ନଭେମ୍ବର ଯାଏଁ ରହିବ କରୋନା କଟକଣା ! ବିଶେଷଜ୍ଞ ଦେଲେ ମତ

Published By : Prameya-News7 Bureau | July 18, 2021 IST

ଭୁବନେଶ୍ୱର, ୧୮/୦୭ :  ନଭେମ୍ବର ମାସ ଯାଏ କୋଭିଡ୍‌ କଟକଣା ଲଗାଇ ରଖିବାକୁ ହେବ । ବର୍ଷ ଶେଷ ପର୍ଯ୍ୟନ୍ତ ଆମକୁ ସବୁ ନିୟମ ମାନିବାକୁ ହେବ । କାରଣ ଅନେକ ଦେଶରେ ଏବେ ତୃତୀୟ ଆସି ସାରିଲାଣି । ଆମେ ସତର୍କ ନହେଲେ ନିଶ୍ଚିତ ସଂକ୍ରମଣ ବ୍ୟାପିବ । ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶାରେ ସଂକ୍ରମଣ ବ୍ୟାପିପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ଏମିତି ଆଶଙ୍କା କରିଛନ୍ତି ।

ଡାକ୍ତର ମିଶ୍ର କହିଛନ୍ତି, ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ଆକ୍ସନ୍‌ ପ୍ଲାନ୍‌ କରିବା ଦରକାର । ଜେନମ୍‌ ସିକ୍ୟୁଏନ୍ସିଂ ବଢ଼ାଇବାକୁ ହେବ । ଏହା ହେଲେ ଆମେ ନୂଆ ଷ୍ଟ୍ରେନ୍‌ ଉପରେ ନଜର ରଖିପାରିବା । ମହାରାଷ୍ଟ୍ର ଭଳି ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ନେବା ଦରକାର । ଚିନ୍ତାର କଥା ହେଉଛି, ଯେଉଁ ଅଞ୍ଚଳରେ ଅଧିକ ସଂକ୍ରମଣ ରହିଛି, ସେଠାରେ ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେବାର ସମ୍ଭାବନା ରହୁଛି । ଆମର ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ଅଧିକ ହେଉଥିବାରୁ ନୂଆ ମ୍ୟୁଟାଣ୍ଟ ସମ୍ଭାବନା ବେଶି । ସଂକ୍ରମଣ ହାର ଆମକୁ କମାଇବାକୁ ହେବ । ସମସ୍ତଙ୍କୁ କରୋନା କଟକଣା ମାନିବାକୁ ହେବ ।

ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ତୃତୀୟ ଲହରି ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଛୁ । ବିଶ୍ୱର କିଛି ଦେଶରେ ଏବେ ସଂକ୍ରମଣ ପୁଣି ବଢ଼ିଲାଣି । ଯଦିଓ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍‌ ରହିଛି । କିନ୍ତୁ ସଂକ୍ରମଣ ବଢ଼ିଚାଲିଛି । ପ୍ରଥମ ଓ ଦ୍ୱିତୀୟ ଲହରିର ପ୍ରଭାବ ୩/୫ ମାସ ଯାଏ ରହୁଛି । ସର୍ଭିଲାନ୍ସ ଟିମ୍‌ ପ୍ରସ୍ତୁତ ରହିଛି । ଟେଷ୍ଟିଂ ବଢ଼ାଇବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି । ଟିକା ନନେଲେ ତ କୋଭିଡ୍‌ ଗାଇଡ଼ଲାଇନ୍‌ ମାନିବେ, ଟିକା ନେବା ପରେ ମଧ୍ୟ ସବୁ ନିୟମ ମାନିବାକୁ ହେବ । କୋଭିଡ୍‌ ଆମ ଚାରିପାଖେ ଘୁରି ବୁଲୁଛି । ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବା ସହ ଏମିତି ସତର୍କତା କରାଇଛନ୍ତି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ଡାକ୍ତର ମହାପାତ୍ର କହିଛନ୍ତି, ଏ ଯାଏ ଦ୍ୱିତୀୟ ଲହରି ସରିନି । କେତେବେଳେ ଉପରେ ତ ଆଉ କେତେବେଳେ ସଂକ୍ରମଣ ତଳ ହେଉଛି । ବିଶେଷକରି ଭୁବନେଶ୍ୱର ଆଉ କଟକ ଚିନ୍ତା ଯାଇନି । ଏନ୍‌ଫୋର୍ସମେଣ୍ଟକୁ ଆଗକୁ ଆହୁରି ଜୋରଦାର କରାଯିବ । ଟିକା ନେବାପରେ ଲୋକେ ସଂକ୍ରମିତ ହେଉଛନ୍ତି ସତ ହେଲେ ଗୁରତର ହେଉନାହାନ୍ତି ରୋଗୀ ।

ରବିବାର ପୁଣି ବଢ଼ିଛି ସଂକ୍ରମଣ । ପଜିଟିଭ୍‌ ହାର ମଧ୍ୟ ୨.୯୯% ବଢ଼ିଛି । ଅର୍ଥାତ ଏବେ ବି ଶହେରେ ୩ ଜଣ ଆକ୍ରାନ୍ତ ହେଉଛନ୍ତି । ୨୨୧୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଆଜି । ୬୬ ମୃତ୍ୟୁକୁ ସ୍ୱୀକାର କରିଛନ୍ତି ସରକାର । ପୁଣି ସକ୍ରିୟ ରୋଗୀ ସଂଖ୍ୟା ରାଜ୍ୟରେ ୨୦ ହଜାର ଟପିଛି । କରୋନା ମୃତ୍ୟୁ ରାଜ୍ୟରେ ୫ ହଜାର ପାର୍ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.