ବାତ୍ୟା ଡାଏ ଏବେ ଛତିଶଗଡ ମୁହାଁ: ମାଲକାନଗିରି ଜିଲ୍ଲା ବେଶୀ ପ୍ରଭାବିତ, ୩ଟି ପଞ୍ଚାୟତକୁ ରେଡ ଆଲର୍ଟ ଜାରି

Published By : Prameya-News7 Bureau | September 21, 2018 IST

ଭୁବନେଶ୍ବର୨୧|୯:  ରାଜ୍ୟରେ ବର୍ଷା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ବାତ୍ୟା ଡାଏ ଏବେ ଛତିଶଗଡ ମୁହାଁ ବୋଲି  ସୂଚନା ଦେିଛନ୍ତି ରିଲିଫ କମିଶନର । ତେବେ ପ୍ରବଳ ବର୍ଷାଯୋଗୁଁ ମାଲକାନଗିରି ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୬୫.୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବଢୁଛି ବାଲିମେଳା ଜଳଭଣ୍ଡାରର ଜଳସ୍ତର ।ଜଳସ୍ତର ବୃଦ୍ଧି ଯୋଗୁଁ ଜଳଭଣ୍ଡାରର ୪ଟି ଗେଟ୍‌ ଖୋଲାଯାଇଛି ।ଜଳଭଣ୍ଡାରର ୩ ନଂ, ୪ନଂ, ୫ନଂ ଓ ୮ ନଂ ଗେଟ ଦେଇ ଜଳନିଷ୍କାସନ ଜାରି ରହିଛି।ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୨୦ ହଜାର କ୍ୟୁସେକ ଜଳ ।ଜଳଭଣ୍ଡାରର ଜଳଧାରଣା କ୍ଷମତା ୧୬ ଫୁଟ୍ ରହିଛି।ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୧୮ ଫୁଟ୍‌ ହୋଇଛି। ୩ଟି ପଞ୍ଚାୟତକୁ ରେଡ ଆଲର୍ଟ ଜାରି କରାଯାଇଛି।୩ ପଞ୍ଚାୟତ ହେଲା ଚିତ୍ରକୋଣ୍ଡା, ଦୋରାଗୁଡା, ଗୁଣ୍ଠାବେଡା । କୋରକୁଣ୍ଡା, ଚିତ୍ରକୋଣ୍ଡାରେ ସ୍ଥିତି ଗମ୍ଭୀର ରହିଛି।ଜାନବାଈ ସ୍ବାସ୍ଥ୍ୟକେନ୍ଦ୍ରରେ ପାଣି ପଶିଛି ।ମାଲକାନଗିରି ସଦର ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି।ମୋଟେରୁ ଗାଁକୁ ସଂଯୋଗ କରୁଥିବା ୨ଟି ପୋଲ ବୁଡି ଯାଇଛି ।ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ମୁକ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୭ଦିନର ରିଲିଫ ଘୋଷଣା କରିଛନ୍ତି । ଅପରପକ୍ଷରେ ପୁରୀ ଓ ଗଞ୍ଜାମରେ ୧୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ଏସଆରସି କହିଛନ୍ତି। ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି ।ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇନାହାନ୍ତି ।ଯେଉଁ ଜିଲ୍ଲା ଗୁଡିକୁ ଆଲର୍ଟ ରହିବାକୁ କୁହାଯାଇଥିଲା, ଏବେବି ଜିଲ୍ଲାପାଳମାନେ ସତର୍କ ଅଛନ୍ତି ।ପାନୀୟ ଜଳ, ବିଦ୍ୟୁତ, ଚିକିତ୍ସା ସୁବିଧା ପାଇଁ ବନ୍ଦୋବସ୍ତ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.