ଏପ୍ରିଲ ୧୪ରେ ଲକ୍‌ଡାଉନ୍‌ ଉଠିବ ନାହିଁ, ସର୍ବଦଳୀୟ ବୈଠକରେ ଏମିତି କିଛି ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୦୮।୦୪: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ୨୧ ଦିନିଆ ଲକ୍‌ଡାଉନ୍‌ର ଅବଧି ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି। କଣ ଲକ୍‌ଡାଉନ୍‌ ହଟିବ ନା ଏହାର ଅବଧି ବଢିବ ଏହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଲକ୍‌ଡାଉନ୍‌ ହଟିବା ସଂପ୍ରତି ସମ୍ଭବ ନୁହଁ  ବୋଲି ସଙ୍କେତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି ୫୦୦୦ ପହଞ୍ଚିଛି।

ପ୍ରଧାନମନ୍ତ୍ରୀ ସଂସଦରେ ପ୍ରତିନିଧିତ୍ଵ କରୁଥିବା ରାଜନୈତିକ ପାର୍ଟିର ନେତାଙ୍କ ସହିତ  ସର୍ବଦଳୀୟ ବୈଠକରେ ଲକଡାଉନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି  ବୈଠକ ଆୟୋଜିତ ହୋଇଛି। ଏଥିରେ ପ୍ରାୟତଃ ସମସ୍ତ ବିରୋଧୀ ଦଳର ନେତା ଯୋଗ ଦେଇଥିଲେ।

ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏପ୍ରିଲ ୧୧ର ପୁଣି ଥରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ ବୈଠକରେ ପ୍ରାୟତଃ ସବୁ ବିରୋଧୀ ଦଳର ନେତା ସାମିଲ ହୋଇ ନିଜ ନିଜର ମତ ରଖିଛନ୍ତି। ଏହି ବୈଠକରେ ସରକାର ଦ୍ଵାରା କରୋନା ସଙ୍କଟର ମୁକାବିଲା ପାଇଁ ପଦକ୍ଷେପ ବିଷୟରେ ସୂଚନା ଦେବା ସହ ନେତାଙ୍କଠୁ ରାୟ ମାଗିଛନ୍ତି। ଏହି ସମୟରେ କିଛି ନେତା ଆଂଶିକ ଭାବେ ଲକ୍‌ଡାଉନ୍‌ ହଟାଇବାକୁ ଦାବି ରଖିଥିଲେ।

ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାୟ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲକ୍‌ଡାଉନ୍‌ ବଢାଇବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ। କୁହାଯାଉଛି ଯେ, ଏବେ ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ବୈଠକ ପରେ ଲକ୍‌ଡାଉନ୍‌ ଉପରେ କୌଣସି ନିଷ୍ପତ୍ତି ନେଇ ପାରନ୍ତି।

ବୈଠକ ପରେ ବିଜେଡି ନେତା ପିନାକି ମିଶ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ଆମକୁ କହିଛନ୍ତି ଯେ, କରୋନା ପରେ ଜୀବନ ପୂର୍ବପରି ଆଉ ରହିବ ନାହିଁ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏପ୍ରିଲ ୧୪ ପରେ ଏକ ସଙ୍ଗେ ଲକ୍‌ଡାଉନ୍‌ ଉଠିବ ନାହିଁ।

ଏହି ବୈଠକରେ କଂଗ୍ରେସର ଗୁଲାମ ନବି ଆଜାଦ, ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ, ଶିବସେନାର ସଞ୍ଜୟ ରାଉତ, ବିଜେଡିର ପିନାକି ମିଶ୍ର, ଏନସିପିର ଶରଦ ପାଓ୍ଵାର, ଏସପିର ରାମଗୋପାଲ ଯାଦବ, ଶିରୋମଣି ଅକାଳି ଦଳର ସୁଖବୀର ସିଂହ ବାଦଲ, ବିଏସପିର ସତିଶ ଚନ୍ଦ୍ର ମିଶ୍ର, ଓ୍ଵାଇଏସଆର କଂଗ୍ରେସର ବିଜୟ ସାଇ ରେଡ୍ଡ ଓ ମିଥୁନ ରେଡ୍ଡୀ, ଜେଡିୟୁର ରାଜୀବ ରଞ୍ଜନ ସିଂହ ସମେତ ଅନେକ ନେତା ଭାଗ ନେଇଥିଲେ।

ଉଲ୍ଲେଖଯୋଗ୍ୟ କରୋନା ଭାଇରସର ନିୟନ୍ତ୍ରଣ ପାଇଁ ଦେଶରେ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍ ଜାରି ରହିଛି। ଏହା ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି। ହେଲେ ଅନେକ ରାଜ୍ୟ ସରକାର ଲକ୍‌ଡାଉନ୍‌ ବଢାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସରକାରଙ୍କ ରାୟ ଏବଂ ବିଶେଷଜ୍ଞଙ୍କ ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.