Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩୦ ଜଣଙ୍କ ଅଜାଣତରେ ଫାଇନାନ୍ସ କମ୍ପାନୀରୁ ଉଠିଛି ଋଣ- ଏହି ଘଟଣାରେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ପରେ ଗାଁରେ ଉତ୍ତେଜନା

15/09/2019 at 6:25 PM

ଜଗତସିଂପୁର ୧୫।୦୯ -ଘରୋଇ ଫାଇନାନ୍ସ କମ୍ପାନୀରୁ ୩୦ ରୁ ଊର୍ଦ୍ଧ୍ୱ ମହିଳାଙ୍କ ନାଁ ରେ ସେମାନଙ୍କ ଅଜାଣତରେ ଲକ୍ଷାଧିକ ଟଙ୍କା ଋଣ ଉଠାଇ ଜଣେ ଦଲାଲ ଓ ତାର ସ୍ତ୍ରୀ ଫେରାର ହୋଇ ଯାଇଥିବା ବେଳେ ଜଣେ   ଋଣକର୍ତ୍ତାଙ୍କର ଆଜି ବିଷ କ୍ରିୟା ଯୋଗୁ ସନ୍ଦେହ ଜନକ ଭାବରେ ମୃତ୍ୟୁ ଘଟିଛି । ଫଳରେ ଏହାକୁ ନେଇ ଗାଁରେ ତୀବ୍ର ଉତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ମହିଳା ତଥା ଗ୍ରାମବାସୀମାନେ ସମ୍ପୃକ୍ତ ଦଲାଲର ଘର ଆଗରେ ଥିବା ଏକ ଗ୍ରସରି ଦୋକାନକୁ ଭାଙ୍ଗିବା ସହ ଜିନିଷ ପତ୍ର କାଢି ସେଥିରେ ନିଆଁ ଲଗାଇ ଦେଇଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ମୃତୟନ କରା ଯାଇଛି ।

ରାଜ୍ୟରେ ଏବେବି ସକ୍ରିୟ ଚିଟ୍ ଫଣ୍ଡ କମ୍ପାନୀ ।  ବଡ ଲୋକ ହେବାର ଲୋଭ ଦେଖାଇ ଲୋକଙ୍କୁ ଲୁଟୁଛନ୍ତି । ଗରିବଙ୍କ ଧନ ହଡପ କରୁଛନ୍ତି । ସବୁ ଜାଣି ବି ଚୁପ୍ ରହିଛି ପୋଲିସ, ପ୍ରଶାସନ । ଏମିତି ଅଭିଯୋଗ ଆସିଛି ଜଗତସିଂହପୁରରୁ । ଏସକେଏସ ବା ଭାରତ ଫାଇନାନ୍ସ  ନାଁରେ ଏଠାରେ ଏକ  ଚିଟ୍ ଫଣ୍ଡ କମ୍ପାନୀ ଜମାକାରୀଙ୍କୁ ଚୂନ ଲଗାଇଛି ।  ୩୦ ଜଣ ଜମାକାରୀଙ୍କ ଅଜାଣତରେ ସେମାନଙ୍କ ନାଁରେ ୧୦ ଲକ୍ଷରୁ ଅଧିକ ଟଙ୍କା ଲୋନ୍ ଉଠାଯାଇଛି ।

ସବୁଠୁ ସାଂଘାତିକ କଥା ହେଉଛି ଏହି କାରଣରୁ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଏଥିରେ କମ୍ପାନୀର ଜଣେ ଏଜଣ୍ଟେ ଓ ତାଙ୍କ ପତ୍ନୀଙ୍କ ସଂପୃକ୍ତି ଅଭିଯୋଗ ଘଟଣାକୁ ଭିନ୍ନ ମୋଡ ଦେଇଛି ।  ମୃତ ମହିଳା କାଞ୍ଚନ ଦାସ । ଏହାକୁ ନେଇ ଜଗତସିଂହପୁର ସଦର ଥାନା ଚାଟରା ବଣିତ ଗାଁରେ ଲଙ୍କାକାଣ୍ଡ ଘଟିଛି ।

ଚାଟରା ବଣିତ ଗାଁର ବାଦଲ ଦାସ ଓ ତାଙ୍କ ପତ୍ନୀ ଭାରତୀ ଦାସ । ଗାଁର ୩୦ ରୁ ଅଧିକ ମହିଳାଙ୍କ ନାଁରେ ଏସ୍କେଏସରେ ଖାତା ଖୋଲାଇ ପ୍ରତି ସପ୍ତାହରେ ଜଣପିଛା ୬୦୦ ଟଙ୍କା ଆଦାୟ କରୁଥିଲେ ।  ବାଦଲ ଚଞ୍ଚକତା କରି ମହିଳାଙ୍କ ଅଜାଣତରେ ୧୦ ଲକ୍ଷ ଟଙ୍କା ଋଣ ଉଠାଇ ଆଣିଥିବା ଅଭିଯୋଗ ହୋଇଛି । ଫାଇନାନ୍ସ ସଂସ୍ଥାର କର୍ମଚାରୀ କିସ୍ତି ଟଙ୍କା ମାଗିବାକୁ ଆସିବାରୁ ଘଟଣା ଜଣା ପଡିଥିଲା ।

ଜମାକାରୀ କାଞ୍ଚନ ଦାସ ବାଦଲ ଘରକୁ ଯାଇ ଘଟଣା ସଂପର୍କରେ ପଚାରିବା ସହ ଯୁକ୍ତିତର୍କ କରିଥିଲେ । ଘରକୁ ଫେରିବା ପରେ କାଞ୍ଚନ ଅସୁସ୍ଥ ହୋଇ ପଡିବା ସହ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।  ଅଭିଯୋଗ ହୋଇଛି ବାଦଲଙ୍କ ପତ୍ନୀ ଦେଇଥିବା ସର୍ବତ ପିଇବାରୁ ବିଷକ୍ରିୟା ଯୋଗୁଁ କାଞ୍ଚନଙ୍କ ଜୀବନ ଯାଇଛି । ଏହାକୁ ନେଇ ଲୋକେ ବାଦଲଙ୍କ ତେଜରାତି ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛି । ଫେରାର ହୋଇଯାଇଛନ୍ତି ବାଦଲ ଓ ତାଙ୍କ ପତ୍ନୀ । ପୋଲିସ କିନ୍ତୁ କ୍ୟାମେରା ଆଗରେ କିଛି କହି ନଥିଲେ ମଧ୍ୟ ବାଦଲଙ୍କ ଦୁଇ ଭାଇ ଙ୍କୁ ଥାନାକୁ ଉଠାଇ ଆଣିଛି । 

 ଏନେଇ ଏଯାଏ ଥାନାରେ କୌଣସି ଲିଖିତ ଅଭିଯୋଗ କିନ୍ତୁ ହୋଇନି । ଏବେ ଜମାକାରୀ କିପରି ସେମାନଙ୍କ ଟଙ୍କା ଫେରିପାଇବେ ସେଦିଗରେ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

   Related Posts