ଏହି ଭାରତୀୟ ସୁନ୍ଦରୀଙ୍କୁ ପାକିସ୍ତାନ ବି ଦିଏ ସମ୍ମାନ, ଇତିହାସ ପୃଷ୍ଠାରେ ଛାଡିଯାଇଛନ୍ତି ନିଜର ଅମର ସ୍ବାକ୍ଷର…ପଢନ୍ତୁ ପୂରା କାହାଣୀ

Published By : Prameya-News7 Bureau | September 05, 2019 IST

ନୂଆଦିଲ୍ଲୀ ୫/୯: ସେପ୍ଟେମ୍ବର ୫ତାରିଖରେ ସମଗ୍ର ଦେଶରେ ଗୁରୁ ଦିବସ ପାଳନ କରାଯାଏ। କିନ୍ତୁ ଏହି ଦିନକୁ ଭାରତ ଇତିହାସରେ ଆଉ ଏକ କାରଣ ପାଇଁ ମଧ୍ୟ ସ୍ମରଣ କରାଯାଏ। ଆଜିର ତାରିଖରେ ଭାରତର ଜଣେ ଝିଅ ପଡ଼ୋଶୀ ଦେଶ ପାକିସ୍ତାନରେ ବାହାଦୁରି ଦେଖାଇଥିଲେ। ମଣିଷପଣିଆକୁ ବଞ୍ଚାଇ ରଖିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ। ଭାରତର ଏହି ନିର୍ଭୀକ ଝିଅଙ୍କ ନାଁ ହେଲା – ନୀରଜା ଭନୋତ।

{"id":153562}

ଆଜି ନୀରଜାଙ୍କ ଶହୀଦ ହେବାର ୩୩ବର୍ଷ ପୂରି ସାରିଛି। ତାଙ୍କ ପୁଣ୍ୟ ତିଥିରେ ଆମେ ଆପଣଙ୍କୁ ନୀରଜାଙ୍କ କିଛି ଏପରି କଥା କହିବୁ ଯାହା ସମସ୍ତଙ୍କ ପାଇଁ ଏକ ମଣିଷପଣିଆର ଉଦାହରଣ।

{"id":153563,"width":573,"height":466}

୧୯୮୬ମସିହା ସେ​ପ୍ଟେମ୍ବର ୫ତାରିଖରେ ଯେତେବେଳେ ପ୍ୟାନ ଏଏମ୍ ୭୩ ବିମାନକୁ କରାଚୀ ଏୟାରପୋର୍ଟରୁ ଆତଙ୍କବାଦୀମାନେ ହାଇଜ୍ୟାକ୍ କରିଥିଲେ ସେତେବେଳେ ଏହି ଫ୍ଲାଇଟ୍ ମୁମ୍ବାଇରୁ ଆମେରିକା ଯାଉଥିଲା। ଏହି ବିମାନରେ ୩୮୦ଜଣ ଯାତ୍ରୀ ଏବଂ ୧୩ଜଣ ବିମାନ କର୍ମଚାରୀ ଥିଲେ। ନୀରଜା ଭନୋତ ମଧ୍ୟ ଏହି ବିମାନରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଥିଲେ।

{"id":153565}

ହାଇଜ୍ୟାକ୍ ବିଷୟରେ ଜାଣିବାରୁ ନୀରଜା କକପିଟରେ ବସିଥିବା ପାଇଲଟଙ୍କୁ ସତର୍କ କରିଥିଲେ। ସେହି ଦିନ ନୀରଜା ନିଜ ବୁଦ୍ଧି ବଳରେ ଅନେକ ଯାତ୍ରୀଙ୍କର ଜୀବନ ବଞ୍ଚାଇଥିଲେ। ଅନେକ ସମୟ ପରେ ପରିସ୍ଥିତିର ଫାଇଦା ଉଠାଇ ନୀରଜା ଯାତ୍ରୀଙ୍କୁ ବିମାନର ଜରୁରୀକାଳୀନ ଦ୍ବାର ଦେଇ ବାହାରକୁ ବାହାର କରିବା ଆରମ୍ଭ କରିଥିଲେ। ଶେଷରେ ଯେତେବେଳେ ନୀରଜାଙ୍କର ବିମାନରୁ ଓହ୍ଲାଇବାର ସୁଯୋଗ ଆସିଥିଲା, ସେତେବେଳେ ବିମାନରେ ଆହୁରି ୩ଜଣ ପିଲା ଫସି ରହିଥିବା ସେ ଜାଣିବାକୁ ପାଇଥିଲେ । ସେ ଜମା ନଡରି ସେହି ପିଲାଙ୍କୁ ବଞ୍ଚାଇବାକୁ ବିମାନ ଭିତରକୁ ଚାଲି ଯାଇଥିଲେ। ପିଲାମାନେ ବଞ୍ଚି ଯାଇଥିଲେ, କିନ୍ତୁ ନୀରଜାଙ୍କୁ ଆତଙ୍କବାଦୀମାନେ ମାରି ଦେଇଥିଲେ। ସେତେବେଳେ ନୀରଜାଙ୍କୁ ମାତ୍ର ୨୨ବର୍ଷ ବୟସ ହୋଇଥିଲା।

{"id":153566,"width":575,"height":478}

ନୀରଜାଙ୍କ ମାଆଙ୍କ ନାଁ ରମା ଭନୋତ ଏବଂ ବାପାଙ୍କ ନାଁ ହରୀଶ ଭନୋତ। ସେ ୧୯୬୩ମସିହା ସେପ୍ଟେମ୍ବର ୭ତାରିଖରେ ଚଣ୍ଡିଗଡ଼ରେ ଜନ୍ମ ହୋଇଥିଲେ। ସେ ତାଙ୍କ ବାପା ମାଆଙ୍କ ଗେହ୍ଲୀ ଝିଅ ଥିଲେ। ତାଙ୍କୁ ଘରେ ସମସ୍ତେ ଲାଡୋ ଡାକୁଥିଲେ। ନୀରଜାଙ୍କ ପାଠପଢ଼ା ପ୍ରଥମେ ଚଣ୍ଡିଗଡ଼ ଏବଂ ପରେ ମୁମ୍ବାଇରେ ହୋଇଥିଲା।

{"id":153567}

ମୁମ୍ବାଇରେ ପାଠପଢ଼ା ସମୟରେ ତାଙ୍କୁ ମଡେଲିଂର ଅଫର ମିଳିଥିଲା। ନୀରଜା ଅନେକ ବଡ଼ ବଡ଼ କମ୍ପାନୀର ବିଜ୍ଞାପନରେ ମଧ୍ୟ ନଜର ଆସିଥିଲେ।

{"id":153568,"width":579,"height":481}

୧୯ବର୍ଷ ବୟସ୍କା ନୀରଜାଙ୍କ ବିବାହ ଜଣେ ମେରାଇନ୍ ଇଞ୍ଜିନିୟରଙ୍କ ସହ ହୋଇଥିଲା। ବିବାହ ପରେ ସେ ୟୁଏଇର ଶାରଜାହରେ ରହୁଥିଲେ। କିନ୍ତୁ ସେଠାରେ ତାଙ୍କୁ ଘରୋଇ ହିଂସାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗାଳି,ଧମକ,ଭୋକ,ମାଡ଼ପିଟ ଏସବୁ ଦୁଇ ମାସ ସହିବା ପରେ ନୀରଜା ତାଙ୍କ ସ୍ବାମୀକୁ ଛାଡ଼ି ମୁମ୍ବାଇ ଫେରି ଆସିଥିଲେ। ଏହା ପରେ ସେ ଫ୍ଲାଇଟ୍ ଆଟେଣ୍ଡାଣ୍ଟର କ୍ୟାରିୟରକୁ ବାଛିଥିଲେ।

{"id":153569}

ନୀରଜାଙ୍କ ମାଆ ରମା ଭନୋତ କହିଥିଲେ ଯେ ଥରେ ଯେତେବେଳେ ନୀରଜା ତାଙ୍କୁ ପଚାରିଥିଲେ ଯଦି ସେ କେବେ ହାଇଜ୍ୟାକ ଭଳି ପରିସ୍ଥିତିରେ ଫସିଯାଆନ୍ତି ସେତେବେଳେ ତାଙ୍କୁ କଣ କରିବା ଉଚିତ୍। ସେତେବେଳେ ତାଙ୍କ ମାଆ ଉତ୍ତର ଦେଇଥିଲେ ଯେ ଯଦି ଏପରି କିଛି ହେଲା ତେବେ ସେ ସେଠାରୁ ଖସି ପଳାଇବେ।

{"id":153570}

ଏହା ଶୁଣି ନୀରଜା ବିଶ୍ବାସର ସହ ମାଆଙ୍କୁ କହିଥିଲେ ଯେ ‘ତୁମ ଭଳି ମାଆ ହେଲେ ଦେଶର କ’ଣ ହେବ? ମରି ଯିବି କିନ୍ତୁ ଖସି ପଳାଇବି ନାହିଁ’। ନିଜର ଏହି କଥାକୁ ନୀରଜା ସତ କରି ଦେଖାଇଥିଲେ। ୧୯୮୬ମସିହା ସେପ୍ଟେମ୍ବର ୫ତାରିଖରେ ଏପରି ଅତ୍ୟନ୍ତ କଠିନ ଏବଂ ବିପଦଜନକ ପରିସ୍ଥିତିରେ ମଧ୍ୟ ନୀରଜା ଖସି ପଳାଇନଥିଲେ। ବରଂ ଅନ୍ୟ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ।

{"id":153571}

ନୀରଜାଙ୍କ ସାହସିକତା ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ବୀରତା ପୁରସ୍କାର ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ନୀରଜା ଏହି ସମ୍ମାନ ପାଇଥିବା ଭାରତର ପ୍ରଥମ ସବୁଠୁ କମ୍ ବୟସର ମହିଳା।

{"id":153572,"width":584,"height":327}

କେବଳ ଏତିକି ନୁହେଁ,ନୀରଜାଙ୍କୁ ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ମଧ୍ୟ ‘ତମଗା-ଏ-ଇନସାନିୟତ’ ସମ୍ମାନରେ ସମ୍ମାନିତ କରିଛି। ୨୦୦୪ମସିହାରେ ଭାରତୀୟ ଡାକ ତାଙ୍କ ଫଟୋରେ ଡାକ ଟିକଟ ଜାରି କରିଥିଲା।

{"id":153573}

୨୦୧୬ମସିହାରେ ରାମ ମାଧଓ୍ବାନି ନୀରଜାଙ୍କ କାହାଣୀ ଉପରେ ଏକ ବାୟୋପିକ୍ କରିଥିଲେ। ଏହି ଫିଲ୍ମରେ ସୋନମ୍ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ନାଁ ମଧ୍ୟ ‘ନୀରଜା’ ରଖାଯାଇଥିଲା। ଏହି ଫିଲ୍ମକୁ ଶ୍ରେଷ୍ଠ ହିନ୍ଦୀ ଫିଚର ଫିଲ୍ମର ଜାତୀୟ ପୁରସ୍କାର ମିଳି ସାରିଛି।

{"id":153575}

ଏହି ଫିଲ୍ମରେ ନୀରଜା ଏବଂ ତାଙ୍କ ମାଆଙ୍କ ଅନାବିଳ ସ୍ନେହକୁ ମଧ୍ୟ ଭଲ ଭାବେ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ନୀରଜାଙ୍କ ମାଆ ରମାଙ୍କ ଭୂମିକାରେ ଶବାନା ଆଜମୀ ଅଭିନୟ କରିଥିଲେ।

{"id":153576}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.