ନଭେମ୍ବରରେ ଭାରତର ଅଷ୍ଟ୍ରେଲିଆ ଗସ୍ତ, କାନବେରାରେ ଟି-୨୦, ସିଡନୀରେ ଦିନିକିଆ ସିରିଜ୍

Published By : Prameya-News7 Bureau | October 21, 2020 IST

ମୁମ୍ବାଇ,୨୧|୧୦ : ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ କ୍ରିକେଟ୍‌ ଦଳ । ପାରମ୍ପରିକ ଟେଷ୍ଟ ସିରିଜ ପୂର୍ବରୁ ଉଭୟ ଦଳ ଦିନିକିଆ କ୍ରିକେଟ୍‌ ସିରିଜ୍‌ ଖେଳିବେ ବୋଲି ସ୍ପଷ୍ଟ କରିଛି କ୍ରିକେଟ୍‌ ଅଷ୍ଟ୍ରେଲିଆ । ସିଡ୍‌ନୀ ଓ କାନବେରାରେ ଦିନିକିଆ ଓ ଟି୨୦ ସିରିଜ୍‌ ଅନୁଷ୍ଠିତ ହେବ । ସିଡ୍‌ନୀରେ ଦିନିକିଆ ସିରିଜ୍‌ ଓ କାନବେରା ସ୍ଥିତ ମାନୁକା ଓଭାଲ ଗ୍ରାଉଣ୍ଡରେ ଟି-ଟ୍ୱେଣ୍ଟି ସିରିଜ ଆୟୋଜିତ ହେବ ।


ନଭେମ୍ବର ୧୦ ତାରିଖରେ ଆଇପିଏଲ୍‌ ଶେଷ ହେବ । ୧୨ ତାରିଖରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚିବ । ନ୍ୟୁ ସାଉଥ୍‌ ୱେଲ୍ସ ରାଜ୍ୟ ସରକାର ଭାରତୀୟ ଦଳର ଅବସ୍ଥାନ, କ୍ୱାରେଣ୍ଟାଇନ୍‌ ଓ ଜୈବ ସୁରକ୍ଷା ବଳୟ ପ୍ରସ୍ତୁତି ପାଇଁ ରାଜି ହୋଇଛନ୍ତି । ଖୁବ୍‌ ଶୀଘ୍ର କ୍ରିକେଟ୍‌ ଅଷ୍ଟ୍ରେଲିଆ ଓ ନ୍ୟୁ ସାଉଥ ୱେଲ୍ସ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବ ।
ଭାରତୀୟ ଦଳ ପାଇଁ ଜୈବ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ଓ କ୍ୱାରେଣ୍ଟାଇନ୍‌ ଅବଧି କୋହଳ କରିବାକୁ ପଶ୍ଚିମ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଅଷ୍ଟ୍ରେଲିଆ ରାଜ୍ୟ ସରକାର ଏପର୍ଯ୍ୟନ୍ତ ରାଜି ହୋଇ ନାହାନ୍ତି । ଅନ୍ୟ ପଟରେ ନ୍ୟୁ ସାଉଥ ୱେଲ୍ସ ସରକାର ସମସ୍ତ ବନ୍ଦୋବସ୍ତ କରିବା ପାଇଁ ଆଗ୍ରହୀ ରହିଛନ୍ତି ।

{"id":348451,"sizeSlug":"large"}

ଉଭୟ ପକ୍ଷ ମଧ୍ୟରେ ଜୋରଦାର୍‌ ବୈଠକ ଚାଲିଛି । ଖୁବ୍‌ ଶୀଘ୍ର କ୍ରୀଡ଼ାସୂଚୀ ଓ ଗସ୍ତ କାର୍ଯ୍ୟକ୍ରମ ଘୋଷଣା କରାଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ କ୍ରୀଡ଼ାସୂଚୀ ପ୍ରସ୍ତୁତ କରି ରଖିଛି । କେବଳ ଭାରତୀୟ ଦଳର ପ୍ରାରମ୍ଭିକ ଅବସ୍ଥାନ, ଜୈବ ସୁରକ୍ଷା ବଳୟ ପ୍ରସ୍ତୁତି ଓ କ୍ୱାରେଣ୍ଟାଇନ୍‌ ଅବଧି କୋହଳ କରିବା ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପ୍ରୟାସ କରୁଛି । ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ର ୪ଟି ପାଇଁ ଷ୍ଟାଡିୟମ୍‌ ଚୂଡ଼ାନ୍ତ କରାଯାଇଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ ମୁଖ୍ୟ ୟର୍ଲ ଏଡିଙ୍ଗ୍‌ସ ପ୍ରକାଶ କରିଛନ୍ତି ।

ଡିସେମ୍ବର ୧୭ରୁ ଜାନୁଆରୀ ୧୯ ତାରିଖ ମଧ୍ୟରେ ଟେଷ୍ଟ ଖେଳାଯିବ । ପ୍ରଥମ ଟେଷ୍ଟ ଆଡିଲେଡ୍‌(ଡିସେମ୍ବର ୧୭ରୁ ୨୧)ରେ ଅନୁଷ୍ଠିତ ହେବ । ଏହାପରେ ମେଲବୋର୍ଣ୍ଣରେ ଡିସେମ୍ବର ୨୬ରୁ ୩୦ ତାରିଖ ମଧ୍ୟରେ ବକ୍ସିଂ ଡେ (ଦ୍ୱିତୀୟ)ଟେଷ୍ଟ ଖେଳାଯିବ । ଜାନୁଆରୀ ୭ରୁ ୧୧ ତାରିଖ ମଧ୍ୟରେ ସିଡନୀରେ ତୃତୀୟ ଓ ଜାନୁଆରୀ ୧୫ରୁ ୧୯ ତାରିଖ ମଧ୍ୟରେ ବ୍ରିସ୍‌ବେନ୍‌ରେ ଚତୁର୍ଥ ଟେଷ୍ଟ ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.