ନିଜର ଗୁପ୍ତଚରଙ୍କ ପାଇଁ ଉତ୍ତର କୋରିଆ ଜାରି କଲା ସିକ୍ରେଟ୍ ଭିଡିଓ ସନ୍ଦେଶ, ଦୁନିଆରେ ହଇଚଇ

Published By : Prameya-News7 Bureau | August 30, 2020 IST

ପ୍ୟୋଙ୍ଗୟାଙ୍ଗ ୩୦।୦୮: ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ଦେଶ ଉତ୍ତର କୋରିଆ ୟୁଟ୍ୟୁବ୍‌ରେ ଏକ ଗୋପନୀୟ ଭିଡିଓ ସନ୍ଦେଶ ଜାରି କରି ସମଗ୍ର ଦୁନିଆରେ ହଇଚଇ ସୃଷ୍ଟି କରିଛି। କୁହାଯାଉଛି ଉତ୍ତର କୋରିଆ ଏହି ଭିଡିଓ ବାର୍ତ୍ତାକୁ ନିଜର ଅନ୍ତର୍ଜାତୀୟ ଗୁପ୍ତଚରଙ୍କ ପାଇଁ ପଠାଇଛି। ଏହି ଭିଡିଓର ଶୀର୍ଷକ ୦୧୦୦୦୧୧୦୦୧-୦୦୧ ରହିଛି ଏବଂ ଏଥିରେ କୂଟ ଭାଷାରେ ନିର୍ଦ୍ଦେଶ ଦିଆଯାଇଛି। ଏହି ଭିଡିଓକୁ ଉତ୍ତର କୋରିଆ ପ୍ରସାରଣ ଚ୍ୟାନେଲର ୟୁଟ୍ୟୁବ୍‌ ପେଜ୍‌ରେ ଅପଲୋଡ୍ କରାଯାଇଛି।

ଏହି ଭିଡିଓରେ ଜଣେ ମହିଳା କହୁଛନ୍ତି, ପ୍ରିୟ  ବନ୍ଧୁ ଗଣ, ଆପଣଙ୍କୁ ସୂଚନା ପ୍ରଯୁକ୍ତିବିଦ୍ୟାର ଅଧ୍ୟୟନ ପାଇଁ ଏକ ଦୂର ଏଜୁକେଶନ ୟୁନିଭର୍ସିଟିର ସମୀକ୍ଷାର ଆବଶ୍ୟକତା ରହିଛି। ଏହା ପରେ ମହିଳା କିଛି କହିବା ଆରମ୍ଭ କରି ସେଥିରେ ରହସ୍ୟମୟ ଘଟଣାର ଉଦାହରଣ ଦେଇଛନ୍ତି। ଏହି ଭିଡିଓ ପ୍ରାୟ ୬୫ ସେକେଣ୍ଡର ଲମ୍ବା ଏବଂ ଏଥିରେ କୌଣସି ଛବି ନଥିଲା। ଭିଡିଓର ଶେଷ ଭାଗରେ କୁହାଯାଇଛି ଏହି କାମ ୭୧୯ ସନ୍ଧାନୀ ଟିମ୍‌ର ସଦସ୍ୟ ପାଇଁ ରହିଛି। ଭିଡିଓଟି ‘ଏଠାରେ ପ୍ୟୋଙ୍ଗୟାଙ୍ଗ’ କହି ସମାପ୍ତ ହୋଇ ଯାଉଛି।

ସନ୍ଦେଶ ପରେ ଦୁନିଆରେ ଚଇଚଇ

ଅପରପକ୍ଷେ ଆଣବିକ ଅସ୍ତ୍ରର ଅଧିକାରୀ ଉତ୍ତର କୋରିଆର ଏହି ସନ୍ଦେଶ ପରେ ସମଗ୍ର ଦୁନିଆରେ ଚାଞ୍ଚଲ୍ୟ ଖେଳି ଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଉତ୍ତର କୋରିଆର ଏହି ପରି ସନ୍ଦେଶ ସମଗ୍ର ଦୁନିଆରେ ରହୁଥିବା ଏବଂ ବିଶେଷ କରି ଦକ୍ଷିଣ କୋରିଆରେ ରହୁଥିବା ଗୁପ୍ତଚରଙ୍କ ପାଇଁ ଜାରି କରିଥାଏ। ଏହା ପୂର୍ବରୁ ସନ୍ଦେଶକୁ ଭିଡିଓ ମାଧ୍ୟମରେ ପଠାଯାଉଥିଲା। ଏମିତି ପ୍ରଥମ ଥର ଉତ୍ତର କୋରିଆ ୟୁଟ୍ୟୁବ୍ ଜରିଆରେ ଏହି ସନ୍ଦେଶକୁ ପ୍ରସାରିତ କରିଛି।

ଉତ୍ତର କୋରିଆ ଏହି ଧରଣରେ ନିଜର ଗୁପ୍ତଚରଙ୍କ ପାଇଁ ଯୋଗାଯୋଗ ବୈଷେୟିକ ଜ୍ଞାନ କୌଶଳର ଉପଯୋଗ ଶୀତଳ ଯୁଦ୍ଧପରଠୁ କରୁଛି। ଶୀତଳ ଯୁଦ୍ଧ ସମୟରେ ଉତ୍ତର କୋରିଆ ସର୍ଟଓ୍ଵେବ୍‌ ରେଡିଓ ଜରିଆରେ ନିଜର ରହସ୍ୟମୟ ସନ୍ଦେଶ ପଠାଉଥିଲା। ଏଥିରେ ଅନେକ ଥର ଶିଶୁଙ୍କ ସ୍ଵର ରହୁଥିଲା, ଯାହାକୁ ଗୁଇନ୍ଦା ବିଭାଗ ଜାରି କରୁଥିଲା। ଶୀତଳ ଯଦ୍ଧ ସମୟରେ ଉତ୍ତର କୋରିଆର ପ୍ରତ୍ୟେକ ଏଜେଣ୍ଟଙ୍କ ପାଖରେ ସର୍ଟଓ୍ଵେବ୍‌ ରେଡିଓ ରହିବା ବାଧ୍ୟତାମୂଳକ ଥିଲା। କୁହାଯାଉଛି ଉତ୍ତର କୋରିଆ ସଂପ୍ରତି ଇଣ୍ଟରନେଟ୍‌ର ବ୍ୟବହାର ନିଜର ଅନ୍ତର୍ଜାତୀୟ ଗୁପ୍ତଚରଙ୍କୁ କୂଟ ସନ୍ଦେଶ ପଠାଇବା ପାଇଁ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.