ଦୀର୍ଘ ୫ ବର୍ଷ ପରେ ଅନୁଷ୍ଠିତ ହେଲା ଉତ୍ତରକୋରିଆ କଂଗ୍ରେସ, ଆର୍ଥିକ ମୋର୍ଚ୍ଚାରେ ନିଜ ବିଫଳତାକୁ ମାନିଲେ ଉନ୍
6/01/2021 at 4:53 PM

ପ୍ୟୋଙ୍ଗୟାଙ୍ଗ: କୋରିୟାନ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସୀ (କେସିଏନଏ)ଙ୍କ ସୂଚନା ଅନୁସାରେ ମଙ୍ଗଳବାରଠାରୁ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଉତ୍ତରକୋରିଆ କଂଗ୍ରେସ ଆରମ୍ଭ ହୋଇଛି। ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ ବୈଠକକୁ ସ୍ୱାଗତ କରିବା ସହ ସମ୍ବୋଧିତ କରିଛନ୍ତି। ଏଥିରେ ରାଷ୍ଟ୍ରପତି ତାଙ୍କ ଆର୍ଥିକ ନୀତି ବିଫଳ ହୋଇଥିବା ସ୍ୱୀକାର କରିଛନ୍ତି।

ଉଦଘାଟନୀ ଭାଷଣରେ କିମ୍ ଜୋଙ୍ଗ ୨୦୧୬ରେ ଆମେ ନିର୍ଦ୍ଧାରଣ କରିଥିବା ସମସ୍ତ ଲକ୍ଷ ହାସଲରେ ବିଫଳ ହୋଇଛେ ବୋଲି କହିଛନ୍ତି। ତେବେ ଦେଶ ଏପରି ଭୁଲକୁ ଦ୍ୱିତୀୟବାର କ୍ଷମା କରିପାରିବ ନାହିଁ ବୋଲି କହିଛନ୍ତି। ସେହିପରି ଦେଶର ଅର୍ଥନୀତିକୁ ପୁଣି ସୁଧାର ରାସ୍ତାକୁ ଆଣିବା ଲାଗି କିମ୍ ତାଙ୍କ ନୂଆ ପାଞ୍ଚବାର୍ଷିକ ଯୋଜନା ଘୋଷଣା କରିଛନ୍ତି।

ଗତ କିଛିବର୍ଷ ହେଲା ଉତ୍ତରକୋରିଆ ଅର୍ଥବ୍ୟବସ୍ଥା ଧୂଳିସାତ ହୋଇଛି। ଅସ୍ତ୍ରଶସ୍ତ୍ର ନିର୍ମାଣ ଲାଗି ବିପୁଳ ବ୍ୟୟ ଦେଶର ଅର୍ଥବ୍ୟବସ୍ଥାକୁ ଏପରି ପରିସ୍ଥିତିକୁ ନେଇଯାଇଛି। ଏବେ ଏସିଆର ସବୁଠୁ ଗରିବ ଦେଶଙ୍କ ମଧ୍ୟରେ ଉତ୍ତରକୋରିଆ ମଧ୍ୟ ସାମିଲ ହୋଇଯାଇଛି। କିମ୍ଙ୍କ ଶାସନକାଳରେ ଉତ୍ତର କୋରିଆର ଏହା ଦ୍ୱିତୀୟ କଂଗ୍ରେସ। ୯ ବର୍ଷ ପୂର୍ବେ କିମ୍ ଜୋଙ୍ଗ ଦେଶର ଶାସନଡୋରୀ ସମ୍ଭାଳି ଥିଲେ। ସେବେଠାରୁ ଦେଶ ଅନେକ ସମସ୍ୟା ଦେଇ ଗତିକରିଆସୁଛି।

ଏଥିରେ ଉତ୍ତରକୋରିଆର ଆଣବିକ କାର୍ଯ୍ୟକ୍ରମ ଲାଗି ଆମେରିକା ପକ୍ଷରୁ କଟକଣା ଲାଗୁ ଠାରୁ ଆରମ୍ଭ କରି ଦେଶରେ ଦେଖାଦେଇଥିବା ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ଭାଇରସ ମହାମାରୀ ଲାଗି ଦେଶର ସୀମା ବନ୍ଦ ହେବା ଯୋଗୁ ବାଣିଜ୍ୟ ବ୍ୟବସାୟ ପ୍ରଭାବିତ ହେବା ଆଦି ଅନେକ ସମସ୍ୟା ଦେଇ ଉତ୍ତରକୋରିଆ ଗତି କରୁଛି। ୨୦୧୬ ମସିହାରେ କିମ୍ ଜୋଙ୍ଗ ଉନ୍ ତାଙ୍କ ଶାସନ କାଳର ପ୍ରଥମ କଂଗ୍ରେସ ଆହ୍ୱାନ କରିଥିଲେ। ୫ ବର୍ଷ ପରେ ଦ୍ୱିତୀୟବାର କଂଗ୍ରେସ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କ ସମେତ ପର୍ଯ୍ୟବେକ୍ଷକମାନେ ଅଂଶଗ୍ରହଣ କରିଛନ୍ତି।