ଦେଶର ନାଁ ‘ଇଣ୍ଡିଆ’ ବଦଳରେ ‘ଭାରତ’ କାହିଁକି ନହେବ ? ଜୁନ୍ ୨ରେ ସୁପ୍ରିମକୋର୍ଟରେ ଶୁଣାଣି

Published By : Prameya-News7 Bureau | May 29, 2020 IST

ନୂଆଦିଲ୍ଲୀ ୨୯।୦୫: ସମ୍ବିଧାନରେ ସଂଶୋଧନ କରି ‘ଇଣ୍ଡିଆ’ ଶବ୍ଦ ସ୍ଥାନରେ ‘ଭାରତ’ କିମ୍ବା ‘ହିନ୍ଦୁସ୍ତାନ’ କରି ବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ଦାବି କରି ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟ ଜୁନ ୨ରେ ଶୁଣାଣି କରିବେ। ଆବେଦନରେ ଦାବି କରାଯାଇଛି ଯେ, ‘ଭାରତ’ କିମ୍ବା ‘ହିନ୍ଦୁସ୍ତାନ’  ଶବ୍ଦ ଆମର ରାଷ୍ଟ୍ରୀୟତା ପ୍ରତି ଗୌରବର ଭାବ ଉତ୍ପନ କରିବ।

ଶୁକ୍ରବାର ମୁଖ୍ୟ ବିଚାରପତି ଏସଏ  ବୋବଡେଙ୍କ ନେତୃତ୍ଵାଧୀନ ପୀଠ ଶୁକ୍ରବାର ଏହି ଆବେଦନ ଉପରେ ଶୁଣାଣି କରିବାର ଥିଲା। ହେଲେ ଏହାକୁ ଆଜିର ଶୁଣାଣି ତାଲିକାରୁ ହଟାଇ ଦିଆଯାଇଥିଲା। ସୁପ୍ରିମକୋର୍ଟର ଓ୍ଵେବ୍‌ସାଇଟ୍‌ରେ ଅପଲୋଡ୍‌ ନୋଟିସ୍ ଅନୁଯାୟୀ, ଏହି ମାମଲାର ଶୁଣାଣି ଜୁନ ୨ରେ ମୁଖ୍ୟ ବିଚାରପତିଙ୍କ ନେତୃତ୍ଵାଧୀନ ପୀଠ କରିବେ। ଆବେଦନରେ ସରକାରଙ୍କୁ ସମ୍ଵିଧାନର ଅନୁଚ୍ଛେଦ ୧ରେ ସଂଶୋଧନ ପାଇଁ ଉଚିତ୍ ପଦକ୍ଷେପ ନେଇ ‘ଇଣ୍ଡିଆ’ ଶବ୍ଦକୁ ହଟାଇ ‘ଭାରତ’ କିମ୍ବା ‘ହିନ୍ଦୁସ୍ତାନ’ ଲେଖିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।

ଏହି ଆବେଦନ ଦିଲ୍ଲୀର ଜଣେ ନିବାସୀ ଦାଖଲ କରିଛନ୍ତି। ସେ ଦାବି କରିଛନ୍ତି, ଏହି ସଂଶୋଧନ ଦେଶର ନାଗରିକଙ୍କୁ ଔପନିବେଶକଙ୍କ ଅତୀତରୁ ମୁକ୍ତି ଦେବା ସୁନିଶ୍ଚିତ କରିବ। ଆବେଦନରେ ୧୯୪୮ ସମ୍ବିଧାନ ସଭାରେ ସମ୍ବିଧାନର ପୂର୍ବର ଡ୍ରାଫ୍ଟର ଅନୁଚ୍ଛେଦ ୧ରେ ହୋଇଥିବା ଆଲୋଚନାକୁ  ଉଲ୍ଲେଖ କରାଯାଇଛି। କୁହାଯାଇଛି ଯେ, ସେହି ସମୟରେ ହୋଇଥିବା ଆଲୋଚନାରେ ଦେଶର ନାମ ‘ଭାରତ’ କିମ୍ବା ‘ହିନ୍ଦୁସ୍ତାନ’ ରଖିବାକୁ ପୂରା ପ୍ରୟାସ କରାଯାଇଥିଲା।

ଆବେଦନ ଅନୁସାରେ, ଯଦି ବି ଏହି ଇଂରାଜୀ ନାମ ବଦଳିବା ଏକ ସାଙ୍କେତିକ ଲାଗୁଥାଏ, ତଥାପି ଭାରତ ଶବ୍ଦ ଲେଖିବା ଆମ ପୂର୍ବଜଙ୍କ ସ୍ଵାଧୀନତା ସଂଗ୍ରାମ ପ୍ରତି ନ୍ୟାୟୋଚିତ ହେବ। ଏହା ମଧ୍ୟ କୁହାଯାଇଛି, ଉଚିତ୍ ସମୟ ଆସିଛି ଏହାର ମୂଳ ଓ ପ୍ରାମାଣିକ ନାମ ଭାରତ ଭାବେ ଜଣାଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.