ସେନା ବୈଠକରେ ଯୋଗଦେଲେ କିମ୍ ଜୋଙ୍ଗ ଉନ୍, ପଦାଧିକାରୀଙ୍କ ପଦୋନ୍ନତୀରେ ବାଜିଲା ମୋହର
27/05/2020 at 3:45 PM

ସିଓଲ ୨୭।୫: ଉତ୍ତରକୋରିଆ ଏକଛତ୍ରବାଦୀ କିମ୍ ଜୋଙ୍ଗ-ଉନ୍ ୱାର୍କର ପାର୍ଟିର ସେଭନଥ୍ ସେଣ୍ଟ୍ରାଲ ମିଲେଟ୍ରି କମିସନ ବୈଠକରେ ଯୋଗ ଦେଇଥିବା ଜଣାପଡିଛି। କିଛି ଦିନ ନିରୁଦ୍ଧିଷ୍ଟ ରହିବା ପରେ ଏକ ସାର କାରଖାନାର ଉଦଘାଟନ ଉତ୍ସବରେ କିମ୍ ଜୋଙ୍ଗ ନିଜକୁ ସାର୍ବଜନିକ କରିଥିଲେ। ତେବେ ସେନା ବୈଠକରେ ଯୋଗଦେଇଥିବା ନେଇ ଜାତୀୟ ଟେଲିଭିଜନ କେସିଏନଏ ସୂତ୍ରରୁ ଜଣାପଡିଛି। ତେବେ ବୈଠକ କେବେ ଓ କେଉଁଠି ହୋଇଥିଲା ତାର କୌଣସି ସୂଚନା ମିଳିପାରିନାହିଁ।

ଏହି ବୈଠକରେ ଧମକଥିବା ବିଦେଶୀ ଶକ୍ତିଙ୍କ ବିରୋଧରେ କ୍ଷମତା ବୃଦ୍ଧି ଲାଗି ଆଲୋଚନା ହୋଇଥିବା ବେଳେ ପରମାଣୁ ଶକ୍ତିସଂରକ୍ଷଣ ଉପରେ ଉନ୍ ଗୁରୁତ୍ୱ ଦେଇଥିବା ଜଣାପଡିଛି। କିମ୍ଙ୍କ ଏହି ବୈଠକରେ ଅନେକ ଆର୍ମି ଜେନେରାଲ ଓ ଅନ୍ୟ ପଦାଧିକାରୀଙ୍କ ପଦୋନ୍ନତି ସମ୍ପର୍କରେ ଆଲୋଚନା କରାଯିବା ସହ ପଦୋନ୍ନତି ମଧ୍ୟ ପ୍ରଦାନ କରାଯାଇଛି। ଫଳରେ ମିଲେଟ୍ରି ମୁଖ୍ୟ ପାକ୍ ଜୋଙ୍ଗ ଚୋନ୍ ଭାଇସ୍ ମାର୍ସଲ ପଦବୀରେ ଅବସ୍ଥାପିତ ହୋଇଥିବା ବେଳେ ରି ପ୍ୟୋଙ୍ଗ ଚୋଲଙ୍କୁ ସେନା ଉପମୁଖ୍ୟ ଅବସ୍ଥାପିତ କରାଯାଇଥିବା କେସିଏନଏ ସୂତ୍ରରୁ ଜଣାପଡିଛି।

ତେବେ କିମ୍ ପୁଣି ନିରୁଦ୍ଧିଷ୍ଟ ହେବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପୂର୍ବରୁ କିମ୍ ସେନା ବୈଠକରେ ଯୋଗ ଦେଇଛନ୍ତି। ଏଣୁ କିମ୍ ଜୋଙ୍ଗଙ୍କ ସ୍ୱାସ୍ଥ୍ୟକୁ ନେଇ ହେଉଥିବା ଚର୍ଚ୍ଚାରେ ଏବେ ବିରାମଲାଗିଛି। ତେବେ ପ୍ରଥମରୁ ପଡୋଶୀ ଦକ୍ଷିଣ କୋରିଆ କିମ୍ ଜୋଙ୍ଗ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଦାବି କରିଆସିଛି। ଏଥିରୁ କିମ ଜୋଙ୍ଗ ଦେଶରେ କରୋନା ଜନିତ ପରିସ୍ଥିତି ଯୋଗୁ ନିଜର କାର୍ଯ୍ୟକ୍ରମକୁ ସୀମିତ କରିଦେଇଥିବା ଏବେ ସ୍ପଷ୍ଟ ହୋଇଯାଇଛି।