ବିଶ୍ଵ ତାପାୟନ ଏବେ ଚିନ୍ତାଜନକ: ଧଳା ଭାଲୁଙ୍କ ନିରାପଦ ଆଶ୍ରୟ ସ୍ଥଳକୁ ବିପଦ, ନରଓ୍ଵେ ନିକଟସ୍ଥ ସ୍ଵାଲବାର୍ଡ ଦ୍ଵୀପପୁଞ୍ଜରେ ଉତ୍ତାପ ଭାଙ୍ଗିଲା ୪୦ ବର୍ଷର ରେକର୍ଡ

Published By : Prameya-News7 Bureau | July 26, 2020 IST

ନୂଆଦିଲ୍ଲୀ ୨୬।୦୭: ନରଓ୍ଵେର ଆର୍କଟିକ ଦ୍ଵୀପପୁଞ୍ଜ ସ୍ଵାଲବାର୍ଡରେ ଶନିବାର ୪୦ ବର୍ଷର ସର୍ବୋଚ୍ଚ ତାପମାତ୍ରାରେ ରେକର୍ଡ କାଟିଛି। ଯାହା ସର୍ବକାଳୀନ ରେକର୍ଡ ସହିତ ସମାନ ବୋଲି ଦେଶର ପାଣିପାଗ ବିଜ୍ଞାନ ପ୍ରତିଷ୍ଠାନ ସୂଚନା ଦେଇଛି। ବୈଜ୍ଞାନିକ ଅଧ୍ୟୟନ ଅନୁଯାୟୀ, ଆର୍କଟିକରେ ଗ୍ଲୋବାଲ ୱାର୍ମିଂ ପୃଥିବୀର ଦୁଇଗୁଣ ଦ୍ରୁତ ଗତିରେ ହ୍ରାସ ପାଉଛି। ଏହି ଅଞ୍ଚଳ ଧଳାଭାଲୁ ପାଇଁ ପ୍ରସିଦ୍ଧ। ଫଳରେ ଏହି ପ୍ରଜାତି  ଜୀବଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ବହୁତ ବଡ ବିପଦ ସାଜିଛି।

ଲଗାତାର ଦ୍ୱିତୀୟ ଦିନ ପାଇଁ, ଦ୍ୱୀପପୁଞ୍ଜରେ ଅପରାହ୍ନରେ ତାପମାତ୍ରା ୨୧.୨ ଡିଗ୍ରୀ ସେଲସିୟସ୍ (୭୦.୨ ଫାରେନ୍‌ହାଇଟ୍) ରେକର୍ଡ କରାଯାଇଛି। ଏହା ପୂର୍ବରୁ ୧୯୭୯ରେ ଦ୍ଵୀପପୁଞ୍ଜରେ ତାପମାତ୍ରା ୨୧.୩ ଡିଗ୍ରୀ ରେକର୍ଡ କରାଯାଇଥିଲା। ପାଣିପାଗ ବିଜ୍ଞାନୀ କ୍ରିଷ୍ଟେନ ଜିସଲେଫସ୍ AFP କୁ ଏହାର ସୂଚନା ଦେଇଛନ୍ତି।

ଉତ୍ତର ନରୱେ ଦ୍ୱୀପପୁଞ୍ଜର ଏକମାତ୍ର ଜନବହୁଳ ଦ୍ୱୀପ ସ୍ପିଜବର୍ଗେନରେ ପରିଚାଳିତ ସ୍ଵାଲବାର୍ଡ ଦ୍ଵୀପପୁଞ୍ଜ ଉତ୍ତର ପୋଲଠାରୁ ୧୦୦୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ହିଟ୍‌ଓ୍ଵେଭ ସୋମବାର ପର୍ଯ୍ୟନ୍ତ ଜାରି ରହିବ  ବୋଲି ଆଶା କରାଯାଉଛି। ଯାହା ଜୁଲାଇରେ ସ୍ଵାଭାବିକ ତାପମାତ୍ରାଠୁ ବହୁତ ଅଧିକ। ଫଳରେ ଜୁଲାଇ ମାସ ଆର୍କଟିକ୍ ପାଇଁ ସବୁଠୁ ଗରମ ମାସ ସାବ୍ୟସ୍ତ ହୋଇଛି।

ଜାନୁୟାରୀ ଠାରୁ ଏହି ଅଞ୍ଚଳରେ ସ୍ୱାଭାବିକଠାରୁ ପାଞ୍ଚ ଡିଗ୍ରୀ ତାପମାତ୍ରା ରହିଥିବା ରେକର୍ଡ କରାଯାଇଛି। ଆର୍କଟିକ ଅଞ୍ଚଳ ବାହାରେ ଜୁଲାଇ ମଧ୍ୟଭାଗରେ ସାଇବେରିଆ ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି। ନିକଟରେ ଆସିଥିବା ଏକ ରିପୋର୍ଟ ‘୨୧୦୦ରେ ସ୍ଵାଲବାର୍ଡ ଜଳବାୟୁ’ ଅନୁଯାୟୀ ଗ୍ରୀନହାଉସ୍‌ ଗ୍ୟାସ୍ ଉତ୍ସର୍ଜନସ୍ତର କାରଣରୁ ୨୦୭୦ ଓ ୨୧୦୦ ମଧ୍ୟରେ ଦ୍ଵୀପପୁଞ୍ଜରେ ତାପମାତ୍ରା ୭ ରୁ ୧୦ ଡିଗ୍ରୀ  ବୃଦ୍ଧି ଘଟିବ।

ଜଳବାୟୁ ପରିବର୍ତ୍ତନର ସ୍ପଷ୍ଟ ଦୃଶ୍ୟ ଆର୍କଟିକ୍ ଅଞ୍ଚଳରେ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ୧୯୭୧ ରୁ ୨୦୧୭ ମଧ୍ୟରେ ଶୀତ ଋତୁରେ ସ୍ଵାଭାବିକଠୁ ୩ ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ଘଟିଛି। ସ୍ଵାଲବାର୍ଡ ଧଳା ଭାଲୁ ପାଇଁ ପ୍ରସିଦ୍ଧ। ଏହି ପ୍ରଜାତିର ଭାଲୁ ବିଯୁକ୍ତ ୨୦ ଡିଗ୍ରୀ ତାପମାତ୍ରାକୁ ମଧ୍ୟ ସହ୍ୟ କରି ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.