୧୧ଟି ଚେକ୍ ପଏଣ୍ଟ ଦେଇ ରାଜ୍ୟ ମଧ୍ୟକୁ ପ୍ରବେଶ କରିପାରିବେ ପ୍ରବାସୀ ଓଡିଆ, ହାତରେ ଲାଗିବ ଷ୍ଟାମ୍ପ୍

Published By : Prameya-News7 Bureau | May 01, 2020 IST

ଭୁବନେଶ୍ୱର, ୦୧|୦୫:  ରାଜ୍ୟରେ କରୋନା ସ୍ଥିତି ନେଇ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କରୋନା ଏକ ଯୁଦ୍ଧ ଓ ଏହାସହ ଲଢେଇ କରିବାକୁ ହେବ ବୋଲି ସେ କହିଛନ୍ତି । ଏହି ସାମ୍ବିଦକ ସମ୍ମିଳନୀରେ ଉପସ୍ଥିତ ରହି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରବାସୀ ଓଡିଆ କିପରି ଫେରିବେ ଓ କଣ ଗାଇଡଲାଇନ୍ ରହିଛି ସେ ନେଇ ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ଯୋଜନା କରାଯାଉଛି । ଯେଉଁମାନେ ଫେରିବେ ସେମାନଙ୍କର ପ୍ରି ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ କରାଯାଇଛି । ସେମାନେ ଟ୍ରେନ୍ କିମ୍ବା ରାସ୍ତାରେ ଆସିପାରନ୍ତି । ଯେଉଁମାନେ ଗାଡିରେ ଆସିବେ ପ୍ରଥମେ ଫେରୁଥିବା ରାଜ୍ୟରୁ ପାସ୍ ଆଣିବେ । ସମସ୍ତ ତଥ୍ଯ ଦେଇ ପାସ୍ ସାହାଯ୍ୟରେ ସେମାନେ ଆସିପାରିବେ । ତେବେ ୧୧ଟି ନିର୍ଦ୍ଦିଷ୍ଟ ଚେକପୋଷ୍ଟ ଦେଇ ରାଜ୍ୟକୁ ଆସିପାରିବେ । ଯେଉଁମାନେ ବାହାର ରାଜ୍ୟରୁ ରେଜିଷ୍ଟ୍ରେସନ କରିନଥିବେ ସେମାନେ ଏହି ନିର୍ଦ୍ଦିଷ୍ଟ ଚେକପୋଷ୍ଟରେ ରେଜିଷ୍ଟ୍ରେସନ କରିପାରିବେ । ବର୍ଡର୍ ଚେକପଏଣ୍ଟରେ ଫେରନ୍ତାଙ୍କ ଡାହାଣ ହାତରେ ଏକ ତାରିଖ ଚିହ୍ନ ବା ଷ୍ଟାମ୍ପ ଲଗାଯିବ । ଯାହା କ୍ୱାରେଣ୍ଟାଇନ ଦିନ ହିସାବରେ ଗଣାଯିବ । ଗାଡିରେ ମଧ୍ୟ ଷ୍ଟିକର୍ ଲଗାଯିବ । ଏଥିରେ କେଉଁଠାକୁ ଆପଣ ଯାଉଛନ୍ତି ତାହାର ତଥ୍ୟ ରହିବ । ସରପଞ୍ଚଙ୍କୁ ମଧ୍ୟ ଏହାର ମନଟରିଂ ପାଇଁ କ୍ଷମତା ଦିଆଯାଇଛି । ଜିଲ୍ଲାପାଳମାନେ ସେମାନଙ୍କୁ ଗନ୍ତବ୍ୟ ସ୍ତରକୁ ନେଇଯିବେ ।

ଯେଉଁମାନେ ଟ୍ରେନରେ ଫେରିବେ ସେମାନେ ମଧ୍ୟ ପ୍ରି ରେଜିଷ୍ଟ୍ରେସନ କରିବେ । ରାଜ୍ୟ ସରକାରଙ୍କ କ୍ଲିୟରାନ୍ସ ବିନା କୌଣସି ଟ୍ରେନ୍ ଆସିପାରିବ ନାହିଁ । କିଛି ନିର୍ଦ୍ଦିଷ୍ଟ ରେଳ ଷ୍ଟେସନରେ  ପହଁଚିବା ପରେ ସେମାନଙ୍କୁ ବସ ମାଧ୍ୟମରେ ସେମାନଙ୍କ ଗ୍ରାମ ବା ସହରରେ ପହଁଚାଇ ଦିଆଯିବ । ସହରାଞ୍ଚଳରେ ଯଦି କୌଣସି ବାହାର ରାଜ୍ୟ ଫେରନ୍ତା କ୍ୱାରେଣ୍ଟାଇନରେ ରହିପାରିବେ ନାହିଁ ସେମାନେ ସରକାରୀ କ୍ୱାରେଣ୍ଟାଇନରେ ରହିପାରିବେ । ଯଦି ଏହାର କେହି ଉଲଙ୍ଘନ କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସୁବ୍ରତ ବାଗଚୀ କହିଛନ୍ତି ଯେ, କରୋନା ଯୁଦ୍ଧରେ ତିନୋଟି ପର୍ଯ୍ୟାୟ ରହିଛି । ଏହି ତିନୋଟି ପର୍ଯ୍ୟାୟ ବାବଦରେ ସେ ଅବଗତ କରାଇଛନ୍ତି । ପ୍ରଥମ ପର୍ଯ୍ୟାୟ ହେଉଛି ଯୁଦ୍ଧର ପ୍ରସ୍ତୁତି, ଦ୍ୱିତୀୟ ପର୍ଯ୍ୟାୟ ହେଉଛି ଯୁଦ୍ଧ କ୍ଷେତ୍ରର ଲଢେଇ ଓ ତୃତୀୟ ପର୍ଯ୍ୟାୟ ହେଉଛି କରୋନା ସହ ଘମାଘୋଟ ଲଢେଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.