ଟ୍ରମ୍ପଙ୍କୁ WHO ମୁଖ୍ୟଙ୍କ ଜବାବ, ‘କରୋନାକୁ ନେଇ ରାଜନୀତି ନିଆଁରେ ଖେଳିବା ସହ ସମାନ’
9/04/2020 at 2:20 PM

ଜେନିଭା, ୦୯|୦୪: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ ସଂକ୍ରମଣ ବିରୋଧି ଲଢେଇରେ ସମସ୍ତ ଦେଶକୁ ଏକଜୁଟ ହେବାକୁ କହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟୁଏଚଓକୁ ସମାଲୋଚନା କରିବା ପରେ ସଂଗଠନ ମୁଖ୍ୟ ଟେଡ୍ରୋସ ଗେବ୍ରେୟେସସ୍ ଏହାର ଜବାବ ଦେଇଛନ୍ତି । ଏହି ମହାମାରୀକୁ ନେଇ ରାଜନୀତିକରଣ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଟେଡ୍ରୋସ ଜେନିଭାରେ ମିଡିଆକୁ କହିଛନ୍ତି ଯେ, କୋଭିଡ-୧୯କୁ ନେଇ ହେଉଥିବା ରାଜନୀତି ବନ୍ଦ ହେଉ । ଜଣେ ଅନ୍ୟ ଜଣଙ୍କୁ ଦୋଷ ଦେଇ ସମୟ ନଷ୍ଟ କରିବା ଅନୁଚିତ । ଏହା ନିଆଁ ସହ ଖେଳିବା ସହ ସମାନ । ସମସ୍ତଙ୍କୁ ସାବଧାନ ରହିବାକୁ ହେବ ।

ଟ୍ରମ୍ପ୍ ସଂଗଠନକୁ ଫଣ୍ଡିଂ ରୋକିବା ପାଇଁ ଚେତାବନୀ ଦେଇସାରିଛନ୍ତି । ଏହାକୁ ନେଇ ଟେଡ୍ରୋସ କହିଥିଲେ ଯେ, ମହାମାରୀ ସମୟରେ ରାଜନୀତି ଅଧିକ ମତଭେଦ ସୃଷ୍ଟି କରିବ । ରାଜନୀତିକୁ ବର୍ତ୍ତମାନ କ୍ୱାରେଣ୍ଟାଇନରେ ରଖାଯାଉ । ଏପରି ଦୋଷାରୋପ କରି ସମୟ ଅପଚୟ କରିବା ଠିକ ନୁହେଁ ।
ସୂଚନାଯୋଗ୍ୟ, ଟ୍ରମ୍ପ ଡବ୍ଲ୍ୟୁଏଚଓକୁ ଚୀନକୁ ସମର୍ଥନ କରିଥିବାରୁ ତାଗିଦ କରିବା ସହ ଆର୍ଥିକ ସହାୟତା ବନ୍ଦ କରାଯିବ ବୋଲି ମଧ୍ୟ ଧମକ ଦେଇଥିଲେ । ଆମେରିକାରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି ।ଦେଶରେ ୧୪ହଜାରରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇ ସାରିଲେଣି ।