ପ୍ରିୟଙ୍କାଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନୋଟିସ୍, ମାସେ ମହଲତ, ୨୩ ବର୍ଷ ଧରି ଲୋଧି ଇଷ୍ଟେଟରେ ଅଛନ୍ତି କଂଗ୍ରେସ ମହାସଚିବ

Published By : Prameya-News7 Bureau | July 01, 2020 IST

ନୂଆଦିଲ୍ଲୀ, ୦୧|୦୭:   କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଗଷ୍ଟ ୧ ସୁଦ୍ଧା ଲୋଧି ଇଷ୍ଟେଟ୍ ସ୍ଥିତ ଘର ଖାଲି କରିବାକୁ ନୋଟିସ ପଠାଯାଇଛି । ଗୃହ ଏବଂ ସହର ବିକାଶ ବିଭାଗ ପକ୍ଷରୁ ଏହି ନୋଟିସ ହୋଇଛି । ଅଗଷ୍ଟ ୧ ପରେ ପ୍ରିୟଙ୍କା ଏହି ବଙ୍ଗଳାରେ ରହିପାରିବେ ନାହିଁ ବୋଲି ନୋଟିସରେ ଉଲ୍ଲେଖ ରହିଛି ।

ତେବେ ଗତ କିଛି ଦିନ ଧରି ପ୍ରିୟଙ୍କା ଲଗାଚାର ଭାବେ ବିଜେପି ଓ ଆରଏସଏସକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରି ଆସୁଛନ୍ତି । ଏପରିକି ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ସମାଲୋଚନା କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ଅପେକ୍ଷା ପ୍ରିୟଙ୍କା ବିଜେପି ଅଧିକ ଭାରି ପଡୁଥିବା ଦେଖିବାକୁ ମିଳିଛି । ତେଣୁ କେନ୍ଦ୍ର ସରକାର ଆକ୍ରୋଶମୂଳକ ଭାବେ ଏପରି କରୁଥିବା ମଧ୍ୟ କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି ।  

ନୋଟିସରେ କୁହାଯାଇଛି ଯେ, ପ୍ରିୟଙ୍କାଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯିବ । ଏହି ବ୍ୟବସ୍ଥାରେ ଯାହାକୁ ଏହି ସୁରକ୍ଷା ପ୍ରଦାନ କରାଯାଏ ତାଙ୍କୁ ସରକାରୀ ଘର ପ୍ରଦାନ କରାଯିବା ନେଇ ନିୟମ ନାହିଁ ।

ଏସପିଜି ସୁରକ୍ଷା ହଟାଇ ଦିଆଯିବା ପରେ ପ୍ରିୟଙ୍କା, ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ଏବେ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରଯାଉଛି । ଏହି ବ୍ୟବସ୍ଥାରେ ସୁରକ୍ଷାରେ ସିଆରପିଏଫ ଯବାନଙ୍କୁ ନିୟୋଜିତ କରାଯାଇଥାଏ । ତେବେ ବିଭିନ୍ନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । କାରଣ ପ୍ରିୟଙ୍କାଙ୍କ ଉପରେ ସେପରି କିଛି ବଡ ବିପଦ ନାହିଁ ।

ଏହାକୁ ନେଇ କଂଗ୍ରେସ ନେତା ସୁଷ୍ମିତା ଦେବ ପ୍ରତ୍ରିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,  ଏବେ କାହିଁକି ନିୟମକୁ ପାଳନ କରାଯାଉଛି । ପ୍ରିୟଙ୍କାଙ୍କ ଏସପିଜି ବ୍ୟବସ୍ଥା ୬ ମାସ ପୂର୍ବରୁ ହଟାଇ ଦିଆଯାଇଛି । ତେବେ ପ୍ରିୟଙ୍କାଙ୍କ ସୁରକ୍ଷାକୁ ନେଇ ଅଧିକ ଚିନ୍ତା ରହିଛି । ସରକାର ତାଙ୍କର ସୁରକ୍ଷା ବ୍ୟବସ୍ଥା ସହ ଖେଳିବା ଅନୁଚିତ ।

ସୂଚନାଯୋଗ୍ୟ, ଜୁନ ୩୦ ସୁଦ୍ଧା ପ୍ରିୟଙ୍କାଙ୍କ ଉପରେ ୩,୪୬,୬୭୭ ଟଙ୍କାର ବକେୟା ରହିଛି । ତାଙ୍କୁ ବକେୟା ରାଶି ପ୍ରଦାନ କରିବାକୁ କୁହାଯାଇଛି । ସେ ୧୯୯୭ରୁ ୩୫ ଲୋଧି ଏଷ୍ଟେଟରେ ରହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.