ସ୍ପେସ୍ ଷ୍ଟେସନରେ ତିଆରି ହେବ ବିସ୍କୁଟ୍, ଅନ୍ତରୀକ୍ଷକୁ ପହଞ୍ଚିଲା ଓଭନ
28/06/2019 at 5:16 PM

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ମହାକାଶଯାତ୍ରୀ ନିଲ ଆର୍ମଷ୍ଟ୍ରଙ୍ଗ ବାସ୍ତବରେ କହିଥିଲେ ‘ଚନ୍ଦ୍ରରେ ହୁଏତ ମନୁଷ୍ୟର ଏହା ଛୋଟ ପଦପାତ ହୋଇପାରେ, ହେଲେ ଭବିଷ୍ୟତର ମାନବ ସଭ୍ୟତା ପାଇଁ ଏହା ଏକ ବିଶାଳ ଲମ୍ପ ହେବ’।ତାଙ୍କର ଏହି ଉକ୍ତିଟି ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି। ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ରକୁ ବିଭିନ୍ନ ବୈଜ୍ଞାନିକ ଗବେଷଣା ପାଇଁ ଯାଉଥିବା ବୈଜ୍ଞାନିକ ଓ ମହାକାଶଚାରୀ ଏବେ ସେଠାରେ ତାଜା ବିସ୍କୁଟ ତିଆରି କରି ଖାଇପାରିବେ। ଏଥି ପାଇଁ ଅନ୍ତରୀକ୍ଷକୁ ଏକ ଓଭନ ପଠାଯାଇଛି। ଏପର୍ଯ୍ୟନ୍ତ ଅନ୍ତରୀକ୍ଷ ଯାତ୍ରୀମାନେ ଖାଇବା ପାଇଁ ସାଙ୍ଗରେ ନେଇଯାଉଥିବା ପୂର୍ବରୁ ସ୍ୱତନ୍ତ୍ର ଭାବେ ରନ୍ଧା ଖାଦ୍ୟ ହିଁ ଖାଉଥଲେ।

ଅନ୍ତରୀକ୍ଷ କେନ୍ଦ୍ରରେ ବିସ୍କୁଟ ତିଆରି ପାଇଁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଓଭନ ଅନ୍ତରୀକ୍ଷ କେନ୍ଦ୍ରରେ ପହଞ୍ଚି ସାରିଥିବାରୁ ୨୦୧୯ ବର୍ଷ ଶେଷ ବେଳକୁ ମହାକାଶଚାରୀ ଅନ୍ତରୀକ୍ଷରେ ତାଜା ବିସ୍କୁଟ ତିଆରି କରି ଖାଇପାରୁଥିବେ ବୋଲି ଆଶା କରାଯାଉଛି। ଯଦି ଏହା ସମ୍ଭବ ହୁଏ ତେବେ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମହାନ ଉପଲବ୍ଧି ହେବ ବୋଲି କହିଛନ୍ତି ୫୬ ବର୍ଷ ବୟସ୍କ ପୂର୍ବତନ ଅନ୍ତରୀକ୍ଷ ଯାତ୍ରୀ ମାଇକ ମୌସିମିନୋ।

ତେବେ ମାଇକ୍ରୋ ଗ୍ରାଭିଟିରେ କେମିତି ବେକିଂ କରାଯିବ ତାହା ବାସ୍ତବିକ ରୋମାଞ୍ଚକର ଅନୁଭୂତି ହେବ । ପୃଥିବୀ ଭଳି ଅନ୍ତରୀକ୍ଷରେ ପରିବେଶ ନାହିଁ। ଏଣୁ ଶୂନ୍ୟ ଗୁରୁତ୍ୱରେ ରୋଷେଇ ନିମନ୍ତେ ଜିରୋ ଜି କିଚେନ ଓ ଡବଲଟ୍ରି ବାୟ ହିଲ୍ଟନ ନାମକ ଦୁଇ ସଂସ୍ଥା ମିସି ଓଭନ ପ୍ରସ୍ତୁତ କରିଛନ୍ତି। ଯାହା ଏକ ବେଲଣା ଆକାରର କଣ୍ଟେନର ଟିଏ। ଅନ୍ତରୀକ୍ଷ କେନ୍ଦ୍ରରେ ମହାକାଶଚାରୀଙ୍କୁ ସେମାନଙ୍କ ଖାଦ୍ୟ ସେକି କରି ଖାଇବାରେ ଏହା ସହାୟକ ହେବ। ଏଥିରେ ମହାକାଶଚାରୀ ବିସ୍କୁଟ ପ୍ରସ୍ତୁତ କରିବା ସେମାନଙ୍କ ନିମନ୍ତେ ରୋମାଞ୍ଚକର ଅନୁଭୂତି ହେବ । ତେବେ ଓଭନରେ ବିସ୍କୁଟ କିପରି ପ୍ରସ୍ତୁତ ହେବ ତାହା କିନ୍ତୁ କାହାକୁ ଜଣା ନାହିଁ। ସେହିପରି ପ୍ରସ୍ତୁତ ବିସ୍କୁଟ ପୃଥିବୀର ବଜାର ହାଟରେ ବିକ୍ରି ହେଉଥିବା ବିସ୍କୁଟ ଭଳି ହେବ କି ତାଠାରୁ ବଡ ଆକାରର ହେବ ଓ ତାର ସ୍ୱାଦ କିପରି ହେବ ତାହା ବିସ୍କୁଟ ପ୍ରସ୍ତୁତି ପରେ ହିଁ ଜଣାପଡିବ।