ଭାରତରେ ଦ୍ରୁତ ପ୍ରସାର ହେଉଛି ନଭେଲ କରୋନା ଭୂତାଣୁ, ୩୫ ମୃତ, ସଂକ୍ରମିତଙ୍କ ସଂଖ୍ୟା ହେଲା ୧,୩୯୭

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୩: ସମଗ୍ର ବିଶ୍ୱକୁ ସଂକ୍ରମିତ କରୁଥିବା ନୋଭେଲ କରୋନା ଭୂତାଣୁ ଭାରତରେ ଏବେ ଦ୍ରୁତପ୍ରସାର ହେଉଛି। ସାରା ଦେଶରେ ମଙ୍ଗଳବାର ସୁଧା ୧ହଜାର ୩୯୭ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ।

କରୋନା ଅପଡେଟ୍ ନେଇ ସୂଚନା ଦେବା ଅବସରରେ ଯୁଗ୍ମସଚିବ ଗତ ୨୪ ଘଣ୍ଟାରେ ସାରା ଦେଶରୁ ୨୨୭ଟି ନୂଆ ମାମଲା ସାମ୍ନାକୁ ଆସିଥିବା କହିଛନ୍ତି। ସେହିପରି ୩ଟି ମୃତ୍ୟୁ ଯଥାକ୍ରମେ ଗୁଜୁରାଟ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରୁ ରିପୋର୍ଟ ହୋଇଥିବା କହିଛନ୍ତି। ତେବେ ଦେଶରେ ଉପୁଜିଥିବା ପରିସ୍ଥିତିରେ ରାଜଧାନୀ ଦିଲ୍ଲୀରୁ ଅଜବ ଅଭିଯୋଗ ମିଳୁଥିବା ସଚିବ କହିଛନ୍ତି। ଏଥିରେ ଘର ମାଲିକମାନେ ସ୍ୱାସ୍ଥ୍ୟସେବା ସହ ଜଡିତ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ତୁରନ୍ତ ଘର ଖାଲିକରିବାକୁ କହୁଥିବା ଜଣାପଡିଛି।

ଏଭଳି ଅଭିଯୋଗ ମିଳିଲେ ଘରମାଲିକମାନଙ୍କ ବିରୋଧରେ ମହାମାରୀ ରୋଗ ଅଧିନିୟମ ଆଇନର ଧାରାରେ ମୋକଦ୍ଦମା ରୁଜୁ ଲାଗି ଦିଲ୍ଲୀ ସରକାର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ନଗରନିଗମ ଓ ପୋଲିସକୁ ନିର୍ଦେଶ ଦେଇଥିବା କହିଛନ୍ତି। ସେହିପରି ଦିଲ୍ଲୀ ମରକଜ ବିଲ୍ଡିଂରେ ଥିବା ଲୋକଙ୍କ ମଧ୍ୟରୁ ୨୪ ଜଣଙ୍କ ରିପୋର୍ଟ ପଜେଟିଭ ମିଳିଥିବା ଜଣାପଡିଛି। ଏହି ବିଲ୍ଡିଂରେ ଆହୁରି ୧୫ଶହରୁ ୧୭ ଶହ ଲୋକେ ଥିବାର ଅନୁମାନ କରାଯାଉଛି।

ବିଲ୍ଡିଂରେ କରୋନା ସଂକ୍ରମଣ ହୋଇଥିବା ଜଣାପଡିବା ପରେ ସେମାନଙ୍କ ମଧ୍ୟରୁ ୧୦୩୩ ଜଣ ବାହାରକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୭୦୦ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ ୩୦୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ଜମାତ ସରିବା ପରେ ୨୧ରୁ ୨୩ ମାର୍ଚ୍ଚ ମଧ୍ୟରେ ଅନେକ ଲୋକ ବିଭିନ୍ନ ରାଜ୍ୟକୁ ଯାଇଛନ୍ତି। ଏଣୁ ସେମାନଙ୍କ ଯୋଗୁ ଅନେକ ଲୋକ ସଂକ୍ରମିତ ହୋଇଥିବାର ଏବେ ଆଶଙ୍କା କରାଯାଉଛି ବୋଲି ଅଗ୍ରୱାଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.