେଲ କରୋନା ଭାଇରସ ଯୋଗୁ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ବୁଧବାର ୮୦ ହଜାର ଟପିଛି। ଜନ୍ସ ହପକିନ୍ସ ୟୁନିଭର୍ସିଟି କରୋନା ଭାଇରସ ରିସୋର୍ସ ସେଣ୍ଟର ଏହି ସୂଚନା ଦେଇଛନ୍ତି। ସେହିପରି ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧ ହଜାର ୩୮୫ରେ ପହଞ୍ଚିଛି। ଇଟାଲୀ, ସ୍ପେନ, ବ୍ରିଟେନ ଓ ଫ୍ରାନ୍ସର ମୃତ୍ୟୁ ହାର ଏବେବି ଚିନ୍ତାଜନକ ରହିଛି। ଆମେରିକାରେ ପଜେଟିଭଙ୍କ ସଂଖ୍ୟା ଏବେ ସର୍ବାଧିକ। ଏଠାରେ ୩ଲକ୍ଷ ୮୩ ହଜାରରୁ ଅଧିକ ମାମଲା ଏବେ ସାମ୍ନାକୁ ଆସିଛି।

ସଂକ୍ରମଣ ରୋକିବା ଲାଗି ଏବେ ଅନେକ ଦେଶ ଲକଡାଉନ୍କୁ ଅସ୍ତ୍ର କରିଛନ୍ତି। ଏହା ଛଡା ଅନେକ ଦେଶ ପ୍ରଭାବିତ କ୍ଷେତ୍ର ଦେଇ ଯାତ୍ରା ପ୍ରତିବନ୍ଧିତ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) କରୋନା ଭାଇରସକୁ ମହାମାରୀ ଘୋଷଣା କରିଥିବା ବେଳେ ୟୁରୋପ ଏବେ ସଂକ୍ରମଣର କେନ୍ଦ୍ର ପାଲଟିଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଭାରତରେ ୨୧ ଦିନିଆ ଲକଡାଉନର ତୃତୀୟ ସପ୍ତାହ ସୁଦ୍ଧା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୩୬୦ରେ ପହଞ୍ଚିଛି।

ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ସଂକ୍ରମିତଙ୍କ ମଧ୍ୟରୁ ୪ ହଜାର ୭୨୭ଜଣ କୋଭିଡ-୧୯ ଭୂତାଣୁ ସକ୍ରିୟ ଥିବା ବେଳେ ୪୬୮ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଜଣେ ସଂକ୍ରମିତ ଦେଶ ଛାଡି ପଳାୟନ କରିଥିବା ବେଳେ ଏପର୍ଯ୍ୟନ୍ତ ୧୬୫ଜଣଙ୍କ ମୃତ୍ୟୁ ହୋଇଛି। ଭାରତରେ ମୋଟ ସଂକ୍ରମିତଙ୍କ ମଧ୍ୟରେ ୭୦ ଜଣ ବିଦେଶୀ ବୋଲି ମନ୍ତ୍ରାଳୟ ସୂଚିତ କରିଛନ୍ତି।