ଏଭଳି ମୃତ୍ୟୁ ଦଣ୍ଡ ବିଷୟରେ ଜାଣିଲେ ଆତ୍ମା ଥରିଯିବ : ଜେନେରାଲଙ୍କୁ ଫିଙ୍ଗିଲେ ନରଭକ୍ଷୀ ମାଛ ଟ୍ୟାଙ୍କରେ
11/06/2019 at 6:29 PM

ପ୍ରୋଙ୍ଗୟାଙ୍ଗ ୧୧/୬: ଉତ୍ତର କୋରିଆର ଶାସକ କିମ ଜଙ୍ଗ ଉନ ଜଣେ ଜେନେରାଲଙ୍କୁ ପିରାହ୍ନା ମାଛରେ ଭର୍ତ୍ତି ଥିବା ଟ୍ୟାଙ୍କରେ ଫିଙ୍ଗି ମୃତ୍ୟୁ ଦଣ୍ଡ ଦେଇଛନ୍ତି। ପିରାହ୍ନା ମାଛ ବିଷୟରେ କୁହାଯାଇଥାଏ ଯେ ଏହା ମଣିଷଙ୍କୁ ମଧ୍ୟ ଖାଇଯାଇଥାଏ।

ଜଣେ ଜେନେରାଲଙ୍କୁ କିମଙ୍କ ଘରେ ଥିବା ପିରାହ୍ନା ମାଛ ଟ୍ୟାଙ୍କରେ ଫିଙ୍ଗା ଯାଇଥିଲା। ଜେନେରାଲଙ୍କ ବିରୋଧରେ ଦଳ ବଦଳ କରିବାର ଅଭିଯୋଗ ହୋଇଥିଲା। ୧୯୬୫ରେ ଆସିଥିବା ଜେମସ ବଣ୍ଡଙ୍କ ଫିଲ୍ମ ‘ୟୁ ଅନଲି ଲିଭ ଟ୍ବାଇସ୍’ରୁ ପ୍ରେରିତ ହୋଇ ଦଣ୍ଡ ଦିଆଯାଇଥିଲା। ଏହି ଫିଲ୍ମରେ ଏହିଭଳି ମୃତ୍ୟୁଦଣ୍ଡର ଦୃଶ୍ୟ ଦର୍ଶାଯାଇଥିଲା।

ଏହା ପୂର୍ବରୁ କେତେ ଥର ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାର ଖବର ଉତ୍ତର କୋରିଆରୁ ଆସିଛି। କିନ୍ତୁ କେତେକ କ୍ଷେତ୍ରରେ ଏପରି ରିପୋର୍ଟ ଭୁଲ୍ ମଧ୍ୟ ପ୍ରମାଣିତ ହୋଇଛି ଏବଂ ମୃତ ବୋଲି ଦାବି କରାଯାଉଥିବା ଲୋକେ ପୁଣି ଥରେ ସମସ୍ତଙ୍କ ସାମନାରେ ଆସିଛନ୍ତି।

ଆମେରିକା ସହ ବୁଝାମଣା ନ ହୋଇପାରିବାରୁ ଉତ୍ତର କୋରିଆର ଶାସକଙ୍କ ଦ୍ବାରା ୧୬ଜଣ ଉଚ୍ଚ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେବାର ଖବର କିଛି ଦିନ ଆଗରୁ ଶୁଣିବାକୁ ମିଳିଥିଲା।

ପିରାହ୍ନା ମାଛର ଦାନ୍ତ ଅତ୍ୟନ୍ତ ତୀକ୍ଷଣ ହୋଇଥାଏ ଏବଂ ନିମିଷକ ମଧ୍ୟରେ ଏହା ଯେକୈାଣସି ଜିନିଷକୁ ଫାଡ଼ି ଦେଇଥାଏ। ଏହି ଟ୍ୟାଙ୍କରେ ବ୍ରାଜିଲରୁ ମଗା ଯାଇଥିବା ହଜାର ହଜାର ପିରାହ୍ନା ମାଛ ଥିଲେ ଯେଉଁଥିରେ ଜେନେରାଲଙ୍କୁ ଫିଙ୍ଗା ଯାଇଥିଲା। ଜେନେରାଲଙ୍କ ନାଁ ପ୍ରକାଶିତ କରାଯାଇ ନାହିଁ।