ଫେଲ୍ ମାରିଲା ସବୁ କଟକଣା, ୧୦ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କଲେ ରାଜ୍ୟ ସରକାର

Published By : Prameya-News7 Bureau | May 11, 2021 IST

ହାଇଦ୍ରାବାଦ ୧୧।୦୫: କରୋନାର ଦ୍ଵିତୀୟ ଲହରରେ ସମଗ୍ର ଭାରତର ସ୍ଥିତି ସଙ୍ଗୀନ। ଏହାର ମୁକାବିଲା ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ଲକ୍‌ଡାଉନ୍ ଲାଗୁ କରୁଛନ୍ତି। ଏହି କ୍ରମରେ ତେଲଙ୍ଗାନା ସରକାର ମଧ୍ୟ ରାଜ୍ୟରେ ଲକ ଡାଉନ୍‌ ଘୋଷଣା କରିଛନ୍ତି। ଅନେକ ପ୍ରକାରର କଟକଣା ଫେଲ୍ ମାରିବା ପରେ ମେ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଲକ୍‌ଡାଉନ୍‌ ଲାଗୁ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ।

ଏନେଇ ମଙ୍ଗଳବାର ରାଜ୍ୟ ମୁଖ୍ୟମନ୍ତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। “ରାଜ୍ୟରେ ୧୦ ଦିନ ପାଇଁ ଲକ୍‌ଡାଉନ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସକାଳ ୬ରୁ ୧୦ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଚାଲୁ ରଖିବାକୁ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି”।  ସୋମବାର ସୁଦ୍ଧା ତେଲଙ୍ଗାନାରେ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ପ୍ରାୟ ୫୦ ହଜାରରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୪,୮୨୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣରେ ଆଉ ୩୫ ଜଣଙ୍କ ମୃତ୍ୟୁ ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨,୭୭୧କୁ ବୃଦ୍ଧି ଘଟିଛି।

ଏହା ପୂର୍ବରୁ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି , ଏଣୁ ଲକ୍‌ଡାଉନ୍‌ର ଆବଶ୍ୟକତା ପଡ଼ିବ ନାହିଁ ବୋଲି ତେଲେଙ୍ଗାନା ମୁଖ୍ୟ ଶାସନସଚିବ କହିଥିଲେ। ହେଲେ କରୋନା ପରିଚଳନା ନେଇ ହାଇକୋର୍ଟ ତେଲେଙ୍ଗାନା ସରକାରଙ୍କୁ ସମାଲୋଚନା କରିବା ପରେ ରାଜ୍ୟରେ ୧୦ ଦିନ ପାଇଁ ଲକ୍‌ଡାଉନ୍ ଲଗାଇଛନ୍ତି ତେଲେଙ୍ଗାନା ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.