ଲେଉଟିଲା କରୋନା ! କେବଳ ମହାରାଷ୍ଟ୍ର ନୁହେଁ ଦେଶକୁ ଟେନସନ୍ ଦେଉଛନ୍ତି ଏହି ୭ ରାଜ୍ୟ

Published By : Prameya-News7 Bureau | February 23, 2021 IST

ନୂଆଦିଲ୍ଲୀ ୨୩।୦୨: ମହାରାଷ୍ଟ୍ରରେ ପୁଣି କରୋନା ଭାଇରସ୍‌ ବୃଦ୍ଧି ଘଟିବା ସମଗ୍ର ଦେଶ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେପଟେ ଦେଶର ଅନ୍ୟ କିଛି ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି। ଦେଶର ୨୮ ରାଜ୍ୟ ଓ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୧୬ଟି ରାଜ୍ୟରେ ଗତ ସପ୍ତାହରେ କରୋନା ସଂକ୍ରମଣ ବୃଦ୍ଧି ଘଟିଛି। ହେଲେ ଏଥିରୁ ସାତ-ଆଠଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛନ୍ତି।

ଗତ ସପ୍ତାହ ତୂଳନାରେ ମହାରାଷ୍ଟ୍ରରେ କରୋନା କେସ୍‌ ସଂଖ୍ୟା ୮୧ ପ୍ରତିଶତ ବଢିଥିବା ବେଳେ ମଧ୍ୟ ପ୍ରଦେଶରେ ୪୩ ପ୍ରତିଶତ, ପଞ୍ଜାବରେ ୩୧ ପ୍ରତିଶତ, ଜାମ୍ମୁ-କାଶ୍ମୀରରେ ୨୨ ପ୍ରତିଶତ, ଛତିଶଗଡରେ ୧୩ ପ୍ରତିଶତ ଓ ହରିୟାଣାରେ ୧୧ ପ୍ରତିଶତ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ବଢିଛି।

ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ, ଚଣ୍ଡିଗଡରେ ନୂତନ କେସ ସଂଖ୍ୟା  ୪୩ ପ୍ରତିଶତ ବୃଦ୍ଧି ଘଟିଛି। ଏଠାରେ କରୋନାର ନୂତନ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ଫେବୃଆରୀ ୧୫ରୁ ୨୧ ମଧ୍ୟରେ କର୍ଣ୍ଣାଟକରେ ୨ ହଜାର ୮୭୯ ନୂତନ କେସ୍ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର, କେରଳ, ତାମିଲନାଡୁ ପରେ କର୍ଣ୍ଣାଟକ ଦେଶର ଚତୁର୍ଥ ରାଜ୍ୟ ଯେଉଁଠି କରୋନାର ସବୁଠୁ ଅଧିକ ନୂତନ ମାମଲା ସାମ୍ନାକୁ ଆସିଛି। ଅନ୍ୟପକ୍ଷେ ଗୁଜରାଟରେ ଚଳିତ ସପ୍ତାହରେ ୧ ହଜାର ୮୬୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜଧାନୀ ଦିଲ୍ଲୀରେ ମଧ୍ୟ  କରୋନା ମୁଣ୍ଡ ଟେକିଛି। ଚଳିତ ସପ୍ତାହରେ ରାଜଧାନୀରେ କରୋନାର ୯୫୪ ନୂତନ କେସ୍ ଚିହ୍ନଟ ହୋଇଛନ୍ତି। ଦେଶରେ ସୋମବାର ୧୦ ହଜାର ୫୭୦ ନୂତନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଗତ ୬ ସପ୍ତାହରେ ଦେଶରେ ସର୍ବାଧିକ କରୋନା କେସ୍। ସାଧାରଣଃ ଓ୍ବିକେଣ୍ଡରେ ସୋମବାର କରୋନା ମାମଲା ସଂଖ୍ୟା କମ ହୋଇଥାଏ।

ଆଶ୍ଵସ୍ତିକର କଥା ଦେଶରେ କରେନା ଜନିତ ମୃତ୍ୟୁ ସଂଖ୍ୟାରେ କୌଣସି ବୃଦ୍ଧି ଘଟିନି। ସୋମବାର ଦେଶରେ କରୋନାରେ ୭୭ ଜଣଙ୍କ ମୃତ୍ୟୁ ଘଟିଛି। ଯାହା ଗତ ମେ ୩ ପରଠୁ ସବୁଠୁ କମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.