ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଉତ୍ତର କୋରିଆ, ମାସେ ପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାମ୍ନାକୁ ଆସିଲେ କିମ୍‌ ଜୋଙ୍ଗ

Published By : Prameya-News7 Bureau | June 05, 2021 IST

ନୂଆଦିଲ୍ଲୀ ୦୫/ ୦୬ : କରୋନା ମହାମାରୀରେ ଭାରତ ସମେତ ଅନେକ ଦେଶ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଏକଛତ୍ରବାଦୀ ଶାସକ କିମ୍-ଜୋଙ୍ଗ-ଉନଙ୍କ ଉତ୍ତର କୋରିଆ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଜନସାଧାରଣ ରୋଜଗାର ହରାଇଥିବା ବେଳେ ଆଗକୁ ସ୍ଥିତି ଆହୁରୀ ଭୟଙ୍କର ହୋଇପାରେ । ତେବେ ଉତ୍ତର କୋରିଆ ସର୍ବେସର୍ବା ଦେଶକୁ ଆର୍ଥିକ ସଙ୍କଟ ମଧ୍ୟରୁ ବାହାର କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ।

ପ୍ରାୟ ମାସେ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି ଏକଛତ୍ରବାଦୀ ଶାସକ କିମ୍-ଜୋଙ୍ଗ-ଉନ । ଦେଶକୁ ଗୁରୁତର ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ । ମେରୁଦଣ୍ଡ ଭାଙ୍ଗିପଡିଥିବା ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ବୈଠକରେ ନିଜ ଦଳର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି ।

କୋରିଆନ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସିର ସୂଚନା ଅନୁଯାୟୀ, ଆତ୍ମ ନିର୍ଭରତା ତଥା ଆତ୍ମ ରୋଜଗାର ପାଇଁ ବିଭିନ୍ନ ପନ୍ଥା ତିଆରି କରୁଛନ୍ତି ଉତ୍ତର କୋରିଆ ସରକାର । ଏହା ସହିତ ଲୋକମାନଙ୍କର ରୋଜଗାର ବଢିବା ଦିଗରେ ମଧ୍ୟ କିଛି ଯୋଜନା ପ୍ରସ୍ତୁତି କରାଯାଇଥିବା ନ୍ୟୁଜ ଏଜେନ୍ସି କହିଛି । ମହାମାରୀ କାରଣରୁ ଉତ୍ତର କୋରିଆକୁ ଲାଗିଥିବା ଅନ୍ୟ ଦେଶମାନଙ୍କର ସୀମାକୁ ସିଲ କରିଦିଆଯାଇଛି । ଯାହା ଫଳରେ ଜିନିଷପତ୍ର ନେବା ଆଣିବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି ।

ଦେଶରେ ଗୁରୁତର ଆର୍ଥିକ ସଙ୍କଟକୁ ନେଇ ଏକଛତ୍ରବାଦୀ ଶାସକ କିମ୍‌ କହିଛନ୍ତି ଯେ, 'ଦେଶ ଏବେ ଯେଉଁଭଳି ଭାବେ ପ୍ରତିକୂଳ ପରିସ୍ଥିତି ଏବଂ ମାହୋଲକୁ ନେଇ ଗତି କରୁଛି ତାହା ନିହାତି ଭାବେ ଚ୍ୟାଲେଞ୍ଜିଂ । ଏଥର କିନ୍ତୁ ପ୍ରେସ କନଫରେନ୍ସରେ ଆମେରିକା କିମ୍ବା ଦକ୍ଷିଣ କୋରିଆ ବରୁଦ୍ଧରେ ପଦୁଟିଏ ମଧ୍ୟ ଟିପ୍ପଣୀ ଦେଇନାହାନ୍ତି କିମ । ଉତ୍ତର କୋରିଆ ଖୁବ ଶୀଘ୍ର ଗୁରୁତର ଆର୍ଥିକ ସଙ୍କଟରୁ ବାହାରିବ ବୋଲି ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ-ଉନ୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.