Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନ ସହ ଉତ୍ତର କୋରିଆ ଶାସକଙ୍କ ବନ୍ଧୁତା ଭାରତ ଉପରେ କାହିଁକି ପଡିଥାଏ ଭାରି?

30/04/2020 at 11:50 AM

ନୂଆଦିଲ୍ଲୀ ୩୦/୦୪ : ପାକିସ୍ତାନ ଗଠନ ହେବା ପରେ ୧୯୪୮ ମସିହାରେ ଉତ୍ତର କୋରିଆର ଜନ୍ମ ହୋଇଥିଲା | ପାକିସ୍ତାନ ଏକ ମୁସଲମାନ ଦେଶ ହୋଇଗଲା ଓ ଭାରତ ହୋଇଗଲା ଧର୍ମ ନିରପେକ୍ଷ ଦେଶ | ଠିକ ସେହିଭଳି ଉତ୍ତର କୋରିଆରେ ଏକଛତ୍ରବାଦୀ ଶାସନ ଓ ଦକ୍ଷିଣ କୋରିଆରେ ଗଣତନ୍ତ୍ର ଶାସନ ଆରମ୍ଭ ହୋଇଥିଲା | ପାକିସ୍ତାନ ଗଠନ ହେବା ପରଠାରୁ ସବୁବେଳେ ଭାରତ ସହ ଶତ୍ରୁତା କରିଆସିଛି | ଉତ୍ତର କୋରିଆ ମଧ୍ୟ ନିଜର ସମସ୍ତ ସୁରକ୍ଷା ନୀତି ଦକ୍ଷିଣ କୋରିଆକୁ କେନ୍ଦ୍ର କରି ରଖିଥାଏ | ଉଭୟ ଦେଶର ସେନା ଓ ସରକାରଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି | ପାକିସ୍ତାନ ସେନା ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି | କିନ୍ତୁ ଉତ୍ତର କୋରିଆ ସେନାରେ କିଏ ମୁଖ୍ୟ ନାହାନ୍ତି | ସେଠାରେ ଶାସକ ହିଁ ସେନାକୁ ନିୟନ୍ତ୍ରଣ କରିଥାନ୍ତି | ଚୀନ ସହ ଉଭୟଙ୍କ ଗଭୀର ବନ୍ଧୁତା ରହିଛି |

ଉତ୍ତର କୋରିଆ ଓ ପାକିସ୍ତାନର ବନ୍ଧୁତା ଭାରତ ପାଇଁ କ୍ଷତିକାରକ ପ୍ରମାଣିତ ହୋଇଛି | ବିଶେଷଜ୍ଞଙ୍କ କହିବାନୁଯାୟୀ, ଉତ୍ତର କୋରିଆ ପାକିସ୍ତାନକୁ ମିସାଇଲ ଜ୍ଞାନ କୌଶଳ ପ୍ରଦାନ କରିଛି | ପ୍ୟୋଙ୍ଗୟାଙ୍ଗରେ ପାକିସ୍ତାନର ଦୂତାବାସ ରହିଛି ଏବଂ ଇସ୍ଲାମଵାଦରେ ଉତ୍ତର କୋରିଆର ଦୂତାବାସ ରହିଛି | ଇସ୍ଲାମଵାଦ ଛଡା କରାଚୀରେ ମଧ୍ୟ ଉତ୍ତର କୋରିଆର ଏକ ବଡ ଦୂତାବାସ ରହିଛି | ସେଥିପାଇଁ ପାକିସ୍ତାନୀବାସୀଙ୍କୁ ଉତ୍ତର କୋରିଆ ଯିବା ପାଇଁ ସହଜରେ ଭିସା ମିଳିଯାଇଥାଏ |

୧୯୭୦ ମସିହାରେ ଉତ୍ତର କୋରିଆ ଓ ପାକିସ୍ତାନ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା | ୧୯୭୬ ମସିହାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲ୍ଫିକର ଅଲ୍ଲୀ ଭୁଟ୍ଟୋ ସମାଜବାଦୀ ଦେଶମାନଙ୍କ ସହ ସମ୍ବନ୍ଧ ଦୃଢ କରିବା ପାଇଁ ଉତ୍ତର କୋରିଆ ଗସ୍ତରେ ଯାଇଥିଲେ | ୧୯୯୦ ଦଶକରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଥିଲା | ସେତେବେଳେ ପାକିସ୍ତାନ ପରମାଣୁ ଅସ୍ତ୍ର ହାସଲ କରିବା ପାଇଁ ଅସ୍ଥିର ଥିଲା କିନ୍ତୁ ତାଲିବାନ ସହ ସମ୍ପର୍କ ଯୋଗୁଁ ଅନ୍ତର୍ଜାତୀୟ ସମ୍ପ୍ରଦାୟରୁ ଅଲଗା ହୋଇଯାଇଥିଲା | ପାକିସ୍ତାନ ପ୍ରଥମେ ଚୀନକୁ ସାହାଯ୍ୟ ମାଗିଥିଲା | କିନ୍ତୁ ପାକିସ୍ତାନକୁ ସାହାଯ୍ୟ କଲେ ଆମେରିକା ସହ ସମ୍ପର୍କ ଖରାପ ହେବା ଭୟରେ ଚୀନ ପାକିସ୍ତାନକୁ M-11 ମିସାଇଲ ବିକ୍ରି କରିବାକୁ ମନା କରିଦେଇଥିଲା |

ରିପୋର୍ଟ ଅନୁଯାୟୀ, ବେନେଜିର ଭୁଟ୍ଟୋ ଉତ୍ତର କୋରିଆ ଠାରୁ ରୋଡୋଙ୍ଗ ମିସାଇଲ କିଣିଥିଲେ ଏବଂ ଏହା ବଦଳରେ ପ୍ୟୋଙ୍ଗୟାଙ୍ଗକୁ ପରମାଣୁ ଅସ୍ତ୍ର ତିଆରି ଜ୍ଞାନ କୌଶଳ ଦେଇଥିଲେ | ପାକିସ୍ତାନ ସରକାର ଉତ୍ତର କୋରିଆ ଛାତ୍ରଙ୍କୁ ପାକିସ୍ତାନ ୟୁନିଭର୍ସିଟିରେ ପଢିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରିଥିଲେ | ୨୦୦୨ ମସିହାରେ ଆମେରିକା ଅଧିକାରୀ ଘୋଷଣା କରିଥିଲେ ଯେ, ପାକିସ୍ତାନ ଉତ୍ତର କୋରିଆକୁ ପରମାଣୁ ବୋମା ତିଆରି କରିବାରେ ସାହାଯ୍ୟ କରିବା ପାଇଁ ଗ୍ୟାସ ସେଣ୍ଟ୍ରିଫ୍ୟୁଜ ରପ୍ତାନି କରୁଛି | ଏହା ଶୁଣି ଅନ୍ୟ ଦେଶାତ୍ମନେ ଚକିତ ହୋଇଯାଇଥିଲେ | ପାକିସ୍ତାନର ସେନା ଅଧିକାରୀ କିନ୍ତୁ ଏହାକୁ ଅସ୍ବୀକାର କରିଥିଲେ | ସତ ସାମ୍ନାକୁ ଆସିବା ପରେ ମଧ୍ୟ ଇସ୍ଲାମଵାଦ-ପ୍ୟୋଙ୍ଗୟାଙ୍ଗଙ୍କୁ କିଛି ଫରକ ପଡ଼ିନଥିଲା |

ଆମେରିକା ସହ ସମ୍ପର୍କ ସ୍ଥାପନ ପରେ ମଧ୍ୟ ଇସ୍ଲାମଵାଦ ଉତ୍ତର କୋରିଆ ସହ ସେନା ସହଯୋଗ ଜାରି ରଖିଥିଲା | ୨୦୦୨ ମସିହାରେ ରିପୋର୍ଟ ଆସିବା ପରେ ମୁର୍ଶଫ ଆମେରିକାକୁ ପାକିସ୍ତାନର ଆଣବିକ ବୈଜ୍ଞାନିକ ଅବଦୁଲ କାଦିର ଖାନଙ୍କ ସହ ଯୋଗାଯୋଗ କରିବା ପାଇଁ ରୋକିଥିଲା | ରିପୋର୍ଟ ଅନୁଯାୟୀ, ଆଣବିକ ବୈଜ୍ଞାନିକ ଅବଦୁଲ କାଦିର ଖାନ ଉତ୍ତର କୋରିଆ, ଇରାନ ଓ ଲିବିୟାକୁ ପରମାଣୁ ବୋମା ତିଆରିରେ ସାହାଯ୍ୟ କରିଥିଲେ | ୨୦୦୯ ମସିହାରେ ପାକିସ୍ତାନ ସରକାର ଅବଦୁଲ ଖାନଙ୍କୁ ‘ସ୍ୱାଧୀନ ନାଗରିକ ଘୋଷଣା କରିଥିଲେ | ଆମେରିକାର ତମାମ ଅଧିକାରୀ ପାକିସ୍ତାନର ଏହି ପଦକ୍ଷେପକୁ ବିରୋଧ କରିଥିଲେ ଏବଂ ଖାନଙ୍କ ଦ୍ୱାରା ସାରା ଦୁନିଆରେ ପରମାଣୁ ବୋମାର ପ୍ରସାରକୁ ନେଇ ବିପଦ ରହିଛି ବୋଲି କହିଥିଲେ | ୨ ବର୍ଷ ପରେ ଖାନ ଅଭିଯୋଗ କରିଥିଲେ ଯେ, ପାକିସ୍ତାନୀ ସେନା ୩୦ ଲକ୍ଷ ଡଲାର ବିନିମୟରେ ଉତ୍ତର କୋରିଆକୁ ପରମାଣୁ ସାମଗ୍ରୀ ଯୋଗାଇଛି | ସାରା ଦୁନିଆରେ ଉତ୍ତର କୋରିଆର ପରମାଣୁ ବୋମା ତିଆରି କାର୍ଯ୍ୟକ୍ରମରେ ପାକିସ୍ତାନୀ ସେନା ଓ ସରକାରଙ୍କ ସିଧା ସଳଖ ଭୂମିକା ଥିବା ନେଇ ପ୍ରଶ୍ନ ଉଠିଥିଲା |

ପାକିସ୍ତାନ ଓ ଉତ୍ତର କୋରିଆର ଚୁକ୍ତି ପଛରେ ଇସ୍ଲାମଵାଦ- ବେଜିଙ୍ଗର ବନ୍ଧୁତା ମଧ୍ୟ ରହିଥିଲା | ଅପରପକ୍ଷରେ ଆମେରିକା ଦକ୍ଷିଣ କୋରିଆକୁ ସହଯୋଗ କରିଥାଏ | ବିଶେଷଜ୍ଞଙ୍କ କହିବାନୁଯାୟୀ, ୧୯୯୦ ମସିହାରେ ଯେତେବେଳେ ଇସ୍ଲାମଵାଦ ଉତ୍ତର କୋରିଆକୁ ପରମାଣୁ ବୋମା ତିଆରି ଜ୍ଞାନ କୌଶଳ ପ୍ରଦାନ କରିଥିଲା, ସେତେବେଳେ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମକୁ ଚୀନର ସମର୍ଥନ ବୃଦ୍ଧି ପାଇଥିଲା | ଏହାସହ ପାକିସ୍ତାନ ଓ ଚୀନର ରଣନୀତିକ ସହଭାଗିତା ମଜବୁତ ହୋଇଥିଲା | ପରମାଣୁ ଅସ୍ତ୍ରକୁ ନେଇ ଅନ୍ତର୍ଜାତୀୟ ସମ୍ପ୍ରଦାୟରେ ଯେବେ ମଧ୍ୟ ପାକିସ୍ତାନକୁ ସମାଲୋଚନା କରାଯାଏ ଚୀନ ସର୍ବଦା ପାକିସ୍ତାନକୁ ସୁରକ୍ଷା ଦେବା ପାଇଁ ଆଗକୁ ଆସିଥାଏ |

୧୯୯୭ ରୁ ୧୯୯୯ ମସିହା ପର୍ଯ୍ୟନ୍ତ ଉତ୍ତର କୋରିଆରେ ଭାରତର ରାଷ୍ଟ୍ରଦୂତ ଜଗଜ୍ଜିତ ସିଂହ ଏକ ସାକ୍ଷାତକାରରେ କହିଥିଲେ ଯେ, ଉତ୍ତର କୋରିଆରେ ପାକିସ୍ତାନୀ ରାଷ୍ଟ୍ରଦୂତ ଶୀର୍ଷ ନେତୃତ୍ୱଙ୍କ ଅତ୍ୟନ୍ତ ନିକଟତର ଥିଲେ | ଉତ୍ତର କୋରିଆରେ ତାଙ୍କର ୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଜିନିଷ ଦେଖିଥିଲେ ଯାହା ସ୍ପଷ୍ଟ କରିଥିଲା ଯେ ପାକିସ୍ତାନ ହିଁ ଉତ୍ତର କୋରିଆକୁ ପରମାଣୁ ଜ୍ଞାନ କୌଶଳ ପ୍ରଦାନ କରିଛି | କିଛିବର୍ଷ ହେଲା ପାକିସ୍ତାନର ଉତ୍ତର କୋରିଆ ସେନା ସହଯୋଗ ସମାପ୍ତ ହୋଇଥିଲେ ମଧ୍ୟ ଇସ୍ଲାମଵାଦ ଏବେ ସୁଦ୍ଧା ଉତ୍ତର କୋରିଆ ବିରୋଧରେ ଜାତିସଂଘର ପ୍ରତିବନ୍ଧକ ପାଳନ କରୁନାହିଁ | ଅଧିକାଂଶ ସମୟରେ ପାକିସ୍ତାନୀ କମ୍ପାନୀର ଜାହାଜ ପ୍ୟୋଙ୍ଗୟାଙ୍ଗରେ ଦେଖିବାକୁ ମିଳିଥାଏ | ଉତ୍ତର କୋରିଆ ଲୋକେ ମଧ୍ୟ ପାକିସ୍ତାନକୁ ନିଜର ବନ୍ଧୁ ବୋଲି ମାନନ୍ତି |

   Related Posts