ଏବେ ଘୂର୍ଣ୍ଣିବାତ୍ୟା ନେଇ ଆଗୁଆ ମିଳିବ ସୂଚନା, ଉପାୟ ଖୋଜି କାଢିଲେ ବୈଜ୍ଞାନିକ

Published By : Prameya-News7 Bureau | June 09, 2021 IST

ନୂଆଦିଲ୍ଲୀ ୯।୬: ସମୁଦ୍ରରେ ସୃଷ୍ଟି ହେଉଥିବା ଭୀଷଣ ଘୂର୍ଣ୍ଣିବାତ୍ୟା ନେଇ ଏବେ ଆହୁରି ଆଗରୁ ସଠିକ ସୂଚନା ମିଳିଯାଇ ପାରିବ। ଫଳରେ ସାମୁଦ୍ରିକ ବାତ୍ୟାର ଭୟାବହତା ଓ କ୍ଷତିକୁ ରୋକାଯାଇପାରିବ। ବିଜ୍ଞାନ ଓ ପ୍ରାଦ୍ୟୋଗିକୀ ବିଭାଗ (ଡିଏସଟି) ଏହି ସୂଚନା ଦେଇଛନ୍ତି। ସମୁଦ୍ର ପୃଷ୍ଠରେ ଉପଗ୍ରହ ବାତ୍ୟାର ପୂର୍ବାନୁମାନ କରିବା ପୂର୍ବରୁ ପାଣିରେ ସୃଷ୍ଟି ହେଉଥିବା ଭଉଁରିର ପ୍ରାରମ୍ଭିକ ଲକ୍ଷଣରୁ ଏହାର ପୂର୍ବାନୁମାନ କରାଯିବ। ଏପର୍ଯ୍ୟନ୍ତ ରିମୋଟ୍ ସେନସିଙ୍ଗ ଟେକନିକ୍‌ରେ ଏହି ପୂର୍ବାନୁମାନ କରାଯାଉଛି।

ରିମୋଟ ସେନସିଙ୍ଗ ଜ୍ଞାନ କୌଶଳରେ ଉଷ୍ମ ସମୁଦ୍ର ପୃଷ୍ଠରେ ସୃଷ୍ଟି ହେଉଥିବା ଲଘୁଚାପ କ୍ଷେତ୍ର ଭଲ ଭାବେ ବିକଶିତ ହେବା ପରେ ହିଁ ଏ ସମ୍ପର୍କରେ ଆମେ ଜାଣିବାକୁ ପାଉଛେ।  ହେଲେ ଆମେ ଯେତେବେଳେ ବିପଦର ପୂର୍ବାନୁମାନ ପାଉଛେ ସେତେବେଳକୁ ଆମ ପାଖରେ ବିସ୍ଥାପନ ଓ ଥଇଥାନ ଛଡା ଅନ୍ୟ କୌଣସି ଉପାୟ ରହୁନି। ଏଣୁ କ୍ଷୟକ୍ଷତିକୁ ଅଟକାଇବାରେ ବିଫଳ ହେଉଛେ।

{"id":463719,"width":837,"height":469,"sizeSlug":"large","linkDestination":"none"}

ତେବେ ଘୂର୍ଣ୍ଣିବାତ୍ୟା ନେଇ ଅଗ୍ରୀମ ସୂଚନା ମିଳିଗଲେ ଆମକୁ ପ୍ରସ୍ତୁତି ଲାଗି ଅନେକ ସମୟ ମିଳିବ। ଯାହା ଦ୍ୱାରା ବ୍ୟାପକ ସାମାଜିକ ଓ ଆର୍ଥିକ କ୍ଷୟକ୍ଷତିକୁ ରୋକା ଯାଇପାରିବ ବୋଲି ଡିଏସଟି କହିଛନ୍ତି। ଦେଶକୁ ମୌସୁମୀ ପ୍ରବାହ ପରେ ଆସିଥିବା ଭୀଷଣ ସାମୁଦ୍ରିକ ବାତ୍ୟା ଫାଇଲିନ (୨୦୧୩), ବରଦା (୨୦୧୩),ମାଢି (୨୦୧୩) ଓ ଗଜ (୨୦୧୮) ଏବଂ ମୌସୁମୀ ପରେ ଆସିଥିବା ଆଇଲା (୨୦୦୯) ଓ ମୋରା (୨୦୧୭) ଅଧ୍ୟୟନ କରିବା ପରେ ବାତ୍ୟା ଚିହ୍ନଟ ଲାଗି ଏହି ବୈଜ୍ଞାନ କୌଶଳ ଅବଲମ୍ବନ ଲାଗି ନିଷ୍ପତ୍ତି ହୋଇଛି। ଅଧ୍ୟୟନ ରିପୋର୍ଟ ନିକଟରେ ‘ଆଟମୋସଫେରିକ ରିସର୍ଚ୍ଚ’ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶିତ ହୋଇଛି।

ଉଷ୍ମ ସମୁଦ୍ର ପୃଷ୍ଠରେ ସୃଷ୍ଟି ହେଉଥିବା ଭଉଁରିରୁ ଘୂର୍ଣ୍ଣିବାତ୍ୟା ଅଧ୍ୟୟନରେ ଆଇଆଇଟି ଖଡଗପୁର ପକ୍ଷରୁ ଜିଆ ଆଲବର୍ଟ, ବିଷ୍ଣୁ ପ୍ରିୟା ସାହୁ ଓ ପ୍ରସାଦ କେ ଭାସ୍କରନ ସାମିଲ ଥିଲେ। ବୈଜ୍ଞାନିକଙ୍କ ଅନୁସାରେ ଦେଶକୁ ମାନସୁନ ପ୍ରବାହ ପୂର୍ବରୁ ସମୁଦ୍ରରେ ସୃଷ୍ଟି ହେଉଥିବା ବାତ୍ୟା ନେଇ ଅନୁନ୍ୟ ୪ ଦିନ ପୂର୍ବରୁ ଏହାର ପ୍ରଭାବ ଓ ବଳର ଏହି ଜ୍ଞାନ କୌଶଳ ସଠିକ ଅନୁମାନ କରି ପାରିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.