କୋଭିଡ୍‌-୧୯ର ଶିକାର ହେଲେ ଦୁନିଆର ଏକ ନମ୍ବର ପୁରୁଷ ଟେନିସ୍ ଖେଳାଳି

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩।୦୬: ଦୁନିଆର ଏକ ନମ୍ବର ପୁରୁଷ ଟେନିସ୍‌ ତାରକା ନୋଭାକ ଜାକୋଭିକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ତାଙ୍କର ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି। ସର୍ବିଆର ଏହି ଖେଳାଳି ନିକଟରେ ସର୍ବିଆ ଓ କ୍ରୋଏସିଆରେ ଆୟୋଜିତ ପ୍ରଦର୍ଶନୀ ପ୍ରତିଯୋଗିତାରେ ସାମିଲ ହୋଇଥିଲେ।  ଏଠାରେ ଅନେକ ଖେଳାଳି କରୋନା ସଂକ୍ରମିତ ହୋଇଥିଲେ। ଏହା ପରେ ଜାକୋଭିକ୍ ନିଜର ଯାଞ୍ଚ କରାଇଥିଲେ। କରୋନା ସଂକ୍ରମିତ ଚିହ୍ନଟ  ହେବା ପରେ ଫାଇନାଲ୍ ମ୍ୟାଚ୍ ରଦ୍ଦ ହୋଇଥିଲା। ଏହା ପରେ ଜାକୋଭିକ୍ କ୍ରୋଏସିଆ ଚାଲି ଯାଇଥିଲେ। ବେଲଗ୍ରାଦରେ ସେ ନିଜର ପରୀକ୍ଷଣ କରାଇଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ଜାକୋଭିକ୍ ନିଜକୁ ଆଇସୋଲେଟ୍ କରିଛନ୍ତି।

ଜାକୋଭିକ୍‌ଙ୍କ ଷ୍ଟାଫ ଦ୍ଵାରା ଜାରି  ବୟାନ ଅନୁଯାୟୀ, ଜାକୋଭିକ୍‌ କୋଭିଡ୍‌-୧୯ ଚିହ୍ନଟ ହୋଇଛନ୍ତି। ହେଲେ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ଏହା ପୂର୍ବରୁ ପ୍ରଦର୍ଶନୀ ମ୍ୟାଚ୍‌ରେ ଯୋଗ ଦେଇଥିବା ଭିକ୍ଟର ଟ୍ରାଇକି ମଙ୍ଗଳବାର କହିଛନ୍ତି, ସେ ଓ ତାଙ୍କ ଗର୍ଭବତୀ ପତ୍ନୀ ଉଭୟ କରୋନା ସଂକ୍ରମିତ। ସର୍ବିଆର ଖେଳାଳି ଟ୍ରାଇକି ଦୁଇଟି ପର୍ଯ୍ୟାୟରେ ଆୟୋଜିତ ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ବେଲଗ୍ରାଦରେ ଜାକୋଭିକ୍‌ଙ୍କ ବିରୋଧରେ ଖେଳିଥିଲେ। ଟ୍ରାଇକି ବିଶ୍ଵ ମାନ୍ୟତାରେ ଶୀର୍ଷ ୨୦ରେ ସାମିଲ।

ଦୁନିଆର ଏକ ନମ୍ବର ଟେନିସ୍‌ ଖେଳାଳି ଜାକୋଭିକ୍ ଏହି ପ୍ରଦର୍ଶନୀ ମ୍ୟାଚ୍‌ର ଚେହେରା ଥିଲେ। ଏଡ୍ରିୟା ଟୁର୍‌ ନାମରେ ଆୟୋଜିତ ଏହି ସିରିଜ୍ ପ୍ରଦର୍ଶନୀ ମ୍ୟାଚ୍‌ର ଉଦଘାଟନ ସର୍ବିଆର ରାଜଧାନୀରେ ହୋଇଥିଲା। ଗତ ସପ୍ତାହରେ କ୍ରୋଏସିଆର ଜଦରରେ ମ୍ୟାଚ୍‌ର ଆୟୋଜନ ହୋଇଥିଲା।

ଦର୍ଶକରେ ଭରା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଜାକୋଭିକ୍‌ଙ୍କ ଭାଇ କରିଥିଲେ। ଏହାକୁ ନେଇ ସମାଲୋଚନା ମଧ୍ୟ ହୋଇଥିଲା। ଏହି ସମୟରେ ସାମାଜିଦ ଦୂରତ୍ଵ ପାଳନ କରାଯାଇନଥିଲା। ଟେନିସ୍‌ ଖେଳାଳି ଗ୍ରିଗେର ଦିମିତ୍ରୋଭ, ବୋର୍ନା କୋରିକ ଓ ଭିକ୍ଟର ଟ୍ରାଇକି କରୋନା ପଜିଟିଭ୍ ହେବା  ପରେ ପ୍ରଦର୍ଶନୀ ଟୂର୍ଣ୍ଣାମେଣ୍ଟକୁ ରଦ୍ଦ କରାଯାଇଛି। ଏହି ଟୂର୍ଣ୍ଣାମେଣ୍ଟର ଦ୍ଵିତୀୟ ପର୍ଯ୍ୟାୟରେ ନୋଭାକ ଜାକୋଭିକ୍ ଏବଂ ରୁଷର ଆନ୍ଦ୍ରେ ରୁବଲେଭଙ୍କ ସହ ଫାଇନାଲ୍ ମ୍ୟାଚ୍‌ ହେବାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.