ନିର୍ଦ୍ଦୟତାର ସବୁ ସୀମା ଟପିଗଲା ଉତ୍ତର କୋରିଆ : କଏଦୀଙ୍କ ଶବରୁ ତିଆରି ଖତରେ କରୁଛି ଫସଲ, ରହସ୍ୟ ଖୋଲିଲେ ଖସିଆସିଥିବା ମହିଳା କଏଦୀ
31/03/2020 at 7:15 PM

ସିଓଲ ୩୧।୩: ନିର୍ଦ୍ଦୟୀ ଉତ୍ତର କୋରିଆ ସରକାର । କଏଦୀମାନଙ୍କ ଶବର ଖତରେ କରାଯାଉଛି ଚାଷ । ଉତ୍ତର କୋରିଆ ଜେଲରୁ ଖସିଆସିଥିବା ଜଣେ କଏଦୀ ଅଭିଯୋଗ କରିଛନ୍ତି ଯେ, ଉତ୍ତର କୋରିଆରେ ରାଜନୈତିକ ବନ୍ଦୀମାନଙ୍କ ମୃତ ଶରୀରରୁ ଖତ ତିଆରି କରି ସେନା ଯବାନମାନଙ୍କ ପାଇଁ ଚାଷ କରାଯାଉଛି ।

ଡେଲି ମେଲ୍ ର ଖବର ଅନୁଯାୟୀ ଉତ୍ତର କୋରିଆର କେଚିୟାନ୍ କ୍ୟାମ୍ପରେ ବନ୍ଦୀଥିବା ଜଣେ ପୂର୍ବତନ ମହିଳା କଏଦୀ କିମ୍ ଇଲ୍ ସୁନ୍ କହିଛନ୍ତି ଯେ, କେଚିୟାନ୍ କ୍ୟାମ୍ପ୍ ଏକ କନସେଣ୍ଟ୍ରେସନ କ୍ୟାମ୍ପ୍ । ଏହି କ୍ୟାମ୍ପ୍ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗର ଉତ୍ତରରେ ଅବସ୍ଥିତ । ଏଠାରେ କଏଦୀମାନଙ୍କୁ ଯେଉଁଭଳି ନିର୍ଯାତନା ଦିଆଯାଇଥାଏ ସେଭଳି ନିର୍ଯାତନା କୌଣସି ସ୍ଥାନରେ ଦିଆଯାଏ ନାହିଁ।

କିମ୍ ଇଲ୍ ସୁନ୍ କହିଛନ୍ତି ଯେ, ପାହାଡିଆ ଅଞ୍ଚଳରେ ଫସଲ ହେଉନଥିଲା । ତେଣୁ କେହି ଜଣେ ପରାମର୍ଶ ଦେଇଥିଲେ ଯେ ଯଦି କଏଦୀମାନଙ୍କ ମୃତ ଶରୀରରୁ ଖତ ପ୍ରସ୍ତୁତ କରାଯାଇ ଦେବା ଫଳରେ ଭଲ ଫସଲ ହେବ । ଏହାପରେ ଏହି ପରମ୍ପରା ଆରମ୍ଭ ହୋଇଛି | ଯେତେବେଳେ ଫସଲ ଭଲ ହେବାକୁ ଲାଗିଲା ସେତେବେଳେ କଏଦୀମାନଙ୍କୁ ହତ୍ୟା କରି ସେମାନଙ୍କ ମୃତ ଶରୀରକୁ ଖତ ପ୍ରସ୍ତୁତ କରାଗଲା ।

ଯେତେବେଳେ ଉତ୍ତର କୋରିଆ ଆନ୍ତର୍ଜାତୀୟ ସ୍ତରରେ ସବୁ ଦିଗରୁ ବିଚ୍ଛିନ୍ନ ହୋଇଯାଇଛି ସେତେବେଳେ ଏହି କଏଦୀଙ୍କ ଏଭଳି ବୟାନ ଆସିଛି । ଏବେ ସାରା ବିଶ୍ବ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ କ୍ରୋଧିତ ହୋଇଛି । କାରଣ ଗତ ଏକ ମାସ ମଧ୍ୟରେ ଉତ୍ତର କୋରିଆ ୪ଟି ପରୀକ୍ଷଣ କରିସାରିଲାଣି ।
କିମ୍ ଇଲ୍ ସୁନ୍ କହିଛନ୍ତି ଯେ ଏବେ କେଚିୟାନ୍ କ୍ୟାମ୍ପ୍ ଚାରିପାଖରେ ଥିବା ଜମି ବହୁତ ଉର୍ବର ହୋଇସାରିଛି । କାରଣ ମୃତଦେହରୁ ଖତ ତିଆରି କରି ପକାଯାଇଛି । ଏହି ମୃତଦେହଗୁଡିକ ପ୍ରାକୃତିକ ଖତ ଭଳି କାମ କରୁଛି ।
ଉତ୍ତର କୋରିଆର ସୈନ୍ୟମାନଙ୍କୁ ଏହା ମଧ୍ୟ ଟ୍ରେନିଂ ଦିଆଯାଉଛି ଯେ, ମୃତଦେହକୁ କେତେ ଦୂର ଏବଂ କିଭଳି ଭାବେ ପୋତାଯିବ । ଯାହା ଦ୍ବାରା ମୃତ ଶରୀର ଖତ ହୋଇପାରିବ ଏବଂ ଫସଲ ଭଲ ହେବ ।
କିମ୍ ଇଲ୍ ସୁନ୍ ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଥିବା ମାନବ ଅଧିକାର ସମିତି (HRNK) ନିକଟରେ ଏହା ବଖାଣିଛନ୍ତି । କିମ୍ ଇଲ୍ ସୁନ୍ କେଚିୟାନ୍ କ୍ୟାମ୍ପ୍ ରୁ କୌଣସି ପ୍ରକାରରେ ଖସି ପଳାଇ ଆସିଥିଲେ । HRNK କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗ୍ରେଗ୍ ସ୍କାରଲେଟିଓ କହିଛନ୍ତି ଯେ, କରୋନା ମହାମାରୀ ବେଳେ ମଧ୍ୟ କିମ୍ ଜୋଙ୍ଗ ଉନଙ୍କ ଅପରାଧ କମ୍ ହେଉନାହିଁ । ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ଉତ୍ତର କୋରିଆବାସୀଙ୍କ ସହ କ୍ରୁରତାର ସମସ୍ତ ସୀମା ଅତିକ୍ରମ କରିଚାଲିଛନ୍ତି । ରାଜନୈତିକ ବନ୍ଦୀମାନଙ୍କ ମୃତଦେହର ଅନ୍ତିମ ସଂସ୍କାର କରିବା ପରିବର୍ତ୍ତେ ଏହି ଏକଛତ୍ରବାଦୀ ଶାସକ ସେଥିରୁ ଖତ ପ୍ରସ୍ତୁତ କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ।

କେଚିୟାନ୍ କ୍ୟାମ୍ପ୍ ରାଜଧାନୀ ପ୍ୟୋଙ୍ଗୟାଙ୍ଗର ପ୍ରାୟ ୮୦ କିଲୋମିଟର ଉତ୍ତରରେ ଅବସ୍ଥିତ । ଏଠାରେ ପ୍ରାୟ ୬୦୦୦ କଏଦୀ ଅଛନ୍ତି । କୁହାଯାଏ ଯେ ଛୋଟମୋଟ ଅପରାଧ ପାଇଁ ଏଠାକୁ କଏଦୀମାନଙ୍କୁ ପଠାଯାଇଥାଏ ।