ଉତ୍ତର କୋରିଆ ଜେଲ୍‌ର ଛାତିଥରା କାହାଣୀ: ଅଙ୍ଗେନିଭା କଥା ବଖାଣିଲେ ମୁକ୍ତ କଏଦୀ, ଜେଲଦଣ୍ଡ ଭୋଗୁଥିବା କଏଦୀ ପିଉଛନ୍ତି ଚିତାଭସ୍ମ ମିଶା ପାଣି

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯/୧୧: ଉତ୍ତର କୋରିଆର ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ଙ୍କ କ୍ରୁରତା କାହାକୁ ଅଛପା ନାହିଁ। କିନ୍ତୁ ନିଜ ଦେଶରେ ଥିବା କଏଦୀଙ୍କୁ ଜେଲ୍‌ରେ କିଭଳି ବ୍ୟବହାର କରାଯାଉଛି ତାହା ଶୁଣିବା ପରେ ଛାତି ଥରି ଉଠିବ। ଖ୍ରୀଷ୍ଟିଆନ୍‌ ଧର୍ମୀ କଏଦୀ ହୁଅନ୍ତୁ ବା ବିଦେଶୀ ଟିଭି ଶୋ ଦେଖି ଜେଲରେ ବନ୍ଦୀ ଥିବା କଏଦୀ ସମସ୍ତଙ୍କୁ ଜେଲ୍‌ରେ ନିଷ୍ଠୁର ବ୍ୟବହାର ହେଉଥିବା  ଜଣାପଡ଼ିଛି। ଜଣେ କଏଦୀ ଜେଲ୍‌ରୁ ବାହାରିବା ପରେ ଏଭଳି କିଛି ବିସ୍ଫୋରକ ସତ୍ୟ ସମ୍ପର୍କରେ ବଖାଣିଛନ୍ତି।

ଜଣେ ପୂର୍ବତନ କଏଦୀଙ୍କ କହିବା ଅନୁସାରେ ଏହା ଏଭଳି ଏକ ଜେଲ୍‌ ଯେଉଁଠି ଦକ୍ଷିଣ କୋରିଆ ଟିଭି ଶୋ ଓ ଖ୍ରୀଷ୍ଟିଆନ୍‌ ଧର୍ମରେ ବିଶ୍ବାସ କରୁଥିବା ଲୋକଙ୍କୁ ଏଠାରେ ରଖାଯାଏ। ସବୁ ସୋମବାର ସକାଳେ ମୃତକଙ୍କ ଶରୀର ପୋଡ଼ାଯାଏ। ଏଥିରୁ ବାହାରୁଥିବା ଚିତାଭସ୍ମକୁ ନଦୀ କଡ଼ରେ ପକାଯାଏ। ବର୍ଷା ହେବା ଫଳରେ ଏସବୁ ନଦୀକୁ ବହିଯାଏ । ପରେ ଏହି ନଦୀ ଜଳକୁ କଏଦୀମାନେ ବ୍ୟବହାର କରିବା ସହ ପିଇଥାନ୍ତି ।

ବର୍ଷାଦିନରେ କାଠ ଓଦା ଥିବା କାରଣରୁ ମୃତକଙ୍କୁ ପୋଡ଼ିବା ସହଜ ହୋଇନଥାଏ। ବହୁ ମୃତଦେହ ଅଧାପୋଡ଼ା ହୋଇ ରହିଥାଏ। ବର୍ଷାଦିନରେ ବାହାରକୁ ବାହାରିଥିବା ବେଳେ ହଠାତ ପାଦରେ କିଛି ଲାଗିଥିଲା ବୋଲି କହିଛନ୍ତି ଜେଲ୍‌ରୁ ମୁକୁଳିଥିବା କଏଦୀ। ପାଦରେ ଲାଗିଥିବା ଜିନିଷକୁ କାଠ ବୋଲି ଭାବିଥିଲେ ସୁଦ୍ଧା ତାହା ଜଣେ ମୃତକଙ୍କ ଗୋଡ଼ ଆଙ୍ଗୁଳି ଥିଲା ବୋଲି ସେ କହିଛନ୍ତି। ଏଭଳି ଭାବେ ସେ ୫ଟି ଗୋଡ଼ ଆଙ୍ଗୁଳି ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି। ଜେଲ୍‌ କର୍ମଚାରୀଙ୍କ ଅତ୍ୟାଚାର, ଶାରୀରିକ ଅସୁସ୍ଥତା କାରଣରୁ କଙ୍ଗୁରିରେ ମୃତ୍ୟୁହାର ଅଧିକ ବୋଲି ମୁକ୍ତ କଏଦୀ କହିଛନ୍ତି ।

ଏହାସହ ମୃତ କଏଦୀଙ୍କ ଶରୀରକୁ କିଛି ଦିନ ପାଇଁ ଏକ ଷ୍ଟୋର୍‌ ରୁମ୍‌ରେ ରଖାଯାଏ। ମୃତଦେହଗୁଡ଼ିକୁ ମୂଷାମାନେ କିଛି ମାତ୍ରାରେ ଖାଇବା ସହ ଶୀରରଗୁଡ଼ିକ ସଢ଼ିଯାଏ ବୋଲି ଏଚ୍‌ଆରଏନକେ ରିପୋର୍ଟରେ ପ୍ରକାଶ ପାଇଛି ।  ‌ଓ୍ବାସିଂଟନ୍ ମାନବାଧିକାର କମିଟି ଜେଲ୍‌ର ଏକ ସାଟେଲାଇଟ୍‌ ଚିତ୍ର ପାଇବାରେ ସକ୍ଷମ ହୋଇଛି। ଯେଉଁଥି​‌ରେ ଶବଦାହ ସ୍ଥାନ, କଏଦୀ ରହୁଥିବା ସ୍ଥାନ ଆଦି ଚିହ୍ନଟ କରାଯାଇଛି। ଏଥିରେ ଚିତାଭସ୍ମ ନଦୀ ଜଳରେ ମିଶୁଥିବା ଓ ଏହାକୁ କଏଦୀମାନେ ପିଉଥିବା ସ୍ପଷ୍ଟ ଜଣାପଡ଼ିଛି। ତେବେ ଏଭଳି ଅମାନୁଷିକ ଅତ୍ୟାଚାର ଉପରେ ଅନ୍ତରାଷ୍ଟ୍ରୀୟ ସମୂହ ଦୃଷ୍ଟି ଦେବା ଦରକାର ବୋଲି ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.